ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି ଆଣି କାନ୍ଧରେ ପକାଇଲେ । ତା’ପରେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜା, ଏ ଦୁର୍ଯ୍ୟୋଗମୟ ରାତିରେ ତମେ ପ୍ରାସାଦରେ ନୃତ୍ୟଗୀତ ଉପଭୋଗ କରି ଆରାମ୍ କରନ୍ତ ସିନା! ମାତ୍ର ତାହା ନକରି ଏଠାରେ ମୋତେ ବଶ କରିବାକୁ ଅଯଥା ଚେଷ୍ଟା କରି ସମୟ ନଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ଉପରକୁ କାହିଁକି ବିପଦ ଡାକି ଆଣୁଛ? ଏହା ତ ନିଶ୍ଚୟ ତୁମ ଅବିବେକିତାର ପରିଚୟ । ମଣିଷ ସଦ୍ଗୁଣର ଅଧିକାରୀ ହୋଇ ମଧ୍ୟ ଅବିବେକୀ ହୋଇପାରେ । ତମକୁ ଦୁଇଜଣଙ୍କ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେ ହେବ ।”
ଏତିକି କହିସାରି ସେ ବେତାଳ ଗପିଲା:
କୋଶାମ୍ବୀ ରାଜ୍ୟର ଗୋଟିଏ ଗାଁରେ ଜଣେ ଯୁବକ ଥାଏ । ତା’ର ନାମ ଚନ୍ଦ୍ରଶେଖର । ତା’ବାପା ଜଣେ ପଣ୍ଡିତ । ବାପାଙ୍କଠାରୁ ସେ କିଛି ଶାସ୍ତ୍ରଜ୍ଞାନ ବି ପାଇଥାଏ । କିନ୍ତୁ ତା’ର ଅସଲ ପ୍ରତିଭା କେବଳ କବିତା ରଚନାରେହିଁ ନିହିତ ଥାଏ । ଫୁଲଟିଏ, ଫଳଟିଏ, ପକ୍ଷୀଟିଏ, ଇନ୍ଦ୍ରଧନୁ, ବର୍ଷା – ଯାହା ଦେଖିଲେ ସେ ବିଷୟ ଉପରେ ତତ୍କ୍ଷଣାତ୍ ତା’ ମୁହଁରୁ କବିତା ବାହାରି ପଡେ । ତେଣେ ତା’ ଘରେ ବଡ ଅଭାବ । ପିତୃଋଣ ଯୋଗୁଁ ଘରଦ୍ୱାର ତା’ର ସବୁ ନିଲାମ ହେବାକୁ ଯାଉଥାଏ ।
ତାକୁ ତା’ ବନ୍ଧୁମାନେ କହୁଥାନ୍ତି, “ଶେଖର, ତୁ ଦୈବଦତ ଗୁଣର ଅଧିକାରୀ । ଆମର ଏ ଛୋଟିଆ ଗାଁରେ ତୋର ସେ ଗୁଣର ଆଦର କରିବାକୁ କେହି ମଧ୍ୟ ନାହିଁ । ତୁ ରାଜସଭାରେ ଯାଇ ନିଜ ପ୍ରତିଭାର ପରିଚୟ ଦେ । ରାଜା ତୋ ପ୍ରତି ସଦୟ ହେଲେ ତୋ’ର ଆଉ ଦୁଃଖ ବୋଲି କିଛିବି ରହିବ ନାହିଁ ।”
ସେମାନଙ୍କ କଥା ଶୁଣି ଚନ୍ଦ୍ରଶେଖର ଉତ୍ତର ଦେଉଥାଏ, “ମୋର ଦୁଃଖ ଦୂର ହେବା ଯେତିକି ଆବଶ୍ୟକ, ମୋ କବିତାର ଆଦର ହେଉ, ରସିକମାନେ ତାହା ଶୁଣିବାର ସୁଯୋଗ ପାଆନ୍ତୁ, ଏହା ମଧ୍ୟ ସେତିକି ଆବଶ୍ୟକ ।”
ତା’କଥାରେ ତା’ ବନ୍ଧୁମାନେ କହୁଥାନ୍ତି “ଠିକ୍ କଥା । ରାଜସଭାରେ ଯେ ଖାଲି ଆମରି ରାଜ୍ୟର ଗୁଣୀମାନଙ୍କର ସମାବେଶ ହୁଏ, ସେତିକି ନୁହେଁ, ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ କବି ପଣ୍ଡିତମାନେ ଆସି ରାଜାଙ୍କଠାରୁ ସମ୍ମାନ ଲାଭ କରନ୍ତି । ଥରେ ରାଜସଭାକୁ ଗଲେ ତୋର ସମ୍ମାନ ଚାରିଆଡେ ବ୍ୟାପିଯିବ । ତଦ୍ୱାରା ଆମ ଗାଁର ଗୌରବ ମଧ୍ୟ ବଢିବ ।”
ସେ ରାଜସଭାକୁ ଯିବାର ଉଦ୍ୟୋଗ କରି ଜାଣିବାକୁ ପାଇଲା, ରାଜା ସିଧାସଳଖ କୌଣସି କବିକୁ କେବେବି ସ୍ୱାଗତ କରନ୍ତି ନାହିଁ । ଯେଉଁ କବି ରାଜାଙ୍କ ଅଧୀନରେ ଥିବା ସାମନ୍ତ ଜମିଦାରମାନଙ୍କ ସୁପାରିସ୍ ଧରି ରାଜସଭାକୁ ଆସନ୍ତି, କେବଳ ସେହିମାନେହିଁ ନିଜ କବିତା ଶୁଣାଇବାକୁ ଅନୁମତି ପାଆନ୍ତି ।
ଏହାପରେ ଶେଖର ତା’ପିତାଙ୍କ ଅନୁମତି ନେଇ ଗାଁଠୁ ପାଂଚ କୋଶ ଦୂରରେ ଥିବା ଜମିଦାର ଭୂପତିନନ୍ଦନଙ୍କୁ ଦେଖା କରିବାକୁ ଗଲା । କିନ୍ତୁ ଜମିଦାରଙ୍କ ଗାଁରେ ପହଁଚି ସେ ଦେଖିଲା, ସେଠିକା ବାତାବରଣରେ ବିଷାଦ ଛାଇ ହୋଇ ରହିଛି । କଥା କ’ଣ ବୁଝିବା ବେଳକୁ, ଜମିଦାରଙ୍କ ଏକମାତ୍ର ସନ୍ତାନ ଗୋଟିଏ କନ୍ୟା । ତାକୁ ଯେଉଁ ଯୁବକ ଜଣକ ବିଭା ହୋଇ ଜମିଦାରଙ୍କ ଘରେ ରହୁଥାଏ ଏବଂ ଯିଏ କି ଭବିଷ୍ୟତରେ ତାଙ୍କ ଉତ୍ତରାଧିକାରୀ ହେବା କଥା, ସେହିଦିନ ସକାଳେ ସର୍ପଦଂଶନରେ ତା’ର ଅକାଳ ମୃତ୍ୟୁ ହୋଇଥାଏ ।