(ମୋହନ ଟ୍ରୋୟନଗର ରାଜା ବର୍ଦ୍ଧନଙ୍କ ପୁତ୍ର ଥିଲେ । ସେ ଗ୍ରୀକ୍ ରାଜାଙ୍କ ସାନଭାଇ ପ୍ରତାପଙ୍କ ପତ୍ନୀ ଭୂବନସୁନ୍ଦରୀଙ୍କୁ ଅପହରଣ କଲେ । ତାଙ୍କୁ ପୁଣି ଫେରିପାଇବା ପାଇଁ ଗ୍ରୀକ୍ ବୀରମାନେ ଜାହାଜ ଚଢି ଯାଇ ଟ୍ରୋୟରେ ପହଁଚିଲେ ଓ ଦୁର୍ଗକୁ ଘେରି ରହିଲେ । ଛୋଟ ଛୋଟ ଯୁଦ୍ଧ ଦଶବର୍ଷ ଧରି ଚାଲିଲା । ଶେଷକୁ ଗ୍ରୀକ୍ମାନେ ଏକ ବିରାଟ କାଠଘୋଡା ତିଆରି କରି, ସନ୍ଧିର ଛଳନା କରି ଘୋଡାର ପେଟ ଭିତରେ ପଶି ଅଚାନକ ସେମାନଙ୍କୁ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କଲେ ଓ ଭୂବନସୁନ୍ଦରୀକୁ ଧରି ଫେରି ଆସିଲେ ।
ଟ୍ରୋୟ ନଗରୀ ଆକ୍ରମଣ କରିଥିବା ଗ୍ରୀକ୍ ଯୋଦ୍ଧାମାନଙ୍କ ମଧ୍ୟରୁ ରୂପଧର ମଧ୍ୟ ଅନ୍ୟତମ । ଜ୍ୟୋତିଷ କହିଥିଲେ କି ପ୍ରାୟ କୋଡିଏ ବର୍ଷ ପର୍ଯ୍ୟନ୍ତ ରୂପଧର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବ ନାହିଁ । ସେଥିରୁ ଦଶବର୍ଷ ତ ଟ୍ରୋୟ ଯୁଦ୍ଧରେ କଟିଲା; ଶେଷ ଦଶବର୍ଷରେ ରୂପଧରଙ୍କ ଜୀବନରେ ଅନେକ ବିଚିତ୍ର ଘଟଣାସବୁ ଘଟିଲା । ଏହି ମାସରୁ ସେହି ଘଟଣା ଗୁଡିକର ବିବରଣୀ ଦିଆଯାଇଛି ।)
ରୂପଧରଙ୍କ ନୌକାଗୁଡିକ ଟ୍ରୋୟ ନଗରୀର ସମୁଦ୍ର ତଟ ଛାଡିବା ପରେ ପରେ ପବନ ବିପରୀତ ଦିଗରୁହିଁ ବହିଲା । ନୌକାମାନଙ୍କୁ ଦକ୍ଷିଣ ଦିଗକୁ ଯିବାର ଥିଲା, କିନ୍ତୁ ତାହା ଚାଲିଲା ଉତ୍ତର ଦିଗରେ ଓ ଶେଷରେ ଇସ୍ମରୋସ ତଟରେ ଯାଇ ଲାଗିଲା । ଏହା ଥିଲା କିକୋଲିଅନ୍ମାନଙ୍କର ବାସଭୂମି । ରୂପଧରଙ୍କ ସୈନ୍ୟମାନେ ନଗର ଆକ୍ରମଣ କରି ତୁରନ୍ତ ତାକୁ ଧ୍ୱଂସ କଲେ; ଲୁଣ୍ଠନ କରି ଯାହା ପାଇଲେ ସବୁ ନିଜ ମଧ୍ୟରେ ବାଂଟିନେଲେ । ରୂପଧର ସେମାନଙ୍କୁ କହିଲେ “ଯେତେ ଶୀଘ୍ର ପାର ଏଠାରୁ ଚାଲିଯିବା ଉଚିତ୍ ।” କିନ୍ତୁ ସୈନ୍ୟମାନେ ତାଙ୍କ କଥା ପ୍ରତି ତିଳେ ହେଲେ ମଧ୍ୟ କର୍ଣ୍ଣପାତ କଲେ ନାହିଁ । କାରଣ ସେଠାରେ ଅତି ସ୍ୱାଦିଷ୍ଟ ପାନୀୟ ମିଳୁଥିଲା । ସୈନ୍ୟମାନେ ଖୁବ୍ ପିଇଲେ । ତା’ପରେ ସମୁଦ୍ରକୂଳକୁ ଆସି ଲୁଣ୍ଠିତ ପାଳିତ ପଶୁ ମାନଙ୍କ ମଧ୍ୟରୁ କେତେକଙ୍କୁ ପୋଡି ଖାଇ ଦେଲେ ।
ଇତି ମଧ୍ୟରେ ଅତ୍ୟାଚାରିତ କିକୋଲିଅନ୍ ମାନେ ଯୋଦ୍ଧାମାନଙ୍କୁ ଧରି ଫେରିଲେ । ସକାଳୁ ଉଠି ସେମାନେ ପ୍ରଥମେ ରୂପଧରଙ୍କ ସୈନ୍ୟମାନଙ୍କ ଉପରେ ଆକ୍ରମଣ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । କିକୋଲିଅନ୍ଙ୍କ ସଂଖ୍ୟା ଯେହେତୁ ଅଧିକ ଥିଲା । କ୍ରମେ ରୂପଧରଙ୍କ ସୈନ୍ୟମାନଙ୍କ ସଂଖ୍ୟା କମିବାରେ ଲାଗିଲା । ବହୁତ ଗ୍ରୀକ୍ ସୈନ୍ୟ ମରିଗଲେ । ତେଣୁ ବାକି ଅଳ୍ପ ସଂଖ୍ୟକ ସୈନ୍ୟ ଧରି ରୂପଧର ପ୍ରାଣପଣେ ଚେଷ୍ଟା କରି ଜାହାଜ ଭିତରକୁ ପଳାଇ ଆସି ଜାହାଜ ସେଠାରୁ ତୁରନ୍ତ ଛାଡିଦେଲେ ।
ସମୁଦ୍ରରେ ଅଳ୍ପ ବାଟ ଯିବା ପରେ ହଠାତ୍ ପୂର୍ବଦିଗରୁ ପ୍ରଚଣ୍ଡ ପବନ ହେଲା । ସେହି ପବନର ଜୋର୍ରେ ପାଲ ଛିଣ୍ଡି ଖସିପଡିଲା । ନୌକା କୁଆଡେ ଯେ ଭାସି ଚାଲିଥାଏ, କିଛି ଜାଣି ହେଉ ନଥାଏ । ରୂପଧର କୌଣସି ମତେ ନୌକାକୁ କୂଳକୁ ନେବାକୁ ଆଦେଶ ଦେଲେ । ବଡକଷ୍ଟରେ ନୌକାମାନେ କୂଳକୁ ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ଅନ୍ଧାର ଘୋଟି ରହିଥାଏ ଓ ବର୍ଷା ଚାଲିଥାଏ ।