ଭୟଙ୍କର ତୋଫାନ୍ରେ ଗୋଟିଏ ନୌକା ହଠାତ୍ ଡୁବି ଗଲା । ମାତ୍ର ସେଥିରେ ଥିବା ତିନିଜଣ ଲୋକ କୌଣସି ମତେ ପହଁରି ଗୋଟିଏ ଦ୍ୱୀପରେଯାଇ ପହଁଚିଲେ । ଯାହା ହେଉ ସେମାନଙ୍କର ପ୍ରାଣ ବଂଚିଗଲା ।
ସେହି ଦ୍ୱୀପଟି ଫଳଫୁଲରେ ଭରା, ଜନମାନବଶୂନ୍ୟ । ପାଖରେ ନଦୀଟିଏ ବହିଯାଉଥାଏ । ସେଥିରେ ମାଛ ଭର୍ତ୍ତି । ତିନିଜଣ ଯାକ ସେହିସବୁ ଖାଇ ଜୁଆ ଖେଳନ୍ତି ଓ ପ୍ରାଣ ବଂଚେଇ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମମୁଖିଆ, ଜଣେ ହେଉଛନ୍ତି ଚାଷୀ ଓ ଅନ୍ୟଟି ଲଫଙ୍ଗା ।
ଦିନେ ସେ ତିନିଜଣଯାକ ସମୁଦ୍ର କୁଳରେ ବୁଲୁଥା’ନ୍ତି । ମୁଖିଆ ଦେଖିଲେ ସମୁଦ୍ରବାଲିରେ ଗୋଟିଏ ବୋତଲ ପଡିଛି । ଚାଷୀ ତାକୁ ହାତରେ ଉଠାଇ ଧରିଲା ଓ ସେ ଲଫଙ୍ଗା ଲୋକଟି ତା’ର ଠିପି ଖୋଲି ଦେଲା । ତାହା ଭିତରୁ ଏକ ବିରାଟ ଭୂତ ବାହାରିଲା, ତା’ପରେ ସେ ଭୂତଟି ଅଟ୍ଟହାସ୍ୟ କଲା । ତାକୁ ଦେଖି ଏ ତିନିଜଣ ଯାକ ଅତ୍ୟନ୍ତ ଭୟରେ ଥରି ସେଠାରୁ ଧାଇଁ ପଳାଇବାକୁ ଲାଗିଲେ । ଭୂତ କହିଲା, “ଆହାହା, ପଳାଅନାହିଁ, ମୁଁ ତୁମର ସେମିତି କିଛି କ୍ଷତି କରିବି ନାହିଁ । ତୁମେମାନେ ତ ମୋତେ ଏ ବୋତଲ ଭିତରୁ ମୁକ୍ତି ଦେଇଛ । ତେଣୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ବର ମାଗ । ମୁଁ ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବି । ଗ୍ରାମ ପ୍ରମୁଖ କହିଲା, “ଗ୍ରାମବାସୀଙ୍କ ଝଗଡା ସମାଧାନ କରିବାକୁ ମୋର ଏବେହିଁ ଗ୍ରାମକୁ ଯିବା ଦରକାର ।”
ତା’କଥା ଶୁଣି ଭୂତଟି “ହୁସ୍” କହିଦେବା ମାତ୍ରେ ସେହି କ୍ଷଣି ସେ ଗ୍ରାମ ପ୍ରମୁଖ କୁଆଡେ ଅନ୍ତର୍ଦ୍ଧାନ ହେଲା । ଚାଷୀଟି କହିଲା, “ଫସଲ କଟା ସମୟ । ଗ୍ରାମକୁ ଗଲେ ଫସଲ କାଟନ୍ତି ।”
ତା’ପରେ ସେ ଭୂତଟି “ହୁସ୍” କହିବାରୁ ସେ ଚାଷୀଟି ବି ତତକ୍ଷଣାତ୍ ଅଦୃଶ୍ୟ ହୋଇଗଲା ।
ଲଫଙ୍ଗା କହିଲା, “ଆରେ ଦି’ଜଣ ତ ପଳେଇଲେ! ମୁଁ କିପରି ଜୁଆ ଏକେଲା ଖେଳିବି? ତିନିଜଣ ହେଲେ ସିନା ଏ ଖେଳ ଜମିବ ।”
ଭୂତ “ହୁସ୍ ହୁସ୍” କହିଲା ଓ ତତ୍କ୍ଷଣାତ୍ ସେ ଅନ୍ୟ ଦୁଇଜଣ ମଧ୍ୟ ସେଠାରେ ଆସି ହାଜର୍ । ତା’ପରେ ଭୂତ କିନ୍ତୁ ଉଭାନ୍ ହୋଇଗଲା ।