ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି ସେମାନେ ମାତ୍ର ଦଶଟି ମୁଦ୍ରା ପାଇଲେ ।
ଚୋରଙ୍କ ସର୍ଦ୍ଦାର ନିରାଶ ହୋଇ କହିଲା, “ଏତେ ବଡ ଲାଠି ହାତରେ ଧରି ଆସୁଥିବାର ଦେଖି ଆମେ ଭାବିଲୁ କି ତୁମ ପାଖରେ ନିଶ୍ଚୟ କିଛି ଧନ ଥିବ । ଯଦି ଆଗରୁ ଜାଣିଥା’ନ୍ତୁ କି ତୁମ ପାଖରେ ମାତ୍ର ଦଶଟି ତମ୍ବାର ମୁଦ୍ରା ଅଛି, ତେବେ ଆମେ ତୁମ ପାଖକୁ କେବେବି ଆସି ନଥା’ନ୍ତୁ । ତୁମେ ଆମେ କେହି ପିଟା ପିଟି ମଧ୍ୟ ହୋଇ ନଥା’ନ୍ତୁ ।”
ଚାରିଜଣ ଚୋରଙ୍କଠାରୁ ମାଡ ଖାଇ ସମର ବହୁତ କଷ୍ଟରେ ଚିତ୍କାର କରି କହିଲା, “ଶୁଣିଥିଲି କି ଚୋର ବୁଦ୍ଧିଆ ହୋଇଥା’ନ୍ତି । ଯାହାକୁ ଧରିଥା’ନ୍ତି ତା’ର ଚାରିଆଡ ଖୋଜନ୍ତି, ଲୁଗାପଟା ଖୋଜନ୍ତି । ହେଲେ ତୁମେମାନେ ଏଡେ ବଡ ବଡ ହୋଇଛ ସିନା ମାତ୍ର ବୁଦ୍ଧି ଅକଲ ତ କିଛି ନାହିଁ । ତୁମେମାନେ ମୋ ପଗଡି ତ କାହିଁ ଖୋଲି ଖୋଜିଲ ନାହିଁ? ଭୁଲିଗଲ କି? ମୁଁ ଯଦି ଏକଥା ଜାଣିଥା’ନ୍ତି ଯେ ତୁମେ ପଗଡି ଖୋଲି ଖୋଜିବ ନାହିଁ, ତେବେ ମୁଁ ଏତେ ମାଡଗୋଳ କେବେବି ମଧ୍ୟ କରିନଥା’ନ୍ତି ।”
ଚୋରମାନେ ସଙ୍ଗେ ସଙ୍ଗେ ଯାଇ ତା’ର ପଗଡି ଖୋଲିପକାଇଲେ । ସେଥିରେ ରୂପାର ମୁଦ୍ରାସବୁ ଥିଲା । ସେମାନେ ଆନନ୍ଦରେ ସେତକ ନେଇଯାଇ ନିଜ ରାସ୍ତାରେ ଚାଲିଗଲେ । ଏଣେ ବୁଦ୍ଧିମାନ ସମର ସବୁ ହରାଇ ବନ୍ଧା ହୋଇ ସେଠାରେ ପଡି ରହିଲା ।