ଦୁଃଶାସନ ଦ୍ୱାରା ପ୍ରେରିତ ହୋଇ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଯାଇ କହିଲେ, “ଜୁଆ ଖେଳରେ ଯାହାସବୁ ତ ଆମେ ଜିତିଲୁ ତାହାକୁ ସବୁ ମଧ୍ୟ ଆପଣ ଫେରାଇ ଦେଲେ । ଯୁଦ୍ଧ ହେଲେ ପାଣ୍ଡବମାନେ ତ ଅବଶ୍ୟ ଆମର ସର୍ବନାଶ କରିବେ । ତେଣୁ ପୁନର୍ବାର ପଶାଖେଳିବା ପାଇଁ ଆପଣ ତାଙ୍କୁ ଡାକନ୍ତୁ । ଏଥର ଆମେ ଯାହା ଜିତିବା ତାହା ଆମର ହୋଇ ରହିବ ।”
ପୁନର୍ବାର ପଶା ଖେଳହେଲା । ଦରବାରର ସଭ୍ୟମାନେ ପୁନଶ୍ଚ ପଶା ଖେଳର ସପକ୍ଷରେ କେହିବି ନ ଥିଲେ । କିନ୍ତୁ ଦୁର୍ଯ୍ୟୋଧନ ଭୟରେ କେହି କିଛି ମଧ୍ୟ କହି ପାରିଲେ ନାହିଁ । ସେମାନେ କେବଳ କହୁଥା’ନ୍ତି “ଧୃତରାଷ୍ଟ୍ର ବୁଦ୍ଧିବିବେକ୍ହୀନ ହୋଇଗଲେ । ଜାଣୁଛନ୍ତି ପୁଅ ଦୁଷ୍ଟ ପ୍ରକୃତିର ବ୍ୟକ୍ତି । ତଥାପିବି ତାହାରି କଥାରେ ସେ ବାରମ୍ବାର ନିଜକୁ ସମର୍ପଣ କରୁଛନ୍ତି । ବାରମ୍ବାର ହାସ୍ୟାସ୍ପଦ କଥା ହେଉଛି । ଭୀଷ୍ମ ଓ ଦ୍ରୋଣ ମନ୍ତ୍ରର ପ୍ରଭାବରେ ରହିବା ପରି ନିର୍ବାକ୍ ହୋଇ ବସିଥା’ନ୍ତି ।”
ପ୍ରକୃତ କଥା ହେଉଛି ଏକ ପୁରୁଣା ଘଟଣାର ପ୍ରତିଶୋଧ ନେବା ପାଇଁ ଏସବୁ କାର୍ଯ୍ୟ ଶକୁନି କରାଉଥା’ନ୍ତି । ଗାନ୍ଧାରୀଙ୍କର ମଧ୍ୟ ଶହେ ଭାଇ ଥିଲେ । ଦୁର୍ଯ୍ୟୋଧନ ଥରେ ଶୁଣିଲେ ତାଙ୍କ ମାତା ଉଆଁସୀ କନ୍ୟା ଥିବାରୁ ତାଙ୍କୁ ପ୍ରଥମେ ଏକ ସାହାଡା ଗଛକୁ ବିବାହ ଦେଇଥିଲେ, ସେଇଟି ମରିଯିବା ପରେ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ ବାହା ହେଲେ । ତେବେ ରିଷ୍ଟ କଟିଯାଇ ଥିବାରୁ ଧୃତରାଷ୍ଟ୍ରଙ୍କର ଆଉ କିଛି ହେଲେବି କ୍ଷତି ହେଲା ନାହିଁ । ଥରେ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପଣ୍ଡୁଙ୍କ ପୁତ୍ର ନୁହଁନ୍ତି ଓ ଜାରଜ କହି ଅପମାନ କରିଥିଲେ । ଭୀମଙ୍କୁ ଶ୍ରୀକୃଷ୍ଣ ଶିଖାଇ ଦେଇଥିବାରୁ ସେ ମଧ୍ୟ ତାଙ୍କୁ ସାହାଡା ପୁତ୍ର କହି ଅପମାନ ଦେଲେ । ତେଣୁ ଦୁର୍ଯ୍ୟୋଧନ ଏଥିରେ ଅତ୍ୟନ୍ତ ରାଗିଯାଇ ତୁରନ୍ତ ମାମୁଁ ଘରକୁ ଯାଇ ସବୁ ପଚାରି ବୁଝିଲେ ଓ ଶହେ ମାମୁଙ୍କୁ ଡାକି ଆଣି କାରାଗାରରେ ରଖିଲେ । ସିଧା ମାରିଦେଲେ ପାପ ହେବା ଭୟରେ ଦିନକୁ ଜଣକର ଖାଦ୍ୟ ସେ ଶହେ ଜଣକୁ ଦିଆ ଯାଉଥିଲା । ସବୁଭାଇମାନେ ନଖାଇ କନିଷ୍ଠ ଶକୁନି ଉପରେ ଦୁର୍ଯ୍ୟୋଧନର ବଂଶ ନାଶ କରିବାକୁ ଦାୟିତ୍ୱ ଦେଲେ, ଶକୁନି ସେତକ ଖାଇ ବଂଚିଥା’ନ୍ତି । ବଡଭାଇଙ୍କର ହାଡରେ ପଶାକାଠି ତିଆରି ହେଲା ଓ ସେ କହିଲେ, “ମୁଁ ସେଥିରେ ରହିଥିବି, ତୁ ଯାହା ଡାକିବୁ ତାହା ପଡିବ ।” ଶକୁନି ବଡ ବୁଦ୍ଧିମାନ୍ । ସେ ଦୁର୍ଯ୍ୟୋଧନର ସପକ୍ଷରେ ଥିଲେ ସିନା, କିନ୍ତୁ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ପାଣ୍ଡବମାନଙ୍କୁ ରଗାଇଲେ ସେମାନେ ନିଶ୍ଚୟ ଏମାନଙ୍କୁ ସମୂଳେ ବିନାଶ କରିବେ । ତେଣୁ ଏହି ପଶାଖେଳ ପଛରେ ଶକୁନିଙ୍କର ପ୍ରତିଶୋଧର କାହାଣୀ ଥିଲା ଯାହାକୁକି ଦୁର୍ଯ୍ୟୋଧନ ଆଦୌ ବୁଝିପାରି ନଥିଲେ ।
ଦ୍ୱିତୀୟ ଥର ପଶା ଆରମ୍ଭ କାଳରୁ ସର୍ତ୍ତ ଏହା ଥିଲା ଯେ, ଯିଏ ହାରିବ, ସେ ବାରବର୍ଷ ବନବାସ ଯିବ ଓ ବର୍ଷେ ଅଜ୍ଞାତବାସ ଯିବ । ଏହାପରେ ଖେଳ ହେଲା ଓ ପାଣ୍ଡବମାନେ ପୁଣି ହାରିଲେ । ତା’ପରେ ପଂଚୁପାଣ୍ଡବ ଓ ଦ୍ରୌପଦୀ ସେ ରାଜ୍ୟ ଛାଡି ବନବାସ ଗଲେ ।