ବହୁ-ବହୁ କାଳ ତଳେ ଏକ ରାଜ୍ୟ ଥିଲା । ତା’ର ନାମ କନକ ଉପତ୍ୟକା । ତାକୁ ପ୍ରସ୍ତ ପ୍ରସ୍ତ ଉଚ୍ଚରୁ ଉଚ୍ଚତର ପର୍ବତ ବେଢି ରହିଥିଲା । ଘନ ଅରଣ୍ୟ ପର୍ବତମାଳାକୁ ଆବୋରି ରହିଥିଲା । ଉଚ୍ଚତମ ପର୍ବତ ଶିଖରରେ ଥିବା ଗଛଲତାମାନେ ସତେ ଅବା ମେଘମାଳାଙ୍କ ବୁକୁରେ ଗେହ୍ଲା ଶିଶୁଙ୍କ ଭଳି ମୁଣ୍ଡ ଗୁଞ୍ଜି ନିଦରେ ଶୋଇ ରହୁଥିଲେ!
ମେଘମାନେ ସତରେ ସେ ଉପତ୍ୟକାକୁ ଭଲ ପାଉଥିଲେ । ସେମାନଙ୍କ ଆଗମନରେ ମୟୁରମାନେ ଅକ୍ଳାନ୍ତ ନାଚୁଥିଲେ । ବର୍ଷା ହେଲେ ପର୍ବତମାଳା ଭିତରେ ଝରଣାମାନ କିଏ ବା ରୁପେଲି ଫିତା ଭଳି ତ କିଏ ବା ସିଂହର ସୁନେଲି କେଶରାଶି ଭଳି ଘନ ଘନ ମେଘଡମ୍ବୁରୁ ସହ ତାଳଦେଇ ଝରି ଆସୁଥିଲେ ।
ଲୋକେ ସୁଖରେ ଥିଲେ । ଖାଲି ଯେଉଁମାନେ ହିଂସ୍ର ଶୀକାରୀ ଭଳି ସୁଖ ପଛରେ ଦୌଡୁଥିଲେ, ସେହିମାନଙ୍କ ମୁହଁରେ ସୁଖର ଆଭାସ୍ ନଥିଲା । ସେମାନେ ହେଲେ ରାଜା ଓ ତାଙ୍କ ଅମାତ୍ୟବର୍ଗ ।
ପ୍ରଜାଙ୍କ ସୁଖ ସୁବିଧା ଲାଗି ‘ବିଜ୍ଞ ମଣ୍ଡଳି’ ନାମ ଦେଇ ରାଜା ଗୋଟିଏ ସମିତି କରିଥିଲେ । ପ୍ରଥମ ବୈଠକରେହିଁ ସଦସ୍ୟମାନେ ଯେଉଁ ସର୍ବସମ୍ମତ ପ୍ରସ୍ତାବଟି ଗ୍ରହଣ କଲେ, ତାହାହେଲା, “ରାଜାଙ୍କ ସୁଖରେ ପ୍ରଜାଙ୍କ ସୁଖ” । ରାଜା ମୁଗ୍ଧ ହେଲେ ଓ ‘ବିଜ୍ଞ ମଣ୍ଡଳି’ର ନାମ ବଦଳାଇ ‘ଅତିବିଜ୍ଞ ମଣ୍ଡଳି’ ରଖିଲେ । ଦ୍ୱିତୀୟ ବୈଠକରେ ଅତିବିଜ୍ଞମାନେ ସ୍ଥିର କଲେ କି ରାଜାଙ୍କ ସୁଖ ପାଇଁ ନିତ୍ୟ ନୂତନ ବ୍ୟବସ୍ଥା ହେବା ଉଚିତ୍ । ସେ ଦିଗରେ ଏକ ଅଭିନବ ପଦକ୍ଷେପ ରୂପେ ଦରବାରୀ ଗାୟକମାନଙ୍କୁ ଶୀର୍ଷାସନ କରୁଥିବା ଅବସ୍ଥାରେ ଗୀତ ବୋଲିବାର ନିର୍ଦ୍ଧେଶ ଦିଆଗଲା । ଫଳ ଭଲ ହେଲା । ରାଜା ହସିଲେ ।
ଉପତ୍ୟକାର ଅଧିବାସୀମାନେ ଥରେ ଥରେ ରାଜନଅର ପଶ୍ଚାତରେ ଥିବା ପର୍ବତମାଳା ଆଡେ ଦୃଷ୍ଟିପାତ କରି ଦୀର୍ଘନିଃଶ୍ୱାସ ପକାଉଥାନ୍ତି । ପିତା ପିତାମହଙ୍କଠୁଁ ସେମାନେ ଏକ କିମ୍ବଦନ୍ତି ଶୁଣିଥାନ୍ତି । ଏକଦା ସେ ରାଜ୍ୟର ତରୁଣ ରାଜା ସ୍ୱୟଂ ଜଣେ ଶିଳ୍ପୀ ତଥା ସାଧକ ଥିଲେ । ଅରଣ୍ୟମୟ ପର୍ବତମାଳା ଭିତରେ ଧ୍ୟାନସ୍ଥ ଥାଇ ସେ ଥରେ ଜାଣିବାକୁ ପାଇଥିଲେ କି ତହିଁ ଭିତରେ ଏକ ସୁନାର ପାହାଡ ଲୁଚି ରହିଛି । ସେ କିଛି ସୁନା ଆଣି ଗୋଟିଏ ସୁନ୍ଦର ପ୍ରତିମା ଗଢିଥିଲେ । ତାକୁ ଅଳ୍ପ କେତେଜଣ ଦେଖିଥିଲେ । ସେମାନେ କହୁଥିଲେ, ସେ ନାରୀ ମୂର୍ତ୍ତିର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ, ଅତୁଳନୀୟ ।
ତରୁଣ ଶିଳ୍ପୀ-ରାଜା ସେ ମୂର୍ତ୍ତିକୁ ଜନସାଧାରଣଙ୍କ ଆଗରେ ଉଦଘାଟନ କରିବା ନିମନ୍ତେ ଏକ ଶୁଭ ପ୍ରଭାତ ନିର୍ଣ୍ଣୟ କରିଥିଲେ । କିନ୍ତୁ ହାୟ, ସେତେବେଳକୁ ତାଙ୍କ କନକ ଉପତ୍ୟକାର ସୁଖମୟ ଜୀବନ ଉପରେ ଯବନିକା ନଇଁ ଆସୁଥିଲା । ସିଂହାସନ ତଥା ସୁନା ପାହାଡ ପାଇଁ ଲୋଭାତୁର ହୋଇ ତାଙ୍କ ମନ୍ତ୍ରୀ ପ୍ରତିବେଶୀ ରାଜା ସହ ଷଡଯନ୍ତ୍ର କରି ନିଶାର୍ଦ୍ଧରେ ହଠାତ୍ ନୀରବ ନଅର ଉପରେ ଚଢଉ କଲା ।