ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ଆପଣା କାନ୍ଧରେ ପକାଇ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ, ଏତେ ଭୟଙ୍କର ବାତାବରଣ ମଧ୍ୟରେ, ଶ୍ମଶାନର ଅନେକ ଭୂତପ୍ରେତଙ୍କର ମଧ୍ୟରେ, ତୁମେ ଯେ ନିର୍ଭୀକ ହୋଇ ଆଗେଇ ଚାଲିଛ, ତୁମେ ନିଶ୍ଚୟ ପ୍ରଶଂସାର ପାତ୍ର । ତୁମେ ଥକା ହେଉ ନାହଁ, ମୁହଁରେ କୌଣସି ଦୁଃଖକଷ୍ଟର ଭାବ ମଧ୍ୟ ନାହିଁ । ମନେ ହେଉଛି ତୁମର ମନୋବଳ ଅପାର । କିନ୍ତୁ ମୁଁ ବୁଝିପାରୁନାହିଁ ଯେ କେଉଁ ଲକ୍ଷ୍ୟ ସାଧନ ପାଇଁ ତମେ ଏତେ କଷ୍ଟ ସହୁଛ? କେହି କେହି ଅଲୌକିକ ଶକ୍ତି ପାଇଁ ଏସବୁ କରନ୍ତି; ଆଉ କେହି କେହି ମଧ୍ୟ ବ୍ୟର୍ଥ ପ୍ରୟାସ କରନ୍ତି; ଏହି ପରିପ୍ରେକ୍ଷୀରେ ତୁମକୁ ମୁଁ ଚନ୍ଦ୍ରସେନଙ୍କ କାହାଣୀ କହୁଛି । ମନଦେଇ ତାହା ଶୁଣ । ଯାହା ଫଳରେ କି ତୁମର ଶ୍ରମଭାର ଲାଘବ ମନେ ହେବ । ଏତିକି କହିସାରି ସେ ବେତାଳ ଗପିଲା –
ଚକ୍ରପୁର ରାଜ୍ୟର ରାଜା ଚନ୍ଦ୍ରସେନ ଥରେ ଶିକାର କରିବାକୁ ବଣକୁ ଯାଇଥିଲେ । ବଣରେ ହଠାତ୍ ସେ ରାସ୍ତା ଭୁଲିଗଲେ । ତୃଷ୍ଣାରେ ଅସ୍ଥିର ହୋଇ ବୁଲୁବୁଲୁ ସେ ଗୋଟିଏ ଆଶ୍ରମ ଦେଖିଲେ । ତାହା ଋଷି ପ୍ରଦୀପଙ୍କର ଆଶ୍ରମ ଥିଲା । ଜଳପାନ କରି ରାଜା ସୁସ୍ଥ ହେଲେ । ରାଜା କହିଲେ, “ମୋ ନାମ ଚନ୍ଦ୍ରସେନ, ମୁଁ ଏହି ଦେଶର ରାଜା । ଆପଣ କିଏ? ଏବଂ କେତେଦିନ ଧରି ଆଶ୍ରମ କରି ଏଠାରେ ରହିଛନ୍ତି?”
ପ୍ରଦୀପ କହିଲେ, “ମୁଁ ମଧ୍ୟ ଏକଦା ଜଣେ ରାଜା ଥିଲି; ମୋ ପ୍ରଜାମାନେ ସୁଖରେ ରହିବେ ବୋଲି ଅପରାଧିମାନଙ୍କୁ ମୁଁ କଠୋର ଦଣ୍ଡ ଦେଉଥିଲି । ଅକସ୍ମାତ୍ ମୁଁ ଅସୁସ୍ଥ ହୋଇ ପଡିଲି । ବୈଦ୍ୟମାନେ କେହି ମୋର ରୋଗ ଭଲ କରି ପାରିଲେ ନାହିଁ । ଦିନେ ଜଣେ ମହାତ୍ମା ମୋତେ ଦେଖିବାକୁ ଆସିଲେ । ସେ କହିଲେ, “ଅପରାଧିଙ୍କୁ ତାଙ୍କୁ ଅପରାଧ ଅନୁସାରେ ଦଣ୍ଡ ନଦେଇ ଅଧିକ ଦଣ୍ଡ ଦେବାର ପାପ ଯୋଗୁଁ ତୁମେ ରୋଗଗ୍ରସ୍ଥ ହୋଇଛ । ବନକୁ ଯାଇ ତପସ୍ୟା କରି ନିଜ ପାପର କ୍ଷାଳନ କର ।”
କିଛି ଦିନ ପରେ ମୁଁ ମୋ ଭାଇକୁ ରାଜ୍ୟ ଭାର ଦେଇ ମୋ ସ୍ତ୍ରୀକୁ ନେଇ ବନକୁ ଚାଲିଗଲି । ବହୁଦିନ ତପସ୍ୟା କରିବା ପରେ ରୋଗର ପ୍ରଭାବ ବହୁତ କମିଗଲା । କିନ୍ତୁ ପୁଣି ଫେରିଯାଇ ରାଜ୍ୟ ଶାସନ କରିବାକୁ ମୋର ଆଉ ଇଚ୍ଛା ହେଲା ନାହିଁ । ମୋ ଭାଇର ମନରେ ସନ୍ଦେହ ହେବାରୁ ସେ ମୋତେ ହତ୍ୟା କରିବା ପାଇଁ ଦୁଇଜଣ ସୈନିକଙ୍କୁ ଏଠାକୁ ପଠାଇଥିଲା । ସେମାନେ ଆସିଥିଲେ; ହେଲେ ମୋତେ ମାରିପାରିଲେ ନାହିଁ । ସେମାନେ ସମସ୍ତ ସତ୍ୟ ମୋତେ କହିପକାଇଲେ । ସେହି ଦିନଠାରୁ ମୁଁ ଅନେକ ସ୍ଥାନ ଜଙ୍ଗଲରେ ବୁଲି ବୁଲି ଅଳ୍ପ କେତେଦିନ ହେବ ଏଠାରେ ପହଁଚି କୁଟୀର ବନାଇ ରହୁଛି । ସେମାନେ ମୋ ଭାଇକୁ ମିଛରେ କହିଲେ କି କୌଣସି ଭୟଙ୍କର ଜନ୍ତୁ ମୋତେ ଖାଇଦେଇଛି । ସେମାନଙ୍କ କଥା ଶୁଣି ସେ ଚୁପ୍ ହୋଇ ରହିଲା । ଅଧିକାର ପ୍ରତି ଲୋଭମୋହ ଦେଖି ମୋର ବିରକ୍ତିବୋଧ ଆସିଲା । ଯେଉଁ ଭାଇକୁ ଭଲ ପାଇ ମୁଁ ତାକୁ ମୋ ରାଜ୍ୟଭାର ଦେଇ ଆସିଲି, ଶେଷରେ ସେହି ଭାଇ ମୋତେ ମାରିବା ପାଇଁ ସବୁ ପ୍ରକାର ଚେଷ୍ଟା କଲା । ତେଣୁ ମୁଁ ମୋ ଜୀବନକୁ ସାର୍ଥକ କରିବା ପାଇଁ ଏବେ ହିମାଳୟ ଯିବାକୁ ଚାହୁଁଛି ।”