(ସୂର୍ଯ୍ୟଦେବତାଙ୍କ ପଶୁମାନଙ୍କୁ ରୂପଧରଙ୍କ ବାରଣ ସତ୍ତ୍ୱେ ତାଙ୍କ ଅନୁଚରମାନେ ମାରି ଖାଇଲେ । ସେହି ପାପ ଯୋଗୁଁ ସେମାନେ ନୌକା ସହିତ ବୁଡିମଲେ । ରୂପଧର ଏକମାତ୍ର ବଂଚିଲେ ଓ ଭାସିଭାସି କୌଣସି ଏକ ତୀରରେ ଆସି ଲାଗିଲେ । ସେଠାରେ ସେହି ଦେଶର ରାଜକୁମାରୀ ବାରୁଣୀଙ୍କ ସହିତ ତାଙ୍କର ଦେଖା ହେଲା । ତାଙ୍କରି ସହାୟତା ଯୋଗୁଁ ସେ ରାଜଭବନରେ ପହଁଚି ଆଶ୍ରୟ ପାଇଲେ । ରାଜା କଥା ଦେଲେ କି ତାଙ୍କୁ ସେ ସବୁପ୍ରକାରରେ ସୁବିଧା ସହଯୋଗ କରିବେ, ସେଦିନ ରାତିରେ ଏତେଦିନ କଷ୍ଟକର ଜୀବନ ବିତାଇବା ପରେ ସେ ଆରାମ୍ରେ ଶୋଇଗଲେ । ଶ୍ରୋତାମଣ୍ଡଳୀ ଏଣିକି ଆପଣମାନେ ଆଗକୁ ପଢନ୍ତୁ..)
ପରଦିନ ସକାଳେ ବୁଦ୍ଧିମାନଙ୍କ ସହିତ ରୂପଧର ମଧ୍ୟ ଆସିଲେ । ଦୁହେଁ ମିଶି ରାଜସଭାକୁ ଆସିଲେ ସେହି ସଭାଭବନ ବନ୍ଦର ପାଖରେହିଁ ହୋଇଥିଲା । ସେଥିରେ ଶଙ୍ଖମଲମଲ୍ ପ୍ରସ୍ତରର ଦୁଇଟି ବସିବାସ୍ଥାନ ଥିଲା । ରାଜା ଗୋଟିକରେ ନିଜେ ବସିଲେ ଓ ଅନ୍ୟଟିରେ ରୂପଧରଙ୍କୁ ବସାଇଲେ । ଏଥିମଧ୍ୟରେ ରାଜାଙ୍କର ଜଣେ ଦୂତ ରୂପଧରଙ୍କ ଯାତ୍ରାପାଇଁ ଆବଶ୍ୟକୀୟ ସବୁକିଛି ଯୋଗାଡ କରିବାକୁ ନଗରକୁ ଗଲା । ସେ ସମସ୍ତିଙ୍କୁ ଖବର ଦେଲା କି ଜଣେ ଅପୂର୍ବ ବ୍ୟକ୍ତି ରାଜାଙ୍କ ପାଖକୁ ଆସିଛନ୍ତି; ଏକଥା ଶୁଣିବା ମାତ୍ରେ ତାଙ୍କୁ ଦେଖିବାପାଇଁ ନଗରର ପ୍ରମୁଖ ବ୍ୟକ୍ତିମାନେ ରାଜାଙ୍କ ନିକଟକୁ ଆସିଲେ । ଦେଖୁ ଦେଖୁ ସମସ୍ତେ ଆସନରେ ବସିଲେ । ରାଜା ସେମାନଙ୍କୁ କହିଲେ, “ସଭାଜନ, ମୋ ନିକଟରେ ଆସୀନ ଏହି ନୂତନ ବ୍ୟକ୍ତି ଜଣକ ମୋର ଅତିଥି । ମୁଁ ତାଙ୍କର ପରିଚୟ ଜାଣେ ନାହିଁ । ସେ ସମୁଦ୍ର ଭିତରୁହିଁ ଆସିଛନ୍ତି । ସେ ପଶ୍ଚିମରୁ ବା ପୂର୍ବରୁ ତାହା ମଧ୍ୟ ମୁଁ ଜାଣେ ନାହିଁ ।”
ସେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଆମର ସାହାଯ୍ୟ ଭିକ୍ଷା କରୁଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମଧ୍ୟ କଥା ଦେଇ ଦେଇଛି । କାରଣ ବିଦେଶାଗତ ଅସହାୟ ବ୍ୟକ୍ତି ମୋର ସହାୟତା ଚାହିଁଲେ ମୁଁ ସର୍ବଦା ଯତ୍ପରୋନାସ୍ତି ଚେଷ୍ଟା କରେ । କାରଣ ତାହା ତ ମୋର ଧର୍ମ । ଆଜି ପର୍ଯ୍ୟନ୍ତ କୌଣସି ଅତିଥିଙ୍କୁ ମୁଁ ଫେରାଇ ନାହିଁ । ତେଣୁ ଆମର ପରମ୍ପରା ଓ ଶାସନନୀତି ଅନୁସାରେ ଆମେମାନେ ଏହି ବିଦେଶାଗତ ଅତିଥିଙ୍କୁ ନିଶ୍ଚୟ ସାହାଯ୍ୟ କରିବା ।”
ଗୋଟିଏ ନୂତନ ନୌକା, ବାଉନ୍ଜଣ, ନାବିକଙ୍କ ସମେତ, ଆମେ ତାଙ୍କୁ ଦେବା । ଏବେ ସମସ୍ତେ ତାଙ୍କ ସମ୍ମାନାର୍ଥେ ଏଠାରେ ଏକତ୍ର ଭୋଜନ କରିବା ଓ ଆନନ୍ଦ କରିବା । ସେହି ଉପଲକ୍ଷେ ଜଣେ ସଙ୍ଗୀତଜ୍ଞଙ୍କୁ ଡାକିଆଣ ଯିଏ କି ତା’ ସୁମଧୁର ସ୍ୱରରେ ଗୀତ ଗାଇ ଆମର ଚିତ ବିନୋଦନ କରିବ ।”
ରାଜା ବୁଦ୍ଧିମାନଙ୍କ କଥା ଅନୁସାରେ ବାଉନ୍ଜଣ ନାବିକ ଗୋଟିଏ ନୂତନ ନୌକା ନଦୀତଟରେ ବାନ୍ଧି ଦେଇ ପ୍ରସ୍ତୁତ ରହିଲେ । ଜଣେ ସଙ୍ଗୀତଜ୍ଞ ମଧ୍ୟ ରାଜଭବନକୁ ଗାଇବା ପାଇଁ ଆସିଲେ । ରାଜଭବନରେ ଅତିଥି ଭରପୁର ଖିଆପିଆ ସଂଗୀତ ସବୁକିଛି ବଡ ଧୁମ୍ଧାମ୍ରେ ଚାଲିଥାଏ । ଗୀତ ଗାଇବା ପାଇଁ ଏକ ସୁନ୍ଦର ଅନ୍ଧଯୁବକ ସେଠାରେ ଆସି ଉପସ୍ଥିତ ହେଲେ ।