ସହସ୍ର ବର୍ଷ ତଳର କଥା । କାଶ୍ମୀର ଦେଶର ଏକ ନଗରୀ ସମୀପରେ ଏକ ପାହାଡ ଥିଲା । ସେହି ପାହାଡରେ ଏକ ମହଲ ତିଆରି କରି ଜଣେ ରାକ୍ଷସ ସେଠାରେ ବାସ କରୁଥିଲା । ରାକ୍ଷସମାନଙ୍କର ବୁଦ୍ଧି କମ୍ ହେଲେ କ’ଣ ହେବ, ସେମାନେ କିନ୍ତୁ ଖୁବ୍ ବଳଶାଳୀ ଥିଲେ । ଏହି କାରଣରୁ ସାଧାରଣ ମନୁଷ୍ୟ ସେମାନଙ୍କୁ ଖୁବ୍ ଭୟ କରୁଥିଲେ । ସେମାନେ ମଣିଷଙ୍କ ଉପରେ ଅତ୍ୟାଚାର କରି, ସେମାନଙ୍କୁ ଭୟଭୀତ କରି ନିଜର ଭରଣପୋଷଣ କରୁଥିଲେ । ତାଙ୍କର ସମ୍ମୁଖୀନ ହେବାପାଇଁ କାହାର ହେଲେ ମଧ୍ୟ ସାହସ ବା ଧୈର୍ଯ୍ୟ ନ ଥିଲା । ତେଣୁ ସେମାନେ ନିଦ୍ୱର୍ନ୍ଦ୍ୱରେ ନିଜର ଅତ୍ୟାଚାର ଚଳେଇଥିଲେ । ଯଦି କେହିବା ତାଙ୍କର ବିରୋଧ କରୁଥିଲେ, ସେମାନଙ୍କୁ ଏହି ରାକ୍ଷସମାନେ ମାରି ପକାଉଥିଲେ । କ୍ରମଶଃ ଏହି ରାକ୍ଷସମାନଙ୍କର ସଂଖ୍ୟା କମି ଆସିଲା ଓ ପରେ ସେମାନେ ସମୂଳେ ନିଶ୍ଚିହ୍ନ ହୋଇଗଲେ । କେତେକ ବୁଦ୍ଧିମାନ୍ ମଣିଷଙ୍କର ସାହସ ଓ ପ୍ରତ୍ୟୁପନ୍ନମତିତାରୁ ଏହା ସମ୍ଭବ ହେଲା ।
କାଶ୍ମୀରର ଏହି ରାକ୍ଷସ ନିଜର ଅସୀମ ବଳ ଦ୍ୱାରା ଆଖପାଖର ମଣିଷମାନଙ୍କୁ ଭୟଭୀତ କରି ରଖିଥିଲା । ବହୁ ଧନ ସମ୍ପତ୍ତି ଲୁଟି ଆଣି ସେ ଠୁଳ କରିଥିଲା । ରାକ୍ଷସ ଲୋକମାନଙ୍କୁ ମାରି ପକାଇବାରେ କି ଧନ ସମ୍ପତ୍ତି ଲୁଟି ଆଣିବାରେ ସେଠିକାର ଲୋକମାନେ ଯେତେ ଦୁଃଖ ପାଉ ନ ଥିଲେ, ତା’ଠାରୁ ସେମାନେ ଅଧିକ ଦୁଃଖିତ ହେଉଥିଲେ ଯେତେବେଳେ ସେ ନଗର ମଧ୍ୟକୁ ପ୍ରବେଶ କରି କାହାକୁ କହେ, “ମୁଁ ତୋର ଝିଅକୁ ବିବାହ କରିବି ।” ସେହି ବ୍ୟକ୍ତି ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ନିଜ ଝିଅକୁ ତା’ ହାତରେ ଦେଇଦିଏ । କିନ୍ତୁ ସେହି ଝିଅ ଆଉ ବେଶୀ ଦିନ ବଂଚି ରହିପାରେ ନାହିଁ । ତା’ପରେ ସେ ରାକ୍ଷସ ଆସି ଆଉ ଗୋଟିଏ ଝିଅକୁ ନିଜ ପତ୍ନୀ ରୂପେ ନେବାପାଇଁ ଧମକ ଦିଏ । ଏହି କାରଣରୁ ସେଠିକା ନଗରବାସୀ, ବିଶେଷ କରି ଅବିବାହିତା କନ୍ୟାମାନେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥାଆନ୍ତି ।
ଏହିପରି ଚବିଶି ଜଣ ପତ୍ନୀଙ୍କୁ ମାରି ସାରିବା ପରେ ସେ ପଚିଶତମ ପତ୍ନୀ ସନ୍ଧାନରେ ନଗର ଅଭିମୁଖେ ବାହାରିଲା । ଜଣେ ଦରିଦ୍ର କୃଷକ ତା’ର କ୍ଷେତରେ କାମ କରୁଥାଏ । ରାକ୍ଷସ ତା’ ନିକଟକୁ ଯାଇ କହିଲା, “ମୁଁ ତୋ’ର ଝିଅକୁ ବିବାହ କରିବି । ଏହା ଶୁଣିବା ମାତ୍ରେ ସେ କୃଷକ ଜଣକ ଅତ୍ୟନ୍ତ ଭୟଭୀତ ହୋଇ ଆଉ କିଛିବି କହି ପାରିଲା ନାହିଁ । ତା’ର ମଲ୍ଲିକା ନାମରେ ଗୋଟିଏ ଝିଅ ଅଛି । ବିବାହ ଯୋଗ୍ୟା ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ତା’ର ବିବାହ କରି ପାରି ନ ଥିଲା ।”
“ମୁଁ କାଲି ରାତିରେ ତୁମ ଘରକୁ ଭୋଜନ ନିମନ୍ତେ ଆସିବି । ସେତେବେଳେ ବିବାହ କଥା ସ୍ଥିର କରି ଦେବ ।” ଏପରି କହି ସେ ରାକ୍ଷସ ସେଠାରୁ ଚାଲିଗଲା ।
ଘରକୁ ଆସି ସେହି କୃଷକ ନିଜ କନ୍ୟାକୁ ସବୁକଥା ଜଣାଇଲା କିନ୍ତୁ ମଲ୍ଲିକା ସବୁକଥା ଶୁଣିବା ପରେ ମଧ୍ୟ ତିଳେମାତ୍ର ମଧ୍ୟ ଭୟ କଲେ ନାହିଁ । ପିତାଙ୍କୁ ସେ କହିଲା, “ମୁଁ ଯେପରି କହିବି, ତୁମେ ଠିକ୍ ସେପରି କରିବ । ଏହାଦ୍ୱାରା ଆମେ ହୁଏତ ସେ ରାକ୍ଷସ କବଳରୁ ବର୍ତ୍ତିଯାଇ ପାରିବା । ନଚେତ୍ ରାକ୍ଷସ ଏହି ବିବାହ ପ୍ରସ୍ତାବରେ ରାଜି ନ ହୋଇ ଏଠୁ ଚାଲିଯାଇପାରେ । କିନ୍ତୁ ପ୍ରସ୍ତାବରେ ସମ୍ମତ ହେଲେ ମଧ୍ୟ, ମୋର ଉପାୟ ଅନୁଯାୟୀ ତୁମକୁ ଦାରିଦ୍ର୍ୟର ଏ କଷଣରୁ ସବୁଦିନ ପାଇଁ ରକ୍ଷା ମିଳିବ ।”
ମଲ୍ଲିକାର ପରାମର୍ଶ ଅନୁଯାୟୀ, ତା’ର ପିତା ନିଜ ପାଖରେ ଯେତେ ଅର୍ଥ ଥିଲା, ତାହା ଖର୍ଚ୍ଚ କରି ବହୁତ ଗୁଡିଏ ଠେକୁଆ କିଣିଲେ । ଗୋଟିଏ ସୁରେଇ ଅଙ୍ଗୁର ରସ ଆଣିଲେ । ମଲ୍ଲିକା ଆଖପାଖ ପଡୋଶୀଙ୍କ ଠାରୁ ଅନେକ ଗୁଡିଏ ସୁନ୍ଦର ସୁନ୍ଦର ହାତବୁଣା ଲୁଗା ଆଣିଲା । ତାହା ସବୁ ଖାଦ୍ୟ ପଦାର୍ଥ ନିକଟରେ ସେ ରଖିଦେଲା । ରାକ୍ଷସ ଆସିବା ବେଳକୁ ଅତି ସ୍ୱାଦିଷ୍ଟ ଠେକୁଆ ମାଂସ ତରକାରୀ ହେଲା । ରାକ୍ଷସର ଭୋଜନ ସ୍ଥଳୀରେ ଗୋଟିଏ ପାତ୍ରରେ ମାଂସ ଓ ସୁରେଇରେ କିଛି ଅଙ୍ଗୁର ରସ ମଦିରା ରଖାଗଲା ।