ସୀତା ଅଶୋକ ବନରେ ନିରତ ଅଶ୍ରୁମୋଚନ କରି କରି ଓ ଶ୍ରୀରାମଙ୍କ କଥା ଭାବି ଭାବି ଦୁଃଖରେ ବସି ରହିଥିଲେ । ରାକ୍ଷସୀମାନେ ତାଙ୍କୁ ଘେରି ରହିଥା’ନ୍ତି । ଏତିକିବେଳେ ରାବଣ ଆସି ସେଠାରେ ପହଁଚିଲା । ହସି ହସି ବଡ ଉତ୍ସାହର ସହିତ ସେ କହିଲା, “ସବୁ ନାଟକ ଶେଷ ହୋଇଗଲା; ରାମ ଯୁଦ୍ଧରେ ମରିଗଲା । ଏବେ ବିନା ଦ୍ୱିଧାରେ ତୁମେ ମୋତେ ନିଜ ସ୍ୱାମୀ ରୂପରେ ବରଣ କର । ତୁମେ ମୋର ରାଣୀମାନଙ୍କ ମଧ୍ୟରେ ପାଟରାଣୀ ହେବ । ଏଥର ଶୁଣ ରାମ କିପରି ମଲା । ରାମ ଯେ ବାନର ସେନାଙ୍କ ସହିତ ସାଗର ପାର୍ ହୋଇ ଲଙ୍କାରେ ପ୍ରବେଶ କରିଥିଲା ସେକଥା ସତ୍ୟ । କିନ୍ତୁ ସେମାନେ ତ ଜାତିରେ ବାନର, ପ୍ରଚଣ୍ଡ ବୋକା । ଥକା ହୋଇ ସମସ୍ତେ ଶୋଇ ପଡିଥିଲେ । ପ୍ରହସ୍ତ ସୈନ୍ୟଦଳ ନେଇ ରାତିରେ ହଠାତ୍ ସେମାନଙ୍କୁ ଆକ୍ରମଣ କରି ପ୍ରାୟ ସମସ୍ତିଙ୍କୁ ମାରି ପକାଇଲା ।”
ରାମ ମଧ୍ୟ ଶୋଇ ପଡିଥିଲା । ପ୍ରହସ୍ତ ନିଜ ହାତରେ ତା’ ମୁଣ୍ଡ କାଟିଲା । ବିଭୀଷଣ ଆକାଶମାର୍ଗରେ ପଳାଇ ଯିବାକୁ ଚାହୁଁଥିଲା । ରାକ୍ଷସମାନେ ତାକୁ ମଧ୍ୟ ବାନ୍ଧି ଆଣିଲେ । ଲକ୍ଷ୍ମଣ କିଛି ବାନର ସୈନ୍ୟ ନେଇ ପଳାଇଗଲା । ସୁଗ୍ରୀବ, ଜାମ୍ବବାନ ଆଦି ସମସ୍ତେ ପୂର୍ବରୁହିଁ ମରି ଶୋଇଛନ୍ତି । ଅନେକ ବାନର ସୈନ୍ୟ ମରି ଶୋଇଛନ୍ତି । ଚତୁର୍ଦ୍ଦିଗରେ ମୃତଦେହ ଛଡା ଆଉ କିଛି ହେଲେବି ନାହିଁ । ତା’ପରେ ରାବଣ ଗର୍ଜ୍ଜନ କରି ଜଣେ ରାକ୍ଷସୀକୁ ଆଦେଶ ଦେଲା, “ଶୀଘ୍ର ଯାଇ ବିଦ୍ୟୁତ୍ଜିହ୍ୱକୁ ଡାକିଆଣ । ତା’ ପାଖରେ ରାମର ମୁଣ୍ଡ ଅଛି । ସୀତା ନିଜ ଆଖିରେ ତାହା ଦେଖୁ ।”
ବିଦ୍ୟୁତ୍ଜିହ୍ୱ ତତ୍କ୍ଷଣାତ୍ ରାମଙ୍କର ମୁଣ୍ଡ ଓ ଧନୁ ଧରି ହାଜର୍ ହୋଇଗଲା । ରାବଣ ତାକୁ କହିଲା, “ଶୀଘ୍ର ଏ ମୁଣ୍ଡ ଓ ଧନୁ ନେଇ ସୀତାକୁ ଦେଖାଅ । ସେ ଶେଷଥର ପାଇଁ ତା’ ପତିର ମସ୍ତକକୁ ଦେଖୁ ।”
ବିଦ୍ୟୁତ୍ଜିହ୍ୱ ରାମଙ୍କର ମୁଣ୍ଡକୁ ନେଇ ସୀତାଙ୍କ ପାଖରେ ରଖିଲା । ରାବଣ ଗର୍ଜ୍ଜନ କରି କହିଲା, “ସୀତେ, ତୁମ ପତିର ଏ ଦୁର୍ଦ୍ଦଶା ଦେଖ । ଏହା ପରେ ମଧ୍ୟ ତୁମେ କ’ଣ ମୋତେ ସ୍ୱୀକାର କରିବ ନାହିଁ? ମୋ ପରି ପରାକ୍ରମୀ ଓ ତ୍ରିଭୁବନ ବିଜୟୀ ରାଜା ନିକଟରେ କିଏ ବା ନତମସ୍ତକ ନ ହେବ? ରାମ ଅଯଥା ସାହସ କଲା ଓ ତାହାର ଫଳ ଏହାହିଁ ହେଲା । ଆଉ ତୁମେ ଏଠି ବସି ଆକାଶ କୁସୁମ ତୋଳୁଥାଅ । ଜୀବନରେ ଆଉ ରାମକୁ ତ କେବେବି ପାଇବ ନାହିଁ । ଯିଏ ଗଲା ସେ ଗଲା । ସେ ଏବେ ଅତୀତ ହୋଇ ଗଲାଣି । ତା’କଥା ମନ ମଧ୍ୟରୁ ପୋଛି ଦେଇ ମୋତେ ଭଜନା କର । ଏ ରାକ୍ଷସ ରାଜ୍ୟରେ ମୋ ବ୍ୟତୀତ ତୁମର ନିଜର ବୋଲି ତ ଆଉ କେହିବି ନାହିଁ ।”
ସୀତା ସେହି କଟାମୁଣ୍ଡକୁ ବହୁସମୟ ଧରି ନିରୀକ୍ଷଣ କଲେ । ଦେଖିଲେ ମୁଖ, ବାଳ ସବୁ ଠିକ୍ ରାମଙ୍କ ପରି । ତେବେ ଏ ଦୁର୍ଦ୍ଦଶା ଶ୍ରୀରାମଙ୍କର ହେଲା କିପରି? ଏହି କଥା ଭାବି ସେ ବହୁତ ଜୋର୍ରେ କାନ୍ଦିବାକୁ ଲାଗିଲେ । ସେ କାନ୍ଦି କାନ୍ଦି କହୁଥା’ନ୍ତି ମାତା କୈକେୟୀଙ୍କ କଥାର ଅଳ୍ପ ବ୍ୟତିକ୍ରମରୁ ଆଜି ଏପରି ଦୁର୍ଦ୍ଦଶା ଘଟିଲା । କାନ୍ଦି କାନ୍ଦି ସେ ମୂର୍ଚ୍ଛା ହୋଇଗଲେ । ମୂର୍ଚ୍ଛା ଭାଙ୍ଗିବାରୁ ସେ ରାମଙ୍କ ମଥାକୁ କୋଳରେ ଧରି କାନ୍ଦୁ କାନ୍ଦୁ କହିଲେ, “ଲକ୍ଷ୍ମଣ ଯାଇ ଏହି ଭୟଙ୍କର ଖବର କୌଶଲ୍ୟାଙ୍କୁ ଦେବା ମାତ୍ରେ କୌଶଲ୍ୟାଙ୍କ ହୃଦୟ ଶତଧା ବିଦୀର୍ଣ୍ଣ ହେବ ଓ ତାଙ୍କର ମୃତ୍ୟୁ ହେବ । ଏବେ ଶ୍ରୀରାମଙ୍କର ପବିତ୍ର ସୂର୍ଯ୍ୟବଂଶ ନଷ୍ଟ ହୋଇଯିବ । ଏସବୁ କେବଳ ମୋହରି ପାଇଁ ହେଲା । ଏସବୁ କଥା ଭବିଷ୍ୟତରେ ହେବାର ଅଛି ଜାଣିଥିଲେ ହୁଏତ ରାମ ମୋତେ ଆଦୌ ବିବାହ କରି ନଥା’ନ୍ତେ ।”