ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ ବଣ୍ଟା

ବଦ୍ରିପୁର ଗାଁର ଲକ୍ଷ୍ମଣ ପ୍ରଧାନ ଜଣେ ଥିଲାବାଲା ଲୋକ ଥିଲେ । ସେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଥିବାର ଜାଣି ଦୁଇ ପୁଅ ରମେଶ ଓ ହରିହରକୁ ପାଖକୁ ଡାକି କହିଲେ, “ମୋ ଅନ୍ତେ ତମେ ଦୁହେଁ ମୋ ସମ୍ପତ୍ତିକୁ ଠିକ୍ ସମାନ ଭାବରେ ବାଣ୍ଟିନେବ!”

                ଦୁଇଭାଇ ଆପତ୍ତି କରି କହିଲେ “ବାପା, ଆପଣ ସେଭଳି କଥା କାହିଁକି କହୁଛନ୍ତି? ଆପଣ ତ ଅଛନ୍ତି । ଭାଗବଣ୍ଟା ପ୍ରଶ୍ନ ଉଠୁଛି କାହିଁକି?”

                ଲକ୍ଷ୍ମଣ ପ୍ରଧାନ ଦମ୍ ନେଇ କହିଲେ, “ନା, ମୁଁ ଜାଣିପାରୁଛି ଯେ, ମୋ ପାଖରେ ଆଉ ଅଧିକ ସମୟ ନାହିଁ । ତମେ ଦୁହେଁ ବିବେକୀ ଓ ଭଲ ପିଲା । ତଥାପି ବି ମୁଁ କହି ରଖୁଛି, ସମାନ ଭାବରେ ସମ୍ପତ୍ତି ଭାଗ କରିନେଲେ ଭବିଷ୍ୟତରେ ଆଉ କେହି କିଛି ହେଲେ କହିବାକୁ ଆଦୌ ସାହସ କରିବେ ନାହିଁ ।”

                ଲକ୍ଷ୍ମଣ ପ୍ରଧାନ ତାଙ୍କ ଆଖି ବୁଜିବା ପରେ ଏ ଦୁଇ ଭାଇ ଯଥାବିଧି ତାଙ୍କର ଶ୍ରାଦ୍ଧ ସତ୍କାର କଲେ ଓ ତା’ପରେ ସମ୍ପତ୍ତି ଭାଗ କରିନେଲେ । ସେ ଦୁଇ ଭାଇ ବିବେକୀ ଥିଲେ । ତେଣୁ ଭାଗବଣ୍ଟାରେ କୌଣସି ଅସୁବିଧା ଉପୁଜିବା ତ ଦୂରର କଥା, ବରଂ ମଝିରେ ମଝିରେ ଜଣେ ଭାଇ ଆର ଜଣକୁ କହୁଥାଏ, “ନା, ନା, ତମ ଭାଗ ଟିକେ କମ୍ ହୋଇଯାଉଛି!”

                ଏହିପରି ଭାବରେ କୌଣସି ଅସୁବିଧା ବିନା ଭାଗବଣ୍ଟା କାମ ସୁରୁଖୁରୁରେ ଚାଲିଥାଏ । ଏପରିକି ଗାଁର କୌଣସି ମୁରବୀ ଲୋକଙ୍କ ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ ହେଲା ନାହିଁ । ସବୁ ଶେଷ ହେଲା ।

                ଶେଷକୁ ଗୋରୁ ଗାଇ ଭାଗବଣ୍ଟା ହେବା ବେଳ ଆସିଲା । ଦେଖିବା ବେଳକୁ ତେରଟି ଗୋରୁ । ସମାନ ଭାଗ କିପରି ହେବ? ଦୁଇ ଭାଇ ଥଟ୍ଟାରେ କହିଲେ, “ବଡ ସମସ୍ୟା ହେଲା ତ!” ସେହି ସମୟରେ ବଳିପଣ୍ଡା ସେହି ପାଖଦେଇ ଯାଉଥିଲେ । ଏକଥା ଶୁଣିଦେଇ ସେ କହିଲେ, “ସମସ୍ୟାର ସମାଧାନ ମୁଁ କରିଦେବି । ସମାନ ଭାବରେ ବଣ୍ଟା ହେବା କଥା ତ?”

                ରମେଶ କହିଲା “ହଁ । କିନ୍ତୁ ତମେ ଗୋଟାଏ ଗୋରୁ କାଢି ନେଇ ଯଦି କହିବ ବର୍ତ୍ତମାନ ବାରଟି ଗୋରୁକୁ ସମାନ ଭାବରେ ବାଣ୍ଟି ନିଅ, ତେବେ ହେବ ନାହିଁ!”

                ବଳିପଣ୍ଡା କହିଲେ “ନା, ନା, ମୁଁ ସେମିତି କରିବି ନାହିଁ । ତମ ଗୋରୁ ସଂଖ୍ୟା ଯାହା, ସେଇଆ ରହିବ, ଅଥଚ ମୁଁ ସମାନ ଭାବରେ ବାଣ୍ଟି ଦେବି । ତା’ପରେ ଅବଶ୍ୟ ମୋତେ ପୁରସ୍କାର ହିସାବରେ ତମକୁ ଗୋଟିଏ ଗୋରୁ ଦେବାକୁ ହେବ ।”

ଦୁଇ ଭାଇ କହିଲେ “ତମେ ଆମ ତେରଟି ଗୋରୁରୁ ଗୋଟାଏ ବି କାଢି ନ ନେଇ ସମାନ ଭାବରେ ବାଣ୍ଟିଦେବ? ଏହା ତ ବଡ ଆଶ୍ଚର୍ଯ୍ୟଜନକ ମନେ ହୁଏ! ବେଶ୍ ତମେ ଯଦି ଏହା ସମ୍ଭବ କରିପାରିବ, ତେବେ ବଣ୍ଟା ପରେ ତମକୁ ଆମେ ଗୋଟାଏ ଗୋରୁ ଦେଇଦେବା ।”

“ତମର ମଙ୍ଗଳ ହେଉ । ଅପେକ୍ଷା କର ।” ଏହା କହି ବଳିପଣ୍ଡା ତରତରରେ ଯାଇ ତାଙ୍କର ନିଜର ଗୋଟିଏ ଗୋରୁ ଆଣି ଦୁଇଭାଇଙ୍କ ଗୋରୁପଲରେ ମିଶାଇ ଦେଲେ ଓ ସାତ ସାତ କରି ଭାଗ କରିଦେଲେ ।

ବଳି ପଣ୍ଡା କହିଲେ “ବର୍ତ୍ତମାନ ହେଲା? ତମ ଗୋରୁ ସଂଖ୍ୟା କମି ନାହିଁ, ଅଥଚ ଭାଗ ସମାନ । ବର୍ତ୍ତମାନ ମୁଁ ମୋ ପୁରସ୍କାର ବାବଦରେ ଗୋରୁଟିଏ ନେଲି ଓ ମୋ ନିଜ ଗୋରୁଟି ବି ନେଲି । ତମ ଭାଗ ସମାନ ହେଲା!”

ତାଙ୍କ କଥାରେ ସେ ଦୁଇ ଭାଇ ହସି ଉଠିଲେ ଓ କହିଲେ, “ବେଶ୍ । ତମ ଚାତୁରୀ ପାଇଁ ତମର ଏ ପୁରସ୍କାର ପ୍ରାପ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ