ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହା ପଣ୍ଡିତ

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ଯେତେବେଳେ ତାକୁ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ, ସେତେବେଳେ ଶବସ୍ଥିତ ବେତାଳ କହିଲା, “ରାଜା, କିଏ ଯୋଗ୍ୟ କିଏ ଅଯୋଗ୍ୟ, କିଏ ଜ୍ଞାନୀ କିଏ ଅଜ୍ଞାନୀ, ସେକଥା ନିରୂପଣ କରିବା ଥରେ ଥରେ ଯୋଗ୍ୟମାନଙ୍କ ପକ୍ଷରେ ମଧ୍ୟ କାଠିକର ପାଠ ହୋଇଥାଏ । ତମେ ଜ୍ଞାନୀ ବୋଲି ଏଭଳି ପରିଶ୍ରମ କରୁଛ ନା ଅଜ୍ଞାନୀ ବୋଲି, ସେକଥା ତ ମୁଁ ଜାଣେନା । ତେବେ ତମକୁ ଜ୍ଞାନୀ ଅଜ୍ଞାନୀ ଉପରେ ମୁଁ ଗୋଟାଏ କାହାଣୀ କହୁଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଗପିଲା: କାନ୍ତିବର୍ମା ସୁକାନ୍ତି ନଗରୀରେ ରାଜୁତି କରୁଥିଲେ । ତାଙ୍କର ଦୁଇଟି ରାଣୀ ଥିଲେ । ବଡ ରାଣୀଙ୍କ ପୁଅ ବିଜୟବର୍ମା ତାଙ୍କ ଶିଶୁ କାଳରୁ ନିଜର ବୁଦ୍ଧି ତଥା ବିନୟ ବୋଧ ଦ୍ୱାରା ସମସ୍ତଙ୍କ ହୃଦୟ ଜୟ କରିଥାନ୍ତି । କିନ୍ତୁ ସାନ ରାଣୀଙ୍କ ଠାରୁ ଅତ୍ୟନ୍ତ ସ୍ନେହ ପାଇ ତାଙ୍କ ପୁଅ ଅଜୟ ମୋଟେ ପାଠପଢାରେ ମନ ଦେଉ ନଥାନ୍ତି । ସେ ଖାଲି ସବୁ କଥାକୁ ହେୟ ଜ୍ଞାନ କରୁଥାନ୍ତି ।

                ଦିନେ ସାନ ରାଣୀ ରାଜାଙ୍କୁ ଏକାନ୍ତରେ ପଚାରିଲେ, “ଅଜୟ ସମ୍ପର୍କରେ ଆପଣଙ୍କ ଧାରଣା କ’ଣ?” ରାଜା ଉତ୍ତର ଦେଲେ, “ଆମ ଦୁର୍ଭାଗ୍ୟ ଯେ ଅଜୟ ବୁଦ୍ଧିହୀନ । ସଙ୍ଗେ ସଙ୍ଗେ ଆମର ସୌଭାଗ୍ୟ ଯେ ସେ ସାନ ପୁଅ । ସେ ଯଦି ବଡ ହୋଇଥାନ୍ତା, ଅର୍ଥାତ୍ ମୋ ପରେ ସେ ରାଜା ହୁଅନ୍ତା, ତେବେ ବିଷମ ଅବସ୍ଥା ଉପୁଜନ୍ତା ।”

                ସାନ ରାଣୀ ଏକଥା ଶୁଣି ଅତ୍ୟନ୍ତ ବିଷର୍ଣ୍ଣ ହେଲେ ଓ କହିଲେ, “ଆପଣଙ୍କ ବିଚାର ଠିକ୍ ବୋଲି ମୁଁ ଭାବୁ ନାହିଁ । ଅବଶ୍ୟ ଅଜୟକୁ ଅତ୍ୟନ୍ତ ଆଦରଯତ୍ନ କରିବା ଫଳରେ ସେ ଟିକିଏ ଅଖାଡୁଆ ହୋଇଯାଇଛି, କିନ୍ତୁ ଏବେ ମଧ୍ୟ ସମୟ ଅଛି । ତାକୁ ଜଣେ ଉପଯୁକ୍ତ ଗୁରୁ ମିଳିଲେ ସେ ନିଶ୍ଚୟ ବାଟକୁ ଆସିଯିବ । ତା’ ଭିତରେ ଯେପରି ପ୍ରାଣଶକ୍ତି ଅଛି, ସେଥିରେ ସେ ବିଜୟଠୁ ଅଧିକ ବୁଦ୍ଧିମାନ ହେବା ତ କିଛି ଅସମ୍ଭବ ନୁହେଁ ।”

                ରାଜା ଗମ୍ଭୀର ଭାବରେ ଚିନ୍ତା କଲେ ଓ କହିଲେ, “ବଣ ଓ ନଦୀ ମଝିରେ ଋଷି ଦିବ୍ୟାନନ୍ଦଙ୍କ ଗୁରୁକୁଳ ଆଶ୍ରମ ଥିବା କଥା ଜାଣ । ସେ ଜଣେ ଅତ୍ୟନ୍ତ ଦକ୍ଷ ଶିକ୍ଷକ । ନିହାତି ମାନ୍ଦା ବୁଦ୍ଧିଆ ମଧ୍ୟ ତାଙ୍କ ପାଖରେ ଅଧ୍ୟୟନ କରି ସୁଶିକ୍ଷିତ ହେବାର ମୁଁ ଜାଣେ ।”

                ସାନ ରାଣୀ ବହୁତ ଉତ୍ସାହ ଦେଖାଇ କହିଲେ “ତେବେ ଅଜୟକୁ ତାଙ୍କ ପାଖରେ ଛାଡି ଦିଆଯାଉ ।”

                ରାଜା କହିଲେ, “କିନ୍ତୁ ସେ ଗୁରୁକୁଳର ନିୟମ ଶୃଙ୍ଖଳା ଅତ୍ୟନ୍ତ କଡା । ସେଠି ସବୁ ଶିକ୍ଷାର୍ଥୀମାନଙ୍କୁ ସମାନ ଖାଦ୍ୟପେୟ ଦିଆଯାଏ । ସମସ୍ତେ ସାଧାରଣ ଭାବରେ ରହନ୍ତି । ସେଥିପାଇଁ ରାଜପୁତ୍ର ତ ଦୂରର କଥା, କୌଣସି ଧନୀ ବା ସମ୍ଭ୍ରାନ୍ତ ଘରର ପିଲାଏଁ ମଧ୍ୟ ସେଠାରେ ରହନ୍ତି ନାହିଁ ।”

                ସାନ ରାଣୀ ଉତ୍କଣ୍ଠିତ ଭାବରେ ପଚାରିଲେ “ତେବେ?”

                “ଯଦି ସାନ ପୁଅକୁ ମଣିଷ କରିବା ପାଇଁ ଶେଷ ଚେଷ୍ଟା କରିବାକୁ ହେବ, ତେବେ ଅନ୍ୟ ପନ୍ଥା ନାହିଁ ।” ଏହା କହି ରାଜା ଖାଲି ଅଜୟକୁ ନୁହେଁ, ତାଙ୍କ ସହ ବିଜୟକୁ ମଧ୍ୟ ଋଷି ଦିବ୍ୟାନନ୍ଦଙ୍କ ଗୁରୁକୁଳରେ ଛାଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ