ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁପାରିଶ୍ ପତ୍ର

ଚନ୍ଦ୍ର ନାମକ ଜଣେ ଦରିଦ୍ର, ଶିକ୍ଷିତ ଓ ବେକାର ଯୁବକଟିଏ ଥାଏ । ସେ ଶୁଣିଲା ଧନୀ ମାୟା ରାମଙ୍କର ଗୁମାସ୍ତାଟିଏ ଲୋଡା । ସେ ସେହି ଚାକିରିଟି ପାଇବା ଆଶାରେ ମାୟା ରାମଙ୍କୁ ଯାଇ ଦେଖା କଲା । ମାୟାରାମ କହିଲେ, “ତୁମକୁ ରଖିବାରେ ମୋର ତ କୌଣସି ଆପତ୍ତି ନାହିଁ । କିନ୍ତୁ ତୁମ ପୂର୍ବରୁ ଦୁଇଟି ଗୁମାସ୍ତା ମୋତେ ବହୁତ ଠକିଛନ୍ତି । ସପ୍ତାହରେ ମାତ୍ର ଗୋଟିଏ ଦିନ ମୁଁ ସହରକୁ ଜିନିଷପତ୍ର କିଣିବାକୁ ଯାଉଥିଲି । ତେଣୁ ସେହି ଦିନଟି ଗୁମାସ୍ତା ହାତରେ ମୁଁ ମୋ ବ୍ୟବସାୟଟି ଛାଡି ଦେଇ ଯାଉଥିଲି । ଗୁମାସ୍ତା ତ ବ୍ୟବସାୟର ଲାଭ କ୍ଷତି ହିସାବ ରଖୁଥା’ନ୍ତି ସେହି ଗୋଟିଏ ଦିନରେ ସେମାନେ ମୋତେ ଯଥେଷ୍ଟ ଠକନ୍ତି । ତେଣୁ ମୁଁ କିପରି ନିଶ୍ଚିତ ହେବି ଯେ ତୁମେ ମୋତେ ଠକାଇବ ନାହିଁ ବୋଲି? ସେଥିପାଇଁ ମୁଁ ଗୋଟିଏ ନିୟମ କରିଛି ଯେ ଯିଏବି ମୋ ପାଖରେ ରହି ଚାକିରୀ କରିବ ହୁଏତ ସେ ମୋ ପାଖରେ ଏକ ହଜାର ଟଙ୍କା ଜମା ରଖିବ କିମ୍ବା ତିନିଜଣ ଭଦ୍ର ଲୋକଙ୍କର ସୁପାରିସ୍ ପତ୍ର ସେ ଆଣିବ ।”

                ଚନ୍ଦ୍ର ପ୍ରଥମେ ମାୟାରାମଙ୍କୁ ନେଇ ସୁଧଖୋର ଧନୀରାମଙ୍କ ପାଖକୁ ଯାଇ ତାଙ୍କଠାରୁ ହଜାରେ ଟଙ୍କା କରଜ ନେବା ପାଇଁ ନିବେଦନ କଲା । ସେ କହିଲେ, “ଘର ଖଣ୍ଡେ ଛଡା ତୋର ତ ଆଉ କିଛିବି ହେଲେ ନାହିଁ । ମୁଁ କ’ଣ ତୋ ମୁହଁ ଦେଖି ତୋତେ ହଜାରେ ଟଙ୍କା ଦେବି? ଚାକିରୀ ପାଇଲେ ମଧ୍ୟ ଖୁବ୍ ହେଲେ ମାସକୁ ତୁ ଦୁଇଶ ଟଙ୍କା ପାଇବୁ । ସେଥିରେ ନିଜେ ଚଳି କୌଣସି ମତେ ସୁଧଟି କେବଳ ଦେଇ ପାରିବୁ; ମାତ୍ର ତୁ ତୋ ଜୀବନରେ କେବେବି ମଧ୍ୟ ମୂଳଧନ ଶୁଝିପାରିବୁ ନାହିଁ । ମୁଁ କ’ଣ ଏ ଭୁଲ୍ ଜାଣୁ ଜାଣୁ କରିବି । ଅନ୍ୟ କାହା ପାଖରେ ଯାଇ ଚେଷ୍ଟା କର ।”

                ଚନ୍ଦ୍ର ନିରାଶ ହୋଇ ମାୟାରାମଙ୍କୁ କହିଲା, “ଟଙ୍କା କରଜର ହାଲ ତ ଦେଖିଲେ, ଏବେ ଆମେ ସୁପାରିଶ୍ ପାଇଁ ଗ୍ରାମ ମୁଖିଆଙ୍କ ପାଖକୁ ଯିବା ।” ତା’ପରେ ସେମାନେ ସେହି ଗ୍ରାମର ମୁଖିଆ ଗଙ୍ଗାରାମଙ୍କ ପାଖକୁ ଗଲେ । ସବୁକଥା ଶୁଣି ଗଙ୍ଗାରାମ କହିଲେ, “ହଁ, ମୁଁ ତ ତୁମକୁ ଅନେକଥର ରାସ୍ତାରେ ଦେଖିଛି । ମୋ ଚାକର କୁହେ ତୁମେ ଅନ୍ୟାନ୍ୟ ଲଫଙ୍ଗା ପିଲାଙ୍କ ପରି ମୋଟେ ନୁହଁ, ତୁମେ ବହୁତ ଭଲ ପିଲା । କିନ୍ତୁ ତୁମେ ମୋର ଏମିତି କ’ଣ ଘନିଷ୍ଟ ଲୋକ ଯେ ତୁମର ଭଲ ମନ୍ଦ ମୁଁ ଜାଣିବି ଓ ତୁମଲାଗି ସୁପାରିଶ୍ କରିବି?”

                ସେଠାରୁ ନିରାଶ ହୋଇ ସେମାନେ କଟୁଆଳ ପାଖକୁ ଗଲେ । କଟୁଆଳ ସବୁ ଶୁଣି କହିଲେ, “ତୁମକୁ ତ ରାସ୍ତାଘାଟରେ ବୁଲିବାର ମୁଁ ଦେଖିଛି । ତୁମେ ଅତ୍ୟନ୍ତ ଭଲପିଲା ବୋଲି ମୁଁ ଶୁଣିଛି । ହେଲେ ମୁଁ ତା’ଠାରୁ ଅଧିକ କ’ଣ ବା ଜାଣେ ଯେ ନିଶ୍ଚିତ ଭାବରେ ଲେଖି ଦେବି? ତୁମର ଏତେ ସାହସ କେଉଁଠୁ ହେଲା ଯେ ତମେ ପୁଣି ମୋଠାରୁ ସୁପାରିଶ୍ ପତ୍ର ନେବାକୁ ଆସିଛ? ତୁମକୁ ତ ମୁଁ ଆଉ ଏତେ ଘନିଷ୍ଠ ଭାବରେ ଜାଣି ନାହିଁ?” କଟୁଆଳ ଏହା କହିଲେ ଓ ଗ୍ରାମରକ୍ଷୀଙ୍କ ହାତରେ ତାକୁ ଦେଲେ ।

                ଗ୍ରାମରକ୍ଷୀମାନେ ଚନ୍ଦ୍ରକୁ ଦେଖି ପକାଇ କଟୁଆଳଙ୍କୁ କହିଲେ, “ମହାଶୟ, ଇଏ ଆମ ଗ୍ରାମର ସବୁଠାରୁ ଭଲ ପିଲା । ୟାକୁ ଆପଣ କିପରି ଚିହ୍ନି ନାହାଁନ୍ତି? ସେ ଠକ ନୁହେଁ ବିଚାରା ବେକାର ।” ତା’ପରେ ସମ୍ପୂର୍ଣ୍ଣ ବିଫଳ ମନୋରଥ ହୋଇ ଚନ୍ଦ୍ର ଫେରିବା ବାଟରେ ମାୟାରାମଙ୍କୁ କହିଲା, “ଆପଣଙ୍କ କଥା ମୁତାବକ ନା ମୁଁ ଏକହଜାର ଟଙ୍କା କେଉଁଠୁ ଆଣିପାରିଲି ନା ସୁପାରିଶ୍ ପତ୍ର ଯୋଗାଡ କରି ପାରିଲି ।” ଏକଥା ଶୁଣି ମାୟାରାମ କହିଲେ, “ତମେ ଜାଣନାହିଁ ଯେ ସମସ୍ତେ ତୁମକୁ ପ୍ରଶଂସା ମାଧ୍ୟମରେ ସୁପାରିଶ୍ କରିଛନ୍ତି । କାଲିଠାରୁ ତମେ କାମକୁ ଆସ । ଅତେବ ମୁଁ ତୁମ ଉପରେ ସନ୍ତୁଷ୍ଟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ