ପୁରୁଣା କାଳର କଥା । ଜଣେ ରାଜା ଓ ଜଣେ ଚାଷୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଗାଁ ମୁଣ୍ଡରେ ଜଙ୍ଗଲ ପାଖରେ ସେ ଚାଷୀଟିର ଗୋଟିଏ କୁଡିଆ ଥାଏ । ରାଜା ଯେବେ ଯେବେ ଶୀକାର କରିବାକୁ ଯା’ନ୍ତି, ସେ ନିଶ୍ଚିତ ଭାବରେ ଚାଷୀର ଘରକୁ ଯା’ନ୍ତି । ଚାଷୀର ସ୍ତ୍ରୀ ତାଙ୍କୁ ଶକରକନ୍ଦ ଖୁଆଏ । ରାଜା ତାକୁ ବହୁତ ଆନନ୍ଦରେ ଖା’ନ୍ତି ।
ଚାଷୀଟି ଦିନେ ତା’ର କୌଣସି ଏକ କାମ ଯୋଗୁଁ ସହରକୁ ଯିବାକୁ ବାହାରିଲା । ତା’ର ସ୍ତ୍ରୀ ଗୁଡିଏ ଶକରକନ୍ଦ ଗୋଟିଏ ପୁଟୁଳାରେ ବାନ୍ଧି ଚାଷୀ ହାତରେ ତାକୁ ଦେଇ କହିଲା, “ରାଜାଙ୍କୁ ଏ ଖାଦ୍ୟ ଭାରି ଭଲ ଲାଗେ । ତୁମେ ଏସବୁ ନେଇ ରାଜାଙ୍କୁ ଦେବ ।”
ଚାଷୀ ସ୍ତ୍ରୀର କଥା ଶୁଣି ଟିକିଏ ହସିଲା ଓ ପୁଟୁଳାଟି ଧରି ଚାଲିଲା । ରାସ୍ତାରେ ତାକୁ ବଡ ଭୋକ ଲାଗିଲା । ପୁଟୁଳା ଫିଟାଇ ଚାଷୀଟି ଛୋଟ ଶକରକନ୍ଦ ଗୁଡିକ ଖାଇଦେଲା । ଖାଲି ଗୋଟିଏ ମାତ୍ର ବଡ ଶକରକନ୍ଦ ଅବଶିଷ୍ଟ ଥାଏ । ସେ ଭାବିଲା, “ଠିକ୍ ଅଛି, ଏଇଟି ରାଜାଙ୍କ ପାଇଁ ରହିଲା । ଏତେ ବଡ ଶକରକନ୍ଦ ରାଜା ତାଙ୍କ ଜୀବନରେ କେବେବି ଦେଖି ନଥିବେ । ଏଇଟିକୁ ପାଇ ସେ ବହୁତ ଖୁସି ହୋଇଯିବେ ।”
ଚାଷୀଟି କାମ ଶେଷ କରି ଦରବାରରେ ଯାଇ ପହଁଚିଲା । ରାଜାଙ୍କ ପାଖରେ ଏହି ଖବର ପହଁଚିବା ମାତ୍ରେ ସେ ରାଜକାର୍ଯ୍ୟ ଛାଡିଦେଇ ତାକୁ ପାଛୋଟି ନେଇ ଏକାନ୍ତରେ ବସି କଥାବାର୍ତ୍ତା କଲେ । କିଛି ସମୟ ପରେ ଚାଷୀ ଶକରକନ୍ଦଟି ରାଜାଙ୍କୁ ଦେଇ କହିଲା, “ଏହାକୁ ମୋ ସ୍ତ୍ରୀ କେବଳ ଆପଣଙ୍କ ପାଇଁ ପଠାଇଛି । ଆମ ତରଫରୁ ଆମେ ଆପଣଙ୍କୁ ଏହି ଭେଟି ଦେଉଛୁ ଗରୀବ ଲୋକ, ଏହାଛଡା ଆଉ ଅଧିକ ଆମେ କ’ଣ ବା ଦେଇପାରିବୁ?”
ରାଜା ବଡ ସ୍ନେହରେ ସେତକ ସ୍ୱୀକାର କଲେ । ତା’ପରେ ସେ ହସି ହସି ଚାଷୀକୁ କହିଲେ, “ତୁମ ଭେଟି ପାଇଁ ତୁମକୁ ଓ ତୁମ ସ୍ତ୍ରୀକୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ । ଏହାପରେ ସେ ଜଣେ ସିପାହୀକୁ ଡାକି କହିଲେ, ଯାଅ ଏହାକୁ ନେଇ ଧନାଗାରରେ ବଡ ଯତ୍ନରେ ରଖ ଓ ସେଠାରୁ ହଜାରେ ମୋହର ନେଇଆସ ମୁଁ ବି ମୋର ବନ୍ଧୁଙ୍କୁ ଉପହାର ଦେବି ।” ଏଥିଉତାରେ ରାଜା ସେ ଚାଷୀକୁ କହିଲେ, “ଚାଲ ଏବେ ଆମେ ସାଙ୍ଗହୋଇ ଭୋଜନ କରିବା ।”
ଏବେ ଏସବୁ ଖବର ରାଜମହଲରେ ପ୍ରଚାର ହୋଇଗଲା ଯେ ରାଜା ଜଣେ ସାଧାରଣ ଚାଷୀ ସହିତ ଭୋଜନ କରୁଛନ୍ତି ଓ ଏକ ଶକରକନ୍ଦର ବଦଳରେ ତାକୁ ସେ ଏକ ହଜାର ମୋହର ଦେଉଛନ୍ତି । ତେଣୁ ସମସ୍ତେ ଭାବିଲେ ରାଜା ଖୁବ୍ ଦାନୀ ଓ ଛୋଟ ଏକ ଉପହାର ବଦଳରେ ସେ ହଜାର ହଜାର ମୋହର ଦେଇ ଦେଉଛନ୍ତି । ଏକଥା ଶୁଣି ଜଣେ କର୍ମଚାରୀ ସୁନ୍ଦର କାଠ ଘୋଡାଟିଏ କିଣି ରାଜାଙ୍କୁ ତାହା ଭେଟି ସ୍ୱରୂପ ଦେଇ କହିଲା, “ମହାରାଜ, ଏଇ କ୍ଷୁଦ୍ର ଜିନିଷଟିକୁ ଆପଣ ଭେଟି ରୂପେ ଗ୍ରହଣ କରନ୍ତୁ;” ଦରବାରରେ ଭଦ୍ରବ୍ୟକ୍ତିମାନେ ଏସବୁ କୌତୁକ ଦେଖୁଥା’ନ୍ତି ଯେ ରାଜା ଏହାର ବଦଳରେ କ’ଣ ଦେବେ ।
ରାଜା ଘୋଡାଟିକୁ ରଖିଲେ ଓ ଜଣେ ସିପାହୀକୁ ଡାକି କିଛି କହିଲେ । ସିପାହୀ ଧନାଗାରରୁ ପୂର୍ବକଥିତ ଶକରକନ୍ଦଟି ନେଇ ଆସିଲା । ସେଇଟି ରାଜା ଉକ୍ତ କର୍ମଚାରୀଙ୍କୁ ଦେଇ କହିଲେ, “ଏହି ଶକରକନ୍ଦର ମୂଲ୍ୟ ଏକ ହଜାର ମୋହର । ତୁମ ଘୋଡା ବଦଳରେ ମୁଁ ଏହି ମୂଲ୍ୟବାନ ବସ୍ତୁଟି ତୁମକୁ ଅର୍ପଣ କରୁଛି ।”
ରାଜାଙ୍କର ଏଭଳି ବୁଦ୍ଧି ଦେଖି ସମସ୍ତେ ନୀରବ ହୋଇଗଲେ ଓ ଆଶ୍ଚର୍ଯ୍ୟ ମଧ୍ୟ ହେଲେ । ସମସ୍ତେ କହିଲେ, ରାଜାଙ୍କର ସରଳତାର ଅର୍ଥ ଏହା ନୁହେଁ ଯେ ସେ ନିର୍ବୁଦ୍ଧିଆ । ଏହି ଘଟଣା ପରେ ସେ ରାଜାଙ୍କ ଉପରେ ଆଉ କେହି ମଧ୍ୟ ଲାଭ ଉଠାଇବାକୁ ସାହସ କଲେନାହିଁ ।