ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିଆଳ ଓ ଠେକୁଆ

ଜଙ୍ଗଲରେ ସମସ୍ତ ପଶୁ ସଭା କରି ଏହା ସ୍ଥିର କଲେ ଯେ ଜଙ୍ଗଲ ପାଖରେ ଥିବା ଜମିକୁ ଚାଷ କରିବେ । ତେଣୁ ଛୋଟରୁ ବଡ ସମସ୍ତେ ଯାଇ କ୍ଷେତରେ କାମ କଲେ; ହଳ କଲେ, ମାଟି ହାଣିଲେ ଓ ନାନା ପ୍ରକାରର କାମ କଲେ ।

                ସମସ୍ତେ କାମରେ ଲାଗିଥାନ୍ତି । ଖରା ତ ଖୁବ୍ ଟାଣ । ବିଚାରା ଠେକୁଆ ବଡ କ୍ଳାନ୍ତ ହୋଇ ପଡିଲା । କିନ୍ତୁ ଭୟରେ ସେ କାମ ବନ୍ଦ କରୁ ନ ଥାଏ । କାହିଁକିନା କାମ ବନ୍ଦ କଲେ ଅନ୍ୟ ଜନ୍ତୁମାନେ ତାକୁ ନିନ୍ଦା କରି କହିବେ, “ଅଳସୁଆ, ଖଟିବୁ ନାହିଁ, ଖାଲି ଫଳ ଖାଇବୁ ।” ସେଇ ଭୟରେ ଡରରେ ଥରି ଥରି ସେ କାମ କରୁଥାଏ ସିନା ହେଲେ ସୁଯୋଗ ଖୋଜୁଥାଏ କିପରି ସେଠାରୁ ସେ ଖସିଯିବ ।

                ହଠାତ୍ ଗୋଡଟି ଧରି ସେ କୁନ୍ଥେଇଲା; ଅର୍ଥାତ୍ ସେ ତା’ ଗୋଡରେ କିଛି ପଶିବାର ଛଳନା କଲା । ସମସ୍ତେ କାମରେ ବ୍ୟସ୍ତ, ତାକୁ କିଏ ଦେଖୁଛି । ସୁଯୋଗ ପାଇ ସେ ଚୁପ୍ କରି ସେଠୁ ଖସି ଆସି ଗୋଟିଏ ବୁଦାମୁଳକୁ ଚାଲିଗଲା । ସେଇଠୁ ଲୁଚି ଲୁଚି ଆସି ଗୋଟିଏ କୂଅ ପାଖରେ ସେ ପହଁଚିଲା । ସେ କୁଅରେ ଛୋଟ ଚକା ଲାଗିଥାଏ ସେଥିରେ ବଡ ଦଉଡି ଥାଏ । ଦଉଡିର ଦୁଇ ପଟେ ଦୁଇଟି ବାଲ୍ଟି ଲଟକି ଥାଏ ।

                ଗଛ ଛାଇ ଓ କୂଅଟି ଦେଖି ତା’ ଦେହରେ ଟିକେ ଜୀବନ ପଶିଲା । ଡିଆଁଟିଏ ମାରି ସେ ଯାଇ ସିଧା ଗୋଟିଏ ବାଲ୍ଟିରେ ବସିଗଲା । ଠିକ୍ ତା’ ପର ମୁହୂର୍ତ୍ତରେ ସେ ବାଲ୍ଟିଟି ଓଜନ ପାଇ ତଳକୁ ଖସିଲା ଓ ତାହା ପାଣି ପାଖରେ ଯାଇ ରହିଲା । ଏକଥା ଦେଖି ସେ ଅତ୍ୟନ୍ତ ଭୟରେ ଛାନିଆ ହୋଇଗଲା । ତେଣୁ ହଲ୍ଚଲ୍ ନ ହୋଇ ସେ ଚୁପ୍ ହୋଇ ବସି ରହିଲା । ହଲ୍ଚଲ୍ ହେଲେ ସେ କାଳେ ବୁଡିଯିବ ।

                ଶିଆଳ ତ ବୁଦ୍ଧିମାନ ବୋଲି ପ୍ରାୟ ସମସ୍ତେ ଜାଣନ୍ତି । ଠେକୁଆ ପଳେଇଲା କିନ୍ତୁ କେହିବି ତାକୁ ଦେଖି ପାରିଲେ ନାହିଁ । ମାତ୍ର ଶିଆଳ ଦେଖି ନେଇଛି । ତେଣୁ ସେ ମଧ୍ୟ ଠିକ୍ ତା’ ପଛେ ପଛେ ଚୁପ୍ କରି ଖସି ଆସିଲା ଓ ଦୂରରୁ ଦେଖିଲା ସେ ବାଲ୍ଟିରେ ବସି କୁଅ ଭିତରକୁ ଗଲା । ଠେକୁଆ କୁଅ ଭିତରୁ ନ ବାହାରିବାରୁ ଶିଆଳ ଭାବିଲା “ନିଶ୍ଚୟ ସେ କୁଅ ଭିତରେ କିଛି ଲୁଚାଇଛି । ନ ହେଲେ ଏତେ ଡେରି ସେ କାହିଁକି ବା କରନ୍ତା ।” ତେଣୁ ସେ ଚୁପ୍ଚାପ୍ ଯାଇ କୁଅ ଭିତରକୁ ଉଙ୍କି ମାରି ଚାହିଁଲା । ସେ କୁଅଟି ବହୁତ ଗଭୀର ଥିବାରୁ ସେ କିଛି ହେଲେ ମଧ୍ୟ ଦେଖି ପାରିଲା ନାହିଁ ।

                ବଡ ମଧୁର ସ୍ୱରରେ ସେ ପଚାରିଲା, “ଠେକୁ ବାବୁ ତମେ ସେଠି କ’ଣ କରୁଛ କି?” ଠେକୁଆ ମଧ୍ୟ ବଡ ମଧୁର ଭାବରେ କହିଲା, “ଓ ଶିଆଳବାବୁ କି? କଥା କ’ଣ?” ଶିଆଳ ପଚାରିଲା, “ତୁମେ ସେଠି ବସି କ’ଣ କରୁଛ?” ଉତ୍ତର ଆସିଲା “ଏଠାରେ ବହୁତ ମାଛ, ମୁଁ ମାଛ ଧରୁଛି । ତୁମର ଦରକାର ହେଲେ ଅନ୍ୟ ବାଲ୍ଟିରେ ବସି ଆସିଯାଅ ଓ ଏଠୁ ମାଛ ଧର ।”

                ମାଛ କଥା ଶୁଣି ଶିଆଳ ପାଟିରୁ ଲାଳ ବୋହିଲା । ସେ ଆଗପଛ କିଛି ବିଚାର ନ କରି ଏକା ଡିଆଁକେ ଅନ୍ୟ ବାଲ୍ଟିରେ ଯାଇ ବସିଗଲା । ବାଲ୍ଟିଟି ଓଜନ ପାଇ ସଟ୍ ସଟ୍ ତଳକୁ ଖସିଗଲା ଓ ଠେକୁଆର ବାଲ୍ଟିଟି ଉପରକୁ ଆସିଗଲା । ମଝିରେ ଯେତେବେଳେ ସେ ଦୁଇ ବାଲ୍ଟି ଏକ ସଙ୍ଗେ ଥିଲା, ଠେକୁଆ କହିଲା, “ଭାଇ, ତମେ ମାଛ ଧରୁଥା ମୁଁ ଟିକିଏ ବାହାରୁ ବୁଲି ଆସୁଛି ।”

ଠେକୁଆର ବାଲ୍ଟି ଉପରକୁ ଆସିବା ମାତ୍ରେ ସେଥିରୁ ସେ ଚଟାପଟ ବାହାରି ଡିଆଁ ମାରି ପଳାଇଲା । ଶିଆଳ ସେ କୁଅଭିତରେ ବସି ସାରାଦିନ ଚିତ୍କାର କରୁଛି । ଦିନ ଶେଷରେ ସବୁ ଜନ୍ତୁମାନେ ମୁହଁ ହାତ ଧୋଇବାକୁ କୁଅ ମୁଳକୁ ଆସି ଶିଆଳର ଏଭଳି ଦୂରାବସ୍ଥା ଦେଖି ତାକୁ ଉପରକୁ ଉଠାଇଲେ । ଏହିଭଳି ଭାବେ ଶିଆଳ କୌଣସି ମତେ ସେଦିନ ବଂଚିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ