କୌମୁଦୀ ରାଜ୍ୟର ପରିସର ଭିତରେ ବ୍ୟାପକ ଅଂଚଳ ବ୍ୟାପୀ ଗୋଟିଏ ବଣ ଥିଲା । ତାହାର ନାମ ଶାନ୍ତିବନ । ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ । ତାଙ୍କର ଜଣେ ଶିଷ୍ୟ ଥିଲେ । ତା’ର ନାମ ପ୍ରବୋଧ ।
ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ । ଥରେ ଗୁରୁ ଜୀବାନନ୍ଦ କହିଲେ, “ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ । ଦିଅଁ ଦର୍ଶନରେ ଭକ୍ତିଭାବର ଉଦୟ ହୁଏ । ମୋ କଥା ମାନି ତମେ ଥରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ଆସ ।”
ପ୍ରବୋଧ ପଚାରିଲେ “ସେଥିରେ କ’ଣ ଅଧିକା ଲାଭ ହେବ?”
ଗୁରୁ କହିଲେ “ହଁ ବାପା । ଦିଅଁ ଦର୍ଶନ କଲେ ନୟନ ପବିତ୍ର ହେବ । ପୁଣି ଭକ୍ତିଭାବରେ ଉଦ୍ରେକ ହେଲେ ହୃଦୟ ମଧ୍ୟ ନିର୍ମଳ ହେବ ।” ସେ ଗୋଟିଏ ଶୁଭଦିନ ମଧ୍ୟ ନିଶ୍ଚୟ କରିଦେଲେ ।
ଯଥା ସମୟରେ ପ୍ରବୋଧ ଗୁରୁଙ୍କଠାରୁ ବିଦାୟ ନେଇ କାଶୀ ଅଭିମୁଖେ ଯାତ୍ରା କଲେ ।
ପ୍ରାୟ ପାଞ୍ଚଦିନ ଚାଲିବା ପରେ ଦିନେ ତାଙ୍କ ଚଟି ଜୋତା ଛିଡିଗଲା । ଭାଗ୍ୟକୁ ସେ ଗୋଟିଏ ବରଗଛ ମୂଳରେ ଜଣେ ମୋଚି ବସିଥିବାର ଦେଖି ତାକୁ ଜୋତା ମରାମତି କରିବାକୁ ଦେଲେ । ତା’ ସହ କଥା କହି ବୁଝିଲେ, ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ । ସେ ନିଜେ ଗୋଟିଏ କୁଡିଆ ବନାଇ ସେଠି ରହିବାର କାରଣ, ସେ ବାଟ ଅନେକ ଗୁଡିଏ ସହର ଓ ତୀର୍ଥସ୍ଥାନ ସହିତ ସଂଯୁକ୍ତ ହୋଇଥିବାରୁ ସେ ବାଟରେ ଅନେକ ବାଟୋଇ ଯିବା ଆସିବା କରନ୍ତି । ମଧ୍ୟେ ମଧ୍ୟେ ତାକୁ ଜୋତା ସିଲେଇ କରିବା କାମ ମିଳେ । ସେଥିରେ ସେ କୌଣସି ମତେ ଚଳିଯାଏ । ପ୍ରବୋଧଙ୍କ ଜୋତା ସେ ମରାମତି କରିଦେଲା । ପ୍ରବୋଧ ତାକୁ ଖୁସି ହୋଇ ଗୋଟିଏ ମୁଦ୍ରା ଦେଲେ ।
ମୋଚି ଦୋଦୋପାଞ୍ଚ କରି କହିଲା, “ବାବୁ! ମୋଠାରେ ତ ରେଜା ପଇସା ନାହିଁ!”
ପ୍ରବୋଧ କହିଲେ, “ରେଜା ଲୋଡା ନାହିଁ । ତମେ ମୁଦ୍ରାଟି ରଖ ।”
ମୋଚି ଖୁସି ହେଲା ଓ ତାଙ୍କୁ ନମସ୍କାର କଲା । ପ୍ରବୋଧ ତା’ର ମଙ୍ଗଳ କାମନା କଲେ ।
ମୋଚି ପଚାରିଲା, “ବାବୁ, ଆପଣ କୁଆଡେ ଯାଉଛନ୍ତି?” ପ୍ରବୋଧ ଯେତେବେଳେ କହିଲେ କି ସେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି, ମୋଚି ଭକ୍ତି ଗଦ୍ଗଦ୍ କଣ୍ଠରେ କହିଲା, “ବାବୁ, ମୁଁ ଦିନେ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବି, ସେ ଆଶା ନାହିଁ । ଆପଣ ଭାଗ୍ୟବାନ । ଦୟାକରି ଏ ମୁଦ୍ରାଟି ନେଇଯା’ନ୍ତୁ । ମୋ ତରଫରୁ ଦିଅଁଙ୍କୁ ପ୍ରଣାମୀ ଦେବେ ।”
ମୋଚିର ଭକ୍ତିରେ ପ୍ରବୋଧ ଅତ୍ୟନ୍ତ ମୁଗ୍ଧ ହେଲେ । ସେ ମୁଦ୍ରାଟି ନିଜ ଚଦର କାନିରେ ବାନ୍ଧିଲେ ।
ପ୍ରବୋଧ ଦୀର୍ଘ ଦୁଇଦିନ ଧରି ବାଟ ଚାଲିବା ପରେ ଦେଖିଲେ, ଗାଁ ଗଣ୍ଡା ଦେଇ ଗଲେ ତାଙ୍କୁ କାଶୀରେ ପହଁଚିବାକୁ ଅନେକ ଦିନ ଲାଗିଯିବ । ସେ ଲୋକଙ୍କଠାରୁ ବୁଝିଲେ, ବଣ ଭିତର ଦେଇ ଗଲେ ବାଟ ପ୍ରାୟ ଅଧା ପଡିବ । ସେ ବଣ ପାଖରେ ଗୋଟିଏ ଚଟିଘରେ ଦିନଟିଏ ଅପେକ୍ଷା କଲେ । କୌଣସି ଯାତ୍ରୀଦଳ ବଣ ଭିତର ଦେଇ ଯିବାକୁ ପ୍ରସ୍ତୁତ ଥିଲେ ତାଙ୍କ ସହ ସେ ଯିବେ, ଏଇଆ ଥିଲା ତାଙ୍କ ଉଦ୍ଧେଶ୍ୟ । କିନ୍ତୁ ସେପରି କୌଣସି ଯାତ୍ରୀଦଳ ସେ ଦେଖିଲେ ନାହିଁ । ସେ ଏକାକୀ ବଣ ଭିତର ଦେଇ ଯିବାକୁ ପ୍ରସ୍ତୁତ ହେଲେ ଓ ବଣରେ ପଶିଲେ ।
ପ୍ରଥମେ ଅଳ୍ପ ଘନ ବଣ ପଡିଲା ।
ଏହାପରେ ପାହାଡିଆ ନିର୍ଜନ ରାସ୍ତା ପଡିଲା । ପ୍ରବୋଧ ଏକାଗ୍ର ମନରେ ବାଟ ଚାଲୁଛନ୍ତି, ଦୁର୍ଦ୍ଦାନ୍ତ ଭଳି ଦିଶୁଥିବା ଜଣେ ଲୋକ ହଠାତ୍ ଘୋଡା ଝପଟାଇ ତାଙ୍କ ପାଖରେ ଆସି ପହଁଚିଗଲା । “ପଥିକ! ଅଗ୍ନିଶିଖ ଡାକୁର ନାମ ଶୁଣିଛ? ତା’ ନାମରେ କି ରାଜା କି ପ୍ରଜା ସମସ୍ତେ ବେଶ୍ ଥରହର । ମୁଁ ସେହି ଡାକୁ । ପାଖରେ ଯାହା ଅଛି ଦେଇଦିଅ । ନହେଲେ ତମ ପ୍ରାଣ ଯିବ ।”
ପ୍ରବୋଧ ନିଜ ଟଙ୍କା ଥଳିଟି ସେ ଡାକୁ ହାତକୁ ବଢାଇ ଦେଲେ । ଡାକୁ ପ୍ରଖର ଦୃଷ୍ଟିରେ ତାଙ୍କୁ ଆପାଦମସ୍ତକ ଦେଖୁଥାଏ । ସେ ପଚାରି ଦେଲା, “ଚଦର କାନିରେ କ’ଣ ବାନ୍ଧିଛ? ଜଲଦି ତାହା ଫିଟାଅ ।”