ବିଷ୍ଣୁପୁରର ରାଜକନ୍ୟା କଳାବତୀ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ । ଅର୍ଥାତ୍ ତାଙ୍କୁ ଯିଏ ବିଭା ହେବ, ତାଙ୍କ ପିତାଙ୍କ ରାଜ୍ୟର ସିଂହାସନରେ ଭବିଷ୍ୟତରେ କେବଳ ସେହିଁ ବସିବ!
କଳାବତୀଙ୍କ ରୂପ ଗୁଣ ବିଷୟରେ ତ ଅନେକ ଭଲକଥା ଶୁଣାଯାଉଥାଏ । ବୁଦ୍ଧିରେ ତାଙ୍କୁ ତ କେହିବି ଟପି ପାରିବେ ନାହିଁ, ଅଥଚ ନିଜ ବୁଦ୍ଧି ଯୋଗୁଁ ତାଙ୍କର କୌଣସି ଅହଙ୍କାର ନଥାଏ । ଏଭଳି ଚରିତ୍ର କ’ଣ ସହଜରେ ଆଉ କୋଉଠି ଦେଖିବାକୁ ମିଳେ? ତାଙ୍କ ବିଷୟରେ ବିଷ୍ଣୁପୁରର ପ୍ରଜାମାନେ ଯେତେ ଯାହା ଚର୍ଚ୍ଚା କଲେ ବି ସେମାନଙ୍କ ପାଖରେ ସେ ବିଷୟଟି ମୋଟେ ପୁରୁଣା ହେଉ ନଥାଏ ।
ତେଣୁ ବିଷ୍ଣୁପୁରର ଆଖପାଖର ସବୁ ରାଜ୍ୟର ରାଜପୁତ୍ରମାନେ କଳାବତୀଙ୍କୁ ବିଭା ହେବାକୁ ଭାରି ମନ ବଳାଉଥିଲେ ।
ରାଜା ସ୍ୱୟମ୍ବର ସଭା ଡାକିଲେ । ନାନା ବେଶଭୂଷା ପକାଇ, ନିଶକୁ ମୋଡି, ଅଙ୍ଗୁଳିମାନଙ୍କରେ ହୀରା ମୁଦ୍ରିକା ପିନ୍ଧି ରାଜପୁତ୍ରମାନେ ଆସନ ଗ୍ରହଣ କରିଥାନ୍ତି । ସଖିମାନଙ୍କ ଗହଣରେ ରାଜକନ୍ୟା ଆସିଲେ ।
ଠିକ୍ ସେତିକିବେଳେ ରାଜାଙ୍କ ପାଟହାତୀ ପାଗଳ ହୋଇ ସେ ସ୍ୱୟମ୍ବର ମଣ୍ଡପ ଭିତରକୁ ପଶି ଆସିଲା । ଫଳରେ କୋଳାହଳ ପଡିଗଲା । ରାଜପୁତ୍ରମାନେ ଛତ୍ରଭଙ୍ଗ ଦେଲେ । କିଏ ଚୌକି ତଳେ ଲୁଚିଲା ତ ଆଉ କିଏ ଯାଇ ପାଚିରୀ ଟପି ପଳାଇଲା । ଏପରିକି ଜଣେ ଦୁଇଜଣ ସେ ରାଜକନ୍ୟାଙ୍କ ପଛରେ ଲୁଚି ଆତ୍ମରକ୍ଷା କରିବାକୁ ଚେଷ୍ଟା ମଧ୍ୟ କଲେ ।
ହାତୀ ରାଜକନ୍ୟାଙ୍କ ଆଡେ ମାଡି ଆସୁଥିଲା । ଏହି ସମୟରେ ହଠାତ୍ ଜଣେ ଯୁବକ ଆଗକୁ ଆସି ସେ ହାତୀର କୁମ୍ଭସ୍ଥଳରେ ପ୍ରହାର କରିବାକୁ ଲାଗିଲା । ପରିଣାମ ସ୍ୱରୂପ ସେ ହାତୀ ତତ୍କ୍ଷଣାତ୍ ନମ୍ର ହୋଇଗଲା । ମାହୁନ୍ତମାନେ ଆସି ତାକୁ ଧରି ସେଠାରୁ ନେଇଗଲେ ।
ଏସବୁ ଘଟଣା ଦେଖି ରାଜକନ୍ୟା ତାଙ୍କ ଗଳାରୁ ହୀରାର ହାର ବାହାର କରି ସେହି ଯୁବକଙ୍କୁ ତାହା ପୁରସ୍କାର ରୂପେ ଯାଚିଲେ । ମାତ୍ର ସେ ଯୁବକ ଜଣକ କହିଲା, “ନା ଜେମା, ମୁଁ ତ କେବଳ ମୋ କର୍ତ୍ତବ୍ୟ କରିଛି । ତେଣୁ ଏଥିଲାଗି ପୁରସ୍କାର ନେବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”
ଜୋତିଷମାନେ କହିଲେ କି ସ୍ୱୟମ୍ବର ସେଦିନ ନହୋଇ ଆଉ ଏକ ଶୁଭଦିନରେ ହେବା ଉଚିତ୍ ।
ରାଜପୁତ୍ରମାନେ ଚାଲିଗଲେ । ପରଦିନ ରାଜା ବସି ବାୟୁ ସେବନ କରୁଛନ୍ତି, ରାଜକନ୍ୟା ତାଙ୍କୁ ଦୁଇଟି ତରବାରୀ ଦେଇ କହିଲେ, “ବାପା, ତରବାରୀ ହିସାବରେ ଏଥିରୁ ତୁମେ କେଉଁଟିକୁ ପସନ୍ଦ କରୁଛ?”
ରାଜା ଦେଖିଲେ, ଗୋଟିଏ ରତ୍ନଖଚିତ; ସୁନାର କୋଷରେ ରହିଛି । ଆଉ ଅନ୍ୟଟି ନିର୍ମଳ ଲୁହାରେ ତିଆରି; ସାଧାରଣ କୋଷରେ ତାହା ରହିଛି । ସେ କହିଲେ, “ତରବାରୀ ହିସାବରେ ଏଇ ଦ୍ୱିତୀୟଟି ମୋର ପସନ୍ଦ । ମାତ୍ର ଅଳଙ୍କାର ହିସାବରେ ପ୍ରଥମଟି ।”
ରାଜକନ୍ୟା ପଚାରିଲେ “ବାପା! ମୋର ଅଳଙ୍କାରରେ କେଉଁ ଅଭାବ ଅଛି ଯେ ମୁଁ ଆଉ ଗୋଟାଏ ମଣିଷ ଅଳଙ୍କାର ଧାରଣ କରିବି?”
ରାଜା ମୁହୂର୍ତ୍ତକ ପାଇଁ ଚିନ୍ତା କରି ତା’ପରେ ହସିଲେ ଓ ପଚାରିଲେ, “ମା! ତୁ ଠିକ୍ କହୁଛୁ । ଆଜି ସକାଳେ ଯେଉଁ ଯୁବକର ପରିଚୟ ତୁ ପାଇଲୁ, ସିଏ ମୋର ଜଣେ ବନ୍ଧୁ ଅମାତ୍ୟର ପୁତ୍ର । ତା’ର ନାମ ଶୁଭେନ୍ଦ୍ର ।”
ରାଜକନ୍ୟା ଲଜ୍ଜା କରିବା ସତ୍ତ୍ୱେ କହିଲେ “ବାପା, ସେ ଯେପରି ସାହସୀ, ଠିକ୍ ସେହିପରି ସେ ନିର୍ଲୋଭୀ ମଧ୍ୟ ।”
“ଠିକ୍ । ଏଥର ମୁଁ ତୋକଥା ବୁଝିଲି ।” ଏହାପରେ ସେ ରାଜା ଆଉ ବିଳମ୍ବ ନକରି ହାତୀକୁ ସମ୍ଭାଳି ନେଇଥିବା ସେହି ଯୁବକ ଶୁଭେନ୍ଦ୍ର ସହ କଳାବତୀଙ୍କ ବିବାହର ଆୟୋଜନ କଲେ ।