ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ ।
ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ ଲାଭ ଉଠାଇପାରେ । ଖାଲି ଠିକ୍ ଭାବରେ ଏହାର ଉପଯୋଗ କରି ପାରିଲେ ହେଲା ।”
ପଣ୍ଡିତ ଏକଥା କହିଲା ବେଳେ ସେ ବାଟାରେ ହରି ନାମକ ଯୁବକଟିଏ ଯାଉଥିଲା । ପଣ୍ଡିତଙ୍କ କଥା ଶୁଣି ସେ ଭାବିଲା, “ଏଡେ ବଡ ଜ୍ଞାନୀ ଲୋକ ଯାହା କହୁଛନ୍ତି, ତାହା କେବେବି ଅଯଥା କଥା ହୋଇ ପାରେନା ।” ଏହାପରେ ସେ ହରି ମଲା ମୂଷାଟିକୁ ଉଠାଇ ନେଲା ।
କିନ୍ତୁ ମଲାମୂଷାଟିକୁ ନେଇ ସେ ଏବେ କ’ଣ ବା କରିବ? ହଠାତ୍ ତା’ ମୁଣ୍ଡକୁ ଗୋଟାଏ ଧାରଣା ଆସିଗଲା । “ମୂଷା ଖାଇବାକୁ ବିଲେଇ କେଡେ ସୁଖ ନ ପାଏ! ମୋ ପଡୋଶୀ ଘରର ବିଲେଇଟି ବହୁଦିନ ହେଲା ମୂଷାଟିଏ ନ ପାଇ ଝଡି ଗଲାଣି । ଏଇଟିକୁ ପାଇଲେ ସେ ବହୁତ ଖୁସି ହେବ ।” ଏଭଳି ଚିନ୍ତା କରି ହରି ସିଧା ପଡୋଶୀ ଘରକୁ ଯାଇ ମୂଷାଟିକୁ ଦେଖାଇଲା । ପଡୋଶୀ ଏଥିରେ ବହୁତ ଖୁସୀ ହେଲେ ଓ ପଚାରିଲେ “ଏହାକୁ ତୁମେ କେଉଁଠୁ ପାଇଲ? ଭଲ କଥା । ଏଇ ନିଅ କିଛି ପଇସା । ଆଉ ମୋତେ ସେହି ମୂଷାଟି ଦେଇଦିଅ ।”
ହରି ସେ ପଇସାତକ ନେଇ ଗୋଟାଏ ଦୋକାନକୁ ଗଲା । ସେଠାରୁ ସେ କିଛି ମିଠେଇ କିଣିଲା । ତା’ପରେ ଗୋଟାଏ ମାଠିଆରେ କିଛି ପିଇବାପାଣି ଓ ସେ ମିଠେଇତକ ଧରି ସେ ସହର ବାହାରକୁ ଗଲା । ସହର ବାହାରେ ଗୋଟାଏ ବଡ ବଗିଚା ଥାଏ । ବଗିଚାଟି ଆଗରେ ଗୋଟାଏ ପ୍ରକାଣ୍ଡ ବରଗଛ ଥାଏ । ହରି ମିଠେଇ ଓ ପାଣି ମାଠିଆ ନିଜ ଆଗରେ ଥୋଇ ସେହି ଗଛ ମୂଳରେ ବସି ରହିଲା ।
ଘଂଟାଏ ପରେ ଜଣେ ମାଳି ସେ ବଗିଚା ଭିତରୁ ବାହାରି ଆସିଲା । କାମ କରି ସେ କ୍ଳାନ୍ତ ହୋଇ ପଡିଥିଲା । ତାକୁ ଭୋକ ବି ଲାଗୁଥିଲା । ହରି ସେ ମାଳିକୁ ମିଠେଇ ଓ ପିଇବା ପାଣି ଯାଚିଲା । ବୁଢା ମାଳି ବଡ ଆନନ୍ଦିତ ହୋଇ ହରିକୁ ଗୋଟାଏ ବଡ ଫୁଲତୋଡା ଦେଇଦେଲା ।
ହରି ଫୁଲତକ ନେଇଯାଇ ବିକ୍ରିକରି ସେଥିରେ ଆହୁରି ବେଶି ମିଠେଇ କିଣି ସେହି ଗଛ ମୂଳରେ ଆସି ବସିଲା । କିଛି ସମୟ ପରେ ବଗିଚା ଭିତରୁ ଦଳେ ମାଳି ବାହାରି ଆସିଲେ । ହରି ସମସ୍ତଙ୍କୁ ମିଠେଇ ଓ ପିଇବା ପାଣି ଦେଲା । ସେମାନେ ସମସ୍ତେ ହରିକୁ କିଛି କିଛି ସୁନ୍ଦର ଫୁଲ ଦେଲେ । ହରି ସେ ଫୁଲତକ ବିକ୍ରିକରି ଯେଉଁ ପଇସା ପାଇଲା, ସେଥିରେ ଆହୁରି ବେଶି ପରିମାଣରେ ମିଠେଇ ଆଣି ପୁଣି ସେହି ଗଛମୂଳରେ ସେ ଆସି ବସିଲା । ଏଣିକି ସେ କେବଳ ମାଳିମାନଙ୍କୁ ଯେ ମିଠେଇ ଓ ପାଣି ଦେଲା, ତାହା ନୁହେଁ, ଯେତେ ଲୋକ ସେହି ସୁନ୍ଦର ବଗିଚା ଦେଖିବାକୁ ଆସିଲେ, ସେମାନଙ୍କୁ ବି ସେ ମିଠେଇ ବିକିଲା । ଏଣିକି ଏହା ହେଲା ତା’ର ଦୈନନ୍ଦିନର ବ୍ୟବସାୟ । ଏହିପରି ଭାବେ ହରି ବହୁତ ଟଙ୍କା ରୋଜଗାର କଲା ।
ଦିନେ ରାତିରେ ପ୍ରବଳ ମାତ୍ରାରେ ଝଡ ହେଲା । ଘଡଘଡିରେ ମେଦିନୀ ଥରି ଉଠିଲା । ବିଜୁଳିରେ ଦିଗ ଦିଗନ୍ତ ଚମକି ଉଠିଲା । ଗଛମାନ ଭୀଷଣ ଭାବରେ ଦୋହଲିବାକୁ ଲାଗିଲେ । କଡ କଡ ଶବ୍ଦକରି ବଡ ବଡ ଡାଳମାନ ଭାଙ୍ଗି ପଡିଲା । ଅଗଣିତ ପତ୍ର, ଫୁଲ, କଢମାନ ଛିଡି ପଡିଲେ ।
ସକାଳେ ଦେଖାଗଲା ସାରା ବଗିଚାରେ ଆବର୍ଜନା ଭର୍ତ୍ତି । ମାଳିମାନେ କ’ଣ କରିବେ କିଛିବି ବୁଝି ପାରିଲେ ନାହିଁ । ରାଜା ବଗିଚା ଦେଖିବାକୁ ଆସିବା ପୂର୍ବରୁ ସେମାନେ ଏତେ ଆବର୍ଜନା କିପରି ସଫା କରିବେ? ଯଦି ରାଜା ଆସି ବଗିଚାର ଏଇ ଅବସ୍ଥା ଦେଖନ୍ତି, ତେବେ ନିଶ୍ଚୟ ସେମାନଙ୍କୁ ସେ କାମରୁ ତଡିଦେବେ । ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ପଚାରିଲେ “କ’ଣ କରିବା?”