ରମେଶ ଭାରି ଚଗଲା । ତା’ ବାପା ତାକୁ ଯେତେ ପ୍ରକାରେ ପାଠ ପଢାଇବାକୁ ଚେଷ୍ଟା କଲେ, ହେଲା ନାହିଁ । ଗାଁଠାରୁ କେଇ କୋଶ ଦୂରରେ ଜଣେ ବିଶିଷ୍ଟ ପଣ୍ଡିତ ରହୁଥିଲେ । ପାଠ ଶିଖାଇବାରେ ତାଙ୍କ ଭଳି ଦକ୍ଷ ଶିକ୍ଷକ ରାଜ୍ୟ ଯାକରେ ଆଉ କେହିବି ନଥିଲେ ବୋଲି ଲୋକେ କହୁଥାନ୍ତି । ତାଙ୍କ ନାମ କଲ୍ୟାଣ ମିଶ୍ର । ରମେଶକୁ ନେଇ ତା’ ବାପା କଲ୍ୟାଣ ମିଶ୍ରଙ୍କ ପାଖରେ ପହଁଚିଲେ ଓ ସବୁ ହାଲ୍ ଶୁଣାଇଲେ ।
ପଣ୍ଡିତେ କହିଲେ, “ଠିକ୍ ଅଛି । ମୋ ପାଖରେ ରମେଶକୁ ଛାଡିଦିଅ । ବର୍ଷେ ସମୟ ଦିଅ । ମୁଁ ତାକୁ ଲେଖାପଢା ଶିଖାଇ ଦେବି ।”
ବାପା ଖୁସି ହୋଇ ରମେଶକୁ ସେଠି ଛାଡି ବିଦାୟ ନେଲେ । ପଣ୍ଡିତ ରମେଶକୁ ଗୋରୁଗାଈଙ୍କ ତତ୍ତ୍ଵନେବା କାମରେ ଲଗାଇ ଦେଲେ । ସାରାଦିନ ରମେଶ ଭଲ ଭାବରେ କାମ କଲା । ସଂନ୍ଧ୍ୟାବେଳକୁ ପଣ୍ଡିତେ କହିଲେ, “ବାପା! ସିଲଟ ଖଡି ଧରି ବସ । ବହୁତ ପରିଶ୍ରମ କଲୁଣି । ଏବେ ଟିକିଏ ଆରାମରେ ଅକ୍ଷର ଶିଖ ।”
ରମେଶ ବିନା ସଙ୍କୋଚରେ କହିଲା “ଗୁରୁଜୀ! ଅକ୍ଷର ଶିଖିବାରେ ଆରାମ କ’ଣ? ମୁଁ କାମଦାମ କରିବି । ଯେତେଇଚ୍ଛା କାମ ଦିଅନ୍ତୁ ।”
ଆହୁରି ଚାରି ପାଞ୍ଚଦିନ ଗଲା । ପଣ୍ଡିତେ ଭାବୁଥାନ୍ତି, କାମଦାମ କରି ହାଲିଆ ହୋଇଗଲେ ସେଥିରୁ ନିଷ୍କୃତି ପାଇବା ନିମନ୍ତେ ଅନ୍ତତଃ ରମେଶ ପାଠ ପଢାରେ ମନ ଦେବ । କିନ୍ତୁ ସେଭଳି କୌଣସି ଲକ୍ଷଣ ଦେଖାଗଲା ନାହିଁ ।
ପଣ୍ଡିତ ତାକୁ ଡାକି କହିଲେ, “ଦେଖ ବାପା, ପବନରେ ଉଡିବା ସମ୍ଭବ । ପାଣି ଉପରେ ଚାଲିବା ମଧ୍ୟ ସମ୍ଭବ । ତୁ ସେସବୁ ଶିଖିବୁ?”
ରମେଶ ଉତ୍ସାହରେ କହିଲା “ହଁ, ହଁ । ଖୁବ୍ ମଜା ହେବ । ଶିଖାଇ ଦିଅନ୍ତୁ ।”
“ବେଶ୍ ଭଲ କଥା । କିନ୍ତୁ ସେଥିପାଇଁ ପ୍ରଥମେ ଅକ୍ଷର ଶିଖିବା ଆବଶ୍ୟକ ।”
ପଣ୍ଡିତଙ୍କଠୁଁ ଏକଥା ଶୁଣି ରମେଶ ସିଲଟ ଖଡି ଧରିଲା । ସାରା ଦିନ ‘ଅ’ ଉପରେ ଗାର ବୁଲାଇବା ସତ୍ତ୍ୱେ ନିଜେ କେବଳ ଅଧା ‘ଅ’ ଲେଖି ପାରିଲା । ସଂନ୍ଧ୍ୟା ବେଳକୁ ସେ କହିଲା, “ଗୁରୁଜୀ, ଯେତିକି ଶିଖିଲିଣି, ସେତିକିରେ ସେ ଆମ୍ବଗଛ ଉପରକୁ ଉଡିଯାଇ ଆମ୍ବ ତୋଳି ପାରିବି?”
ପଣ୍ଡିତେ ଗମ୍ଭୀର ହୋଇ କହିଲେ “ନା, ନା । ବହୁତ ବେଶି ଶିଖିବାକୁ ହେବ ।”
ରମେଶ ପଚାରିଲା “ଆଚ୍ଛା ଗୁରୁଜୀ, ଆପଣ ତ ବହୁତ କିଛି ବିଦ୍ୟା ଶିଖିଛନ୍ତି । ଆପଣ ଥରେ ଉଡିଲେ ଦେଖିବା!”