ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ଗଛଲତାମାନେ ସତେ ଅବା ଚପା କଣ୍ଠରେ ନିଜ ନିଜ ଭିତରେ କୌଣସି ଭାବର ଆଦାନ ପ୍ରଦାନ କରୁଥା’ନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷ ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ଆପଣା କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ତମେ ରାଜପ୍ରାସାଦର ସୁଖ ସମ୍ଭୋଗ ଛାଡି ଏଠି କି ପ୍ରକାର ସିଦ୍ଧି ଲାଭ ସକାଶେ ଏ କାମ କରୁଛ, ତା’ ତ ମୁଁ ଜାଣେନା । କିନ୍ତୁ ଏକଥା ମନେ ରଖ, ସୁଯୋଗ ପାଇ ମଧ୍ୟ ତାକୁ ଛାଡିଦେବା ଭଳି ମଣିଷ ମଧ୍ୟ ଏ ପୃଥିବୀରେ ଅଛନ୍ତି । ତମେ ଆଉ ତାଙ୍କ ଭିତରୁ ଜଣେ ନୁହଁ ତ? କଥାଟି ବୁଝାଇଦେବା ନିମନ୍ତେ ତମକୁ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର କିଛିଟା ଲାଘବ ମନେ ହେବ ।”
ବେତାଳ ଗପିଲା : ରାଜା ରାଜେନ୍ଦ୍ର ଦେବ ମଳୟ ଦେଶରେ ରାଜୁତି କରୁଥା’ନ୍ତି । ଥରେ ତାଙ୍କ ରାଜ୍ୟ ସୀମନ୍ତରେ ଗୋଟିଏ ମୁଲକରେ ଘନ ଘନ ଦଙ୍ଗା ହଙ୍ଗାମା ଲାଗିବାର ଦେଖାଗଲା । ରାଜ୍ୟର ଅନ୍ୟ ସବୁ ଅଂଚଳରେ ଶାନ୍ତି ଥିବା ସତ୍ତ୍ୱେ ଗୋଟିଏ ଅଂଚଳରେ କାହିଁକି ଏଭଳି ଅଶାନ୍ତି ଉପଦ୍ରବ ଲାଗି ରହିବ, ସେକଥା ରାଜା ମୋଟେ ବୁଝିପାରିଲେ ନାହିଁ । ତେବେ ଏହା ଭିତରେ ମନ୍ତ୍ରୀ ତାଙ୍କ ଦକ୍ଷ ଗୁପ୍ତଚରମାନଙ୍କୁ ପଠାଇ କଥା କ’ଣ ବୁଝି ନେଲେ । ମଳୟର ପ୍ରତିବେଶୀ ରାଜ୍ୟ ମଧୁଗଡର ରାଜା ଛଦ୍ମବେଶରେ କିଛି କିଛି ଚର ପଠାଇ ମଳୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ବିଶୃଙ୍ଖଳା ଓ ଆତଙ୍କ ଲାଗି ରହିଲେ ମଧୁଗଡ ପକ୍ଷରେ ମଳୟର ସେ ଅଂଚଳ ଦଖଲ କରିନେବା ଭାରି ସହଜ ହେବ – ବୋଧହୁଏ ଏହାହିଁ ମଧୁଗଡ ରାଜାଙ୍କର ଭିତିରି ଉଦ୍ଧେଶ୍ୟ ଥିଲା ।
ଦିନେ ରାଜା ଓ ମନ୍ତ୍ରୀ ଏ ବିଷୟରେ ଆଲୋଚନା କରୁଛନ୍ତି, ଠିକ୍ ସେତିକିବେଳେ ଦୂରବର୍ତ୍ତୀ ସିନ୍ଧୁ ରାଜ୍ୟର ଜଣେ ବଣିକ ରାଜାଙ୍କୁ ଭେଟିବା ସକାଶେ ନିବେଦନ ପଠାଇଲେ । ରାଜା ତାଙ୍କୁ ଡକାଇଲେ । ବଣିକ କହିଲେ, “ମହାରାଜ, ମୁଁ ଗୋଟିଏ ଅପୂର୍ବ ଅସ୍ତ୍ର ଉଦ୍ଭାବନ କରିଛି । ଦେଖନ୍ତୁ ।” ଏହା କହି ସେ ରାଜାଙ୍କ ହାତକୁ ଖଣ୍ଡିଏ ନଳୀ ବଢାଇ ଦେଲେ । ରାଜା କହିଲେ, “ଏହା ଅସ୍ତ୍ର ଭଳି ଲାଗିବା ତ ଦୂରର କଥା, ବରଂ ଖେଳଣା ଭଳି ଲାଗୁଛି ।”
ବଣିକ କହିଲେ, “ମହାରାଜ! ଏହା ତଳ ପଟେ ଅଙ୍ଗୁଳି ଚାପି ଯାହା ଆଡକୁ ଲକ୍ଷ୍ୟ କରି ଅଙ୍ଗୁଳି ଛାଡିଦେବେ, ସେ ଯେତେ ବଡ ପ୍ରାଣୀ ହେଲେ ବି ତତ୍କ୍ଷଣାତ୍ ମରିଯିବ । କଥା କ’ଣ କି, ଏହା ଭିତରେ ଗୋଟିଏ ଭୀଷଣ ସୂକ୍ଷ୍ମ ବିଷ ରହିଛି, ସେଥିରୁ ସୁତା ଭଳି ସରୁ ଖିଅଟିଏ ଯାଇ ଆପଣଙ୍କ ଲକ୍ଷ୍ୟ ଦେହରେ ଆଘାତ କରିବ । ଗୋଟିଏ ଗୋଟିଏ ନଳୀ ଶହେଥର ଲେଖାଏଁ କାମ ଦେବ ।”