ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ…

ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି ଦେଉଛି । ଥରେ ଫୁଙ୍କିଦେଇ ସେ ଗୋଲକ ଆଡେ ଅନାଏ ଓ ବିକଟ ଭାବରେ ହସେ । ତା’ ମୁହଁ ଭିତରେ ଡାହାଣୀ ଆଲୁଅ ଝଲସି ଉଠେ ।”

                ଗୋଲକଟି କ୍ରମେ ରକ୍ତ-ଲୋହିତ ଦେଖାଗଲା । ତା’ପରେ ପୁଣି ତାହା କଳା ପଡିଗଲା ଓ ତହିଁରୁ ଏକ ପ୍ରକାର ଧୂଆଁ ନିର୍ଗତ ହେଲା । ଲୋକଟି ତା’ ଉପରେ ହାମୁଡି ପଡି ସେ ଧୂଆଁକୁ ମନ ପୁରାଇ ନିଜ ନିଃଶ୍ୱାସରେ ଟାଣିବାକୁ ଲାଗିଲା । କ୍ରମେ ତା’ ହସ ଆହୁରି ବିକଟ ଦିଶିଲା । ରାତିରେ ଗଧିଆ ଆଖିରେ ଆଲୁଅ ପଡିଲେ ତାହା ଯେମିତି ଭୀଷଣ ଦେଖାଯାଏ, ତା’ ଆଖି ବି ଠିକ୍ ସେମିତି ଦେଖାଗଲା ।

                ରାଜା ବିସ୍ମିତ ହୋଇ ତପସ୍ୱୀଙ୍କୁ ପଚାରିଲେ “ଏହାର ଅର୍ଥ?”

                “ସେ ଗିରିସଙ୍କଟ ସ୍ୱପ୍ନ-ରାଜ୍ୟର ଅଂଶବିଶେଷ । ପୃଥିବୀର ଲୋକେ ଯେଉଁ ପ୍ରକାର ସ୍ୱପ୍ନମାନ ଦେଖୁଛନ୍ତି, ଏଠାରେ ତା’ର ପ୍ରତିଫଳନ ହେଉଛି । ଏକା ଧରଣର ସ୍ୱପ୍ନମାନେ ଗୋଟାଏ ନିର୍ଦ୍ଦିଷ୍ଟ ରୂପ ନେଇଥାନ୍ତି । ତମେ ବର୍ତ୍ତମାନ ଯାହା ଦେଖୁଛ, ତାହା ହଜାର ହଜାର ସ୍ୱପ୍ନର ସାରାଂଶ । ଏ ଧରଣର ସ୍ୱପ୍ନ ଦେଖିଥିବା ଲୋକେ ନିଜକୁ ଭାରି ଚତୁର ମନେ କରନ୍ତି, କିନ୍ତୁ ବାସ୍ତବରେ ସେମାନେ ସବୁ ବୁଦ୍ଧୁ । ସେମାନେ ପୃଥିବୀକୁ ବିଷାକ୍ତ କରନ୍ତି–ଖାଦ୍ୟ ଦ୍ରବ୍ୟରେ ବିଷ ମିଶାଇ, ମାରଣାସ୍ତ୍ର ନିର୍ମାଣ କରି ଓ ସେସବୁ କିଣିବା ନିମନ୍ତେ ମଣିଷଙ୍କୁ ପ୍ରବର୍ତ୍ତାଇ–ଏମିତି ବିଭିନ୍ନ ଭାବରେ । ଖାଲି ଲାଭ କରିବାରେ ସେମାନେ ମଜ୍ଜି ରହିଥାନ୍ତି । ସେ ଲୋକଟା କେମିତି ଫୁଲି ଉଠୁଛି ଲକ୍ଷ୍ୟ କରି ଦେଖ ।”

                ରାଜୁ ନିମ୍ନ ଦେଶର ସେ ଗିରିସଙ୍କଟ ଆଡେ ପୁଣି ଅନାଇଲା । ଲୋକଟି ଗୋଲକ-ନିର୍ଗତ ଧୂଆଁ ନିଃଶ୍ୱାସରେ ନେଇ ବେଶ୍ ଖୁସି ହୋଇ ଗୋଟାଏ ଘୁଷୁରି ଭଳି ଶବ୍ଦ କରୁଥିଲା । ତା’ପେଟ ବଢି ଚାଲିଥାଏ । ଚାହୁଁ ଚାହୁଁ ତାହା ଏଡେ ବଡ ହୋଇଗଲା ଯେ ଦୁଇ ହାତ ଯୋଗେ ସେ ପେଟକୁ କୁଣ୍ଢାଇ ଧରିବା ଆଉ ସମ୍ଭବପର ହେଲା ନାହିଁ ।

                ରାଜୁ ଆଶ୍ଚର୍ଯ୍ୟ ହୋଇ କହିଲା “ଲୋକଟି ତ କଷ୍ଟ ପାଉଛି ବୋଲି ମନେ ହୁଏ!”

                ତପସ୍ୱୀ କହିଲେ “ଠିକ୍ । ଯେଉଁମାନେ କେବେ ବି ଭଲ ଚିନ୍ତା କରନ୍ତି ନାହିଁ, ନିର୍ମଳ ମୁକ୍ତ ପବନରେ ନିଃଶ୍ୱାସ ନେବାର ଅଧିକାର ସେମାନଙ୍କର ଆଦୌ ନାହିଁ ।”

                ସେତେବେଳକୁ ସେ ଲୋକ ଲଟୁ ଭଳି ଘୁରୁଥାଏ । ପ୍ରକାଣ୍ଡ ପେଟଟି ତା’ର ସତେ ଅବା ଉଛୁଳି ପଡିବ! ମୁହଁରେ ତା’ର କ୍ରୋଧ ଏବଂ ହତାଶା । ରାଜୁ ତା’ ଆଡୁ ଦୃଷ୍ଟି ଫେରାଇ ନେଲା ଓ ଉପତ୍ୟକାର ଶେଷ ପ୍ରାନ୍ତ ଆଡେ ଅନାଇଲା । ସେ ଦେଖିଲା, ଭୂପୃଷ୍ଠର ତମସା ଭେଦ କରି ଆଲୋକର ଏକ ଏକ ଫୁତ୍କାର ଉପରକୁ ଉଠି ଯାଉଛନ୍ତି । ସେସବୁର ପଟ୍ଟଭୂମିରେ ଗୋଟିଏ ବିଶାଳ ବରଗଛ ଥିବା ଯୋଗୁଁ ସେମାନଙ୍କର ସେଭଳି ଉଦ୍ଧ୍ୱର୍ଗତି ବଡ ସୁନ୍ଦର ଦିଶୁଥିଲା । କିନ୍ତୁ ଅଧିକାଂଶ ଆଲୋକ ଗଛର ଅଧାଅଧି ଉଚ୍ଚତାକୁ ଉଠିବା ବେଳକୁ ମଉଳି ଯାଉଥିଲେ । କଦବା କେମିତି ଗୋଟାଏ ଅଧାଏ ଆଲୋକ ଗଛର ଉଚ୍ଚତା ଟପି ଉପରକୁ ଯାଉଥିଲେ । କିନ୍ତୁ କେତେକ ଶାଗୁଣା ଧରଣର ପକ୍ଷୀ ଝାମ୍ପିପଡି ଭୀଷଣ ବେଗରେ ପକ୍ଷ ବିଂଚି ସେମାନଙ୍କୁ ଲିଭାଇ ଦେଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ