ସୁଦାମର ବିବାହ ଏଇ ଅଳ୍ପଦିନ ହେବ ହୋଇଛି । ତା’ର ମାମୁଁ ଖୁବ୍ ଅସୁସ୍ଥ ଥିବା ଯୋଗୁଁ ବିବାହରେ ଯୋଗ ଦେଇ ପାରି ନଥିଲେ । ତେଣୁ ସୁଦାମ ତା’ ବିବାହର ଅଳ୍ପ ଦିନ ପରେ ମାମୁଁଙ୍କୁ ଦେଖିବାକୁ ଗଲା ।
ସୁଦାମକୁ ଦେଖି ତା’ ମାମୁଁ ଅତ୍ୟନ୍ତ ଖୁସି ହୋଇ ବିବାହର ସବୁ କୁଶଳ ପ୍ରଶ୍ନ ପଚାରିଲେ ଓ କହିଲେ, “ଭଗବାନ୍ଙ୍କ ଦୟାରୁ ମୁଁ ଏବେ ପ୍ରାୟ ସୁସ୍ଥ ହୋଇଗଲିଣି । ଏବେ କହ ତୋର ନୂଆ ସଂସାର କିପରି ଚଳୁଛି? ଶାଶୁ ବୋହୁ ପରସ୍ପରକୁ ଭଲପାଇ ଅଛନ୍ତି ତ? ବୋହୁ ଶାଶୁକୁ କାମଦାମରେ ସାହାଯ୍ୟ କରୁଛି ତ?”
ସୁଦାମ କହିଲା “ସାହାଯ୍ୟ କ’ଣ, ବୋହୁ ତ ସାରା ଘରସଂସାରର ଦାଇତ୍ତ୍ଵ ନିଜେ ନେଇଛି । ମା’ ତ ଆରାମ୍ରେ ବସିଛି ।”
ମାମୁଁ କହିଲେ “ଯାହାହେଉ, ବୁଢୀଦିନେ ତୋ ମାକୁ ଟିକିଏ ବିଶ୍ରାମ ମିଳିଲା । ବିଚାରୀ ବହୁତ କଷ୍ଟ ସହି ତୁମମାନଙ୍କୁ ସେ ମଣିଷ କରିଛି । ତୋ ବାପର ମୃତ୍ୟୁ ପରେ ସବୁ କଥା ତ ସେହିଁ ବୁଝିଥିଲା । ଏବେ ତ ଖୁସିରେ ସେ ତା’ ସମୟ କାଟିବ ।”
ସୁଦାମ ଉତ୍ତର ଦେଲା “ହଁ ମାମୁଁ, ମା ବର୍ତ୍ତମାନ ଆନନ୍ଦରେ ସମୟ ଅତିବାହିତ କରିବା ଉଚିତ୍ । ମୁଁ ମଧ୍ୟ ସେଇଆ ଭାବୁଥିଲି ଓ ମା ନିଶ୍ଚିନ୍ତ ହୋଇ ରହନ୍ତୁ ବୋଲି ଚାହୁଁଥିଲି । କିନ୍ତୁ…”
ମାମୁଁ ତା’ ଆଡେ ଅନାଇ ରହିଲେ ଓ ପଚାରିଲେ, “କିନ୍ତୁ କ’ଣ? ତୁ ତ ଠିକ୍ କଥା ଭାବୁଥିଲୁ ।”
ସୁଦାମ କିଛି କହିବାକୁ ଯାଇ ହଠାତ୍ ଚୁପ୍ ହୋଇଗଲା । ସେକଥା ତା’ର ମାମୁଁ ଲକ୍ଷ୍ୟ କରି କହିଲେ, “ମନେ ହେଉଛି ତୁ କିଛି କହିବାକୁ ଯାଇ ଅଚାନକ ଚୁପ୍ ହୋଇଗଲୁ । ମୋ ପାଖରେ କିଛି କହିବାରେ କାହିଁକି ସଙ୍କୋଚ କରୁଛୁ? ତୋର ଯାହା କହିବାର ଅଛି ନିଃସଙ୍କୋଚରେ କହ ।”
ସୁଦାମ କହିଲା, “ମୋର ବିବାହ ପରଠାରୁ ମା’ ସର୍ବଦା ଦୂରେଇ ରହିଲା । ସବୁବେଳେ ବସି ସେ କ’ଣ ଗୋଟେ ଭାବୁଥାଏ, ଏମିତି ଲାଗେ ସେ ଯେପରି କୌଣସି ସମସ୍ୟା ନେଇ ଗଭୀର ଚିନ୍ତାମଗ୍ନ ।”
ମାମୁଁ ପ୍ରଶ୍ନ କଲେ “ତୁ ତା’ର କାରଣ କ’ଣ ବୋଲି ପଚାରିଲୁ ନାହିଁ?”
“ମୁଁ ସେକଥା ପଚାରିବା ପୂର୍ବରୁହିଁ, ଦିନେ ବୋହୁ ବାସନ ମାଜି ପାଣି ଆଣି ଆସିବାକୁ ପୋଖରୀକୁ ଯାଇଛି, ଠିକ୍ ସେତିକିବେଳେ ମା’ ମୋତେ ପାଖକୁ ଡାକି କହିଲା, “ପୁଅ, ତୋ ସ୍ତ୍ରୀ ବହୁତ ସୁନ୍ଦର, କିନ୍ତୁ ତୁ ଏକଥା ତା’ ମୁହଁ ଉପରେ କେବେବି କହିବୁ ନାହିଁ ।”