ବିକଦ୍ରଠାରୁ ସବୁ ଖବର ଶୁଣି ଶ୍ରୀକୃଷ୍ଣ କହିଲେ, ଏପରି ଅବସ୍ଥାରେ ମୁଁ ଏବଂ ଭାଇ ବଳରାମ ଏ ସ୍ଥାନ ଛାଡି ଚାଲିଯିବା ଭଲ । କାରଣ ଆମରି ପାଇଁ ଏଠାରେ କେବଳ ଯୁଦ୍ଧ ଚାଲୁ ରହିବ ଓ ହଜାର ହଜାର ନିରୀହ ପ୍ରାଣୀ ଅକାରଣରେ ସେମାନଙ୍କ ଜୀବନ ଦେବେ । ପ୍ରଜାମାନଙ୍କର ଏପରି କ୍ଷତି ଆମେ କେବେବି ଚାହୁଁନାହୁଁ । ତେଣୁ ଆମେ ଦୁର୍ଗ ବାହାରକୁ ଯାଇ ଦକ୍ଷିଣ ଦିଗକୁହିଁ ଚାଲିଯିବୁ । ସେଠାରେ କୌଣସି ଏକ ଦୁର୍ଗ ଅଧିକାର କରି ଜରାସନ୍ଧ ସହିତ ଲଢିବୁ । ଏଠାରେ ବିନା କାରଣରେ କାହିଁକି ପ୍ରଜାଙ୍କ ଜୀବନକୁ ବିପଦାପନ୍ନ କରିବୁ ।” କୃଷ୍ଣଙ୍କର ଏକଥାକୁ ସମସ୍ତେ ସ୍ୱୀକାର କଲେ ।
ତା’ପରେ କୃଷ୍ଣ ଓ ବଳରାମ ମଥୁରାନଗରୀରୁ ବାହାରକୁ ଆସି ଜରାସନ୍ଧକୁ ସାକ୍ଷାତ କରି କହିଲେ, “ହେ ମଗଧରାଜ, ଆପଣ ଏଠାକୁ କି କାର୍ଯ୍ୟ ନିମନ୍ତେ ଆଗମନ କରିଛନ୍ତି? ପୁଣି ଆପଣଙ୍କ ସହିତ ଏତେଗୁଡିଏ ସୈନ୍ୟ । ଯଦି କିଛି ସକ୍ରାର୍ଯ୍ୟ କରିବାକୁ ଚାହାଁନ୍ତି ତ ଆମେ ଆପଣଙ୍କର ସହାୟତା ନିଶ୍ଚୟ କରିବୁ । ଯଦି ଯୁଦ୍ଧ କରିବାକୁ ଇଚ୍ଛା ତେବେ କରନ୍ତୁ; କିନ୍ତୁ କାହିଁକି?”
ଶ୍ରୀକୃଷ୍ଣଙ୍କ ଏଭଳି କଥା ଶୁଣି ଅସ୍ତ୍ରଶସ୍ତ୍ର ପରିହିତ ଜରାସନ୍ଧ କହିଲା, “କୃଷ୍ଣ, ତୁ ତ ବହୁତ କଥା କହି ଜାଣୁ । ଶୁଣିଲି ତୁ ଓ ତୋ ଭାଇ କୁଆଡେ ଖୁବ୍ ବଳବାନ୍ । ମୋ ଜ୍ୱାଇଁ କଂସକୁ ମାରିପକାଇଛୁ । ଏହାର ପ୍ରତିଶୋଧ ମୁଁ ନେବାକୁ ଆସିଛି । ଯା ଅସ୍ତ୍ରଶସ୍ତ୍ର ନେଇ ଆସ । ଯୁଦ୍ଧ କରିବା । ଦେଖିବା କିଏ ବଳଶାଳୀ । ଭାରି ଆସିଲା ସକ୍ରାର୍ଯ୍ୟରେ ସହାୟତା କରିବାକୁ । ବହୁତ ଚିକ୍କଣ କଥା କହିଜାଣୁ ।”
ଶ୍ରୀକୃଷ୍ଣ ଟିକିଏ ହସିଲେ ଓ କହିଲେ, “ଠିକ୍ ଅଛି ଆମେ ଏବେ ଦକ୍ଷିଣ ଦିଗକୁ ଯାଉଛୁ । ତମେ ଏଠି ଯୁଦ୍ଧ କରୁଥା,” ଏତିକି କହି ସେ ଓ ବଳରାମ ଦକ୍ଷିଣ ଅଂଚଳକୁ ଯଥାଶୀଘ୍ର ଚାଲିଗଲେ । ଯାଉ ଯାଉ ସେ ବିନ୍ଧ୍ୟାଚଳରେ ଭଗବାନ ପର୍ଶୁରାମଙ୍କୁ ଦେଖିଲେ । ସେଠାରେ ବାତାବରଣ ଖୁବ୍ ସୁନ୍ଦର ଥିଲା । ଯଜ୍ଞ ପାଇଁ ଗୋଟିଏ ଧେନୁ ଓ ତା’ର ବତ୍ସା ସେଠାରେ ବନ୍ଧା ହୋଇଥାଏ । ନାନା ଫୁଲଫଳ ଶୋଭିତ ବୃକ୍ଷରାଜି ଚତୁର୍ଦ୍ଦିଗରେ ପୁରି ରହିଥାଏ । ଏକ ବିରାଟ ଯଜ୍ଞକୁଣ୍ଡରେ ଅଗ୍ନି ଜଳୁଥାଏ । ଭଗବାନ୍ ପର୍ଶୁରାମ ଧ୍ୟାନସ୍ଥ ହୋଇ ବସିଥା’ନ୍ତି । ସମ୍ମୁଖରେ ଶିବଲିଙ୍ଗ । ତାଙ୍କର ତପସ୍ୟାଶକ୍ତି ଯୋଗୁଁ ମନେ ହେଉଥାଏ ଯେପରି ତାଙ୍କ ଦେହରୁ ଆଲୋକ ବାହାରୁଛି । କିଛି ସମୟ ଦୁଇଭାଇ ସେଠାରେ ବସିବା ପରେ ପର୍ଶୁରାମଙ୍କର ଧ୍ୟାନ ଭାଙ୍ଗିଲା । ଏମାନେ ଯାଇ ତାଙ୍କୁ ପ୍ରଣାମ କଲେ ଓ କହିଲେ, “ମହାତ୍ମନ୍, ଆମେ ଦୁହେଁ ଯାଦବଶ୍ରେଷ୍ଠ ବସୁଦେବଙ୍କ ପୁତ୍ର । ଯମୁନା ତଟସ୍ଥିତ ମଥୁରାନଗରୀର ବାସିନ୍ଦା । ପିଲାଦିନରୁ କଂସ ଭୟରେ ଆମକୁ ଆମ ପିତା ଗୋପରେ ନନ୍ଦରାଜାଙ୍କ ପାଖରେ ଛାଡି ଆସିଥିଲେ । ସେ ଆମର ଲାଳନ ପାଳନ ଦାଇତ୍ତ୍ଵ ନେଇଥିଲେ । ପରେ ଆମେ ବଡ ହୋଇ ଆସି କଂସକୁ ମାରିବାରୁ କଂସର ଶ୍ୱଶୁର ଜରାସନ୍ଧ ମଥୁରାନଗରୀ ଉପରେ ଆକ୍ରମଣ କଲା । ପ୍ରଜାଙ୍କର ଅଯଥା ପ୍ରାଣହାନୀ ଭୟରେ ଆମେ ଏଠାକୁ ଆସିଛୁ । ଜରାସନ୍ଧ ମଧ୍ୟ ତା’ ସୈନ୍ୟସାମନ୍ତ ଧରି ଆମର ପିଛା କରୁଥିବ । ଏବେ କ’ଣ କରାଯାଏ?”
ପର୍ଶୁରାମ କହିଲେ, “ତୁମେ ଦୁହେଁ ଦକ୍ଷିଣ ଦିଗକୁ ଆସିବାର ସେ ବି ଜାଣିଛି । ତେଣୁ ତୁମକୁ ଖୋଜି ଖୋଜି ସେ ନିଶ୍ଚୟ ଏଠାରେ ଆସି ପହଁଚିବ । ତୁମକୁ ମୁଁ ପାହାଡ ଉପରେ ସ୍ଥିତ ଏକ ଦୁର୍ଗକୁ ନେଇଯିବି ତମେ ଦୁହେଁ ସେହିଠାରେ ଥାଇ ତା’ ସହିତ ଯୁଦ୍ଧ କରିବ । ମୁଁ ତୁମକୁ ଆଶିର୍ବାଦ କରୁଛି ତୁମେ ଦୁହେଁହିଁ ବିଜୟୀ ହେବ । ମନେରଖ ପାପୀମାନେ କେବେବି ଜିତି ପାରିବେ ନାହିଁ ।”
ତା’ପରେ ତିନିଜଣଯାକ ଯାଇ ଗୋମନ୍ତ ପର୍ବତରେ ପହଁଚିଲେ । ଏକ ଗୋପନପଥ ଦେଇ ସେମାନେ ଉପରକୁ ଗଲେ । ପର୍ବତ ଉପରକୁ ଯାଇ ସେମାନେ ଦେଖିଲେ ଅତି ସୁନ୍ଦର ଦୃଶ୍ୟ । ଲାଗୁଥାଏ ଯେପରି ସୂର୍ଯ୍ୟଚନ୍ଦ୍ରଙ୍କର ଉଦୟାସ୍ତ ବହୁତ ନିକଟରେ ହେଉଛି । ତା’ଛଡା ସମସ୍ତ ଦ୍ୱୀପମାଳା ସହିତ ସମୁଦ୍ର ମଧ୍ୟ ଦେଖାଯାଉଥାଏ । ସେଠାରେ ସୁନ୍ଦର ସୁନ୍ଦର ଗୁମ୍ଫା ଓ ଦୁର୍ଗ ଥିଲା । ପର୍ଶୁରାମ କହିଲେ, “ଏବେ ତୁମେ ଦୁହେଁ ସାବଧାନ ହୋଇ ଥାଅ । ଶତ୍ରୁସୈନ୍ୟ ଆସିବା ମାତ୍ରକେ ଶବ୍ଦ ଶୁଣିପାରିବ । ଏଠାରୁ ଥାଇ ଯୁଦ୍ଧ କଲେ ସେମାନେ ହାରି ପଳାଇଯିବେ । ମୁଁ ମୋର ପାରୁପର୍ଯ୍ୟନ୍ତ ତୁମର ସହାୟତା କଲି । ଏବେ ମୁଁ ଯାଉଛି । ଶେଷରେ ଜୟ ତୁମରହିଁ ହେବ ।” ଏତିକି କହି ପର୍ଶୁରାମ ସେଠାରୁ ଚାଲିଗଲେ ।
ଦୁଇ ଭାଇ ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବଲୋକନ କରି ସେଠାରେ ଆନନ୍ଦରେ ଥା’ନ୍ତି । କିଛିଦିନ ପରେ ଜରାସନ୍ଧ ତା’ର ସମସ୍ତ ସୈନ୍ୟ ଓ ବନ୍ଧୁ ରାଜାମାନଙ୍କୁ ଧରି ସେଠାରେ ଆସି ପହଁଚିଲା । ସେମାନଙ୍କ ମଧ୍ୟରେ ଶିଶୁପାଳ, ରୁକ୍ମି, ଚେକିତାନ, ବହ୍ନିକ, ଜୟଦ୍ରଥ ଆଦି ସବୁ ବଡ ବଡ ବୀର ରାଜାମାନେ ଥିଲେ ।
ଜରାସନ୍ଧ ସବୁ ରାଜାମାନଙ୍କର ଏକ ସଭା କରି କହିଲା, “ଖବର ମିଳିଛି ଯେ ସେ ଯାଦବ କୁମାର ଦୁହେଁ ଏହି ପର୍ବତରେହିଁ ରହିଛନ୍ତି । ଏହାର ଉପରକୁ ଯିବା ଦେବତାମାନଙ୍କ ପାଇଁ ମଧ୍ୟ ଦୁଃସାଧ୍ୟ ପୁଣି ରଥଚଢି ସେଠାକୁ ଯିବା ତ ଆଦୌ ସମ୍ଭବ ନୁହେଁ । ଆମେମାନେ ରାସ୍ତା ପରିଷ୍କାର କରି ଉପରକୁ ଯିବାକୁ ଯଥା ସମ୍ଭବ ଚେଷ୍ଟା କରିବା । ନିହାତି କିଛି କରି ନ ପାରିଲେ ପର୍ବତକୁ ଭାଙ୍ଗି ଚୁରି ଧୂଳିସାତ୍ କରି ସେମାନଙ୍କୁ ମାରିବା ପରେ ଯାଇ ଆମେମାନେ ନିଜ ନିଜ ଘରକୁ ଫେରିବା ।”