କୈଳାସ ଶିଖର ଓ କାଂଚନ ଶିଖରରେ ପହଁଚି ହନୁମାନ ଔଷଧ ଗଛ ଗୁଡିକ ଖୋଜିବାରେ ଲାଗିଲେ । କିନ୍ତୁ ସବୁ ଗଛ ତ ପ୍ରାୟ ସମାନ ଦିଶୁଛି । ସେ ବିରକ୍ତ ହୋଇ ସମଗ୍ର ପର୍ବତଟିକୁ ଉପାଡି ଧରି ଆକାଶରେ ଉଡିଉଡି ଫେରିଲେ ।
ଦୂରରୁ ଏତେବଡ ପାହାଡ ଧରି ଉଡିଆସୁଥିବା ହନୁମାନଙ୍କୁ ଦେଖି ବାନର ସୈନ୍ୟମାନେ ସିଂହନାଦ କଲେ । ହନୁମାନ ଆକାଶରୁ ତଳକୁ ଓହ୍ଲାଇଲେ, ଗୁରୁଜନ ମାନଙ୍କୁ ପ୍ରଣାମ କଲେ ଓ ସମାସ୍କନ୍ଧ ମାନଙ୍କୁ ଆଲିଙ୍ଗନ କଲେ ।
ଔଷଧ ଦିଆଗଲା । ଲକ୍ଷ୍ମଣଙ୍କ ଚେତା ଫେରି ଆସିଲା । ଔଷଧ ଗଛର ପବନରେ ମୁର୍ଚ୍ଛିତ ବାନର ମାନଙ୍କର ଚେତା ମଧ୍ୟ ଫେରି ଆସିଲା । ସମସ୍ତେ ମିଶି କୋଳାହଳ କଲେ । ସମ୍ଭାବନା ଏପରି ମଧ୍ୟ ଥିଲା ଯେ ବାୟୁମଣ୍ଡଳରେ ସେହି ଔଷଧ ଗଛର ପବନ ଲାଗିଲେ ରାକ୍ଷସମାନେ ମଧ୍ୟ ଜୀବନ ପାଇଯିବେ । କିନ୍ତୁ ରାବଣର ଆଦେଶରେ ମୁର୍ଚ୍ଛିତ ଓ ଅର୍ଦ୍ଧ ମୁର୍ଚ୍ଛିତ ରାକ୍ଷସମାନଙ୍କୁ ଯୁଦ୍ଧ ପରେପରେ ସମୁଦ୍ରରେ ଫିଙ୍ଗି ଦିଆଯାଉ ଥିଲା । ତେଣୁ ସେମାନେ ବଞ୍ଚି ଉଠିବାର ଆଉ କୌଣସି ସମ୍ଭାବନା ନଥିଲା ।
ଚିକିତ୍ସା ଶେଷ ହେବା ପରେ ସୁଷେଣଙ୍କ ଅନୁରୋଧରେ ହନୁମାନ ପୁଣି ସେହି ପର୍ବତଟିକୁ ବୋହି ନେଇ ହିମାଳୟରେ ରଖି ଫେରି ଆସିଲେ । ତା’ପରେ ସୁଗ୍ରୀବ ହନୁମାନଙ୍କୁ କହିଲେ, “ହନୁମାନ, ଏବେ ପରିସ୍ଥିତି ଅନୁସାରେ କ’ଣ କରାଯିବ? କୁମ୍ଭକର୍ଣ୍ଣ ମଲା ଓ ଇନ୍ଦ୍ରଜିତ ତ ଯୁଦ୍ଧରୁ ଲେଉଟି ଯାଇ ପ୍ରାସାଦରେ ରହିଛି । ଏବେ ସୁଧା ରାବଣ ଯୁଦ୍ଧକ୍ଷେତ୍ରକୁ ଆସି ନାହିଁ । ତେଣୁ ଚାଲ ଆମେ ମଶାଲ ଧରି ରାତ୍ରିରେ ଲଙ୍କାଗଡକୁ ଆକ୍ରମଣ କରିବା ।”
ରାତ୍ରିରେ ସେମାନେ ଲଙ୍କାଗଡ ଆକ୍ରମଣ କଲେ, ଯୁଦ୍ଧପାଇଁ ବହୁତ ରାକ୍ଷସ ସୈନ୍ୟ ବାହାରି ଆସିଲେ । ତୁମୁଳ ଯୋଦ୍ଧା ହେଲା । କୁମ୍ଭ ଓ ଅନ୍ୟାନ୍ୟ ରାକ୍ଷସ ମାନେ ଆସି ଯୁଦ୍ଧ କଲେ । କୁମ୍ଭ ଗୋଟାଏ ଛୋଟ କୁମ୍ଭକର୍ଣ୍ଣ ପରି ଦେଖାଯାଉଥାଏ । ତାକୁ ଯୁଦ୍ଧରେ ହଟାଇବା ବଡ କଠିନ ଥିଲା । ବହୁ ବାନର ସେନା ମାରି ମାରି ସେ ଯୁଦ୍ଧକ୍ଷେତ୍ରକୁ ଦଳିମନ୍ଥି ପକାଇଲା । ଏପରି ଅବସ୍ଥା ଦେଖି ଅଙ୍ଗଦ ତା’ ସହିତ ଯୁଦ୍ଧ କଲେ । ଦୁହେଁ ବହୁସମୟ ଧରି ଯୁଦ୍ଧ କଲେ, କେହି କାହାକୁ ହରାଇ ପାରୁ ନଥାନ୍ତି । ଶେଷରେ ଅଙ୍ଗଦ କୁମ୍ଭର ଏକ ଭୟଙ୍କର ବାଣରେ ମୁର୍ଚ୍ଛିତ ହୋଇ ପଡିଲେ । ସୁଗ୍ରୀବଙ୍କ ଆଦେଶରେ ବାନର ବୀରମାନେ ମୁର୍ଚ୍ଛିତ ଅଙ୍ଗଦଙ୍କୁ ଯୁଦ୍ଧ କ୍ଷେତ୍ରରୁ ଶିବିରକୁ ନେଇ ଆସିଲେ । ସୁଗ୍ରୀବ ଏଥିରେ ଭୀଷଣ ଭାବେ ରାଗିଗଲେ । ସେ ଏକୁଟିଆ ଯାଇ ତା’ହାତରୁ ଧନୁଶର ଛଡାଇ ଆଣି ସେସବୁକୁ ଭାଙ୍ଗି ଫୋପାଡି ଦେଲେ । ତା’ପରେ ସେ ଦୁହିଁଙ୍କର ମଲ୍ଲଯୁଦ୍ଧ ଆରମ୍ଭ ହେଲା । ବହୁ ସମୟ ଯୁଦ୍ଧ ହେବା ପରେ ସୁଗ୍ରୀବ ତା’ର ଛାତିରେ ବିଧାଏ କଷିଦେଇ ତାକୁ ବଧ କଲେ ।
କୁମ୍ଭର ବଧ ହେବା ପରେ ନିକୁମ୍ଭ ରାଗିକରି ଯୁଦ୍ଧକ୍ଷେତ୍ରରେ ପଶିଲା ଓ ଭୟଙ୍କର ଯୁଦ୍ଧ ଆରମ୍ଭ କଲା । ହନୁମାନଙ୍କର ଲଙ୍କା ପୋଡିବା କଥା ତା’ର ତ ମନେ ଥିଲା । ଦୂରରୁ ହନୁମାନଙ୍କୁ ଦେଖି ସେ ଏକ ଶକ୍ତିଶାଳୀ ପରିଘ ଛାଡିଲା । ସେଥିରେ ହନୁମାନଙ୍କର କିଛିବି ହେଲେ ହେଲା ନାହିଁ ବରଂ ତାଙ୍କର ବଜ୍ରଦେହରେ ପରିଘ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବାଜି ଚୁନା ହୋଇଯାଉଥାଏ । ହନୁମାନ ରାଗିଯାଇ ତାକୁ ଏକ ଭୟଙ୍କର ବିଧା ମାରିଲେ । ସେଥିରେ ସେ ରକ୍ତବାନ୍ତି କରି ମୂର୍ଚ୍ଛା ହୋଇ ତଳେ ପଡିଗଲା । ହନୁମାନ ତାଙ୍କୁ ଛାଡି ଅନ୍ୟ ଆଡେ ଯୁଦ୍ଧ କରିବାକୁ ଗଲେ । କିଛି ସମୟ ମଧ୍ୟରେ ସେ ଚେତାପାଇ ପୁଣି ହନୁମାନଙ୍କ ଆଡେ ଦୌଡିଲା । ହନୁମାନ ଏଥର ନିର୍ମମ ଭାବରେ ତାକୁ ବେକ ପାଖରୁ ଧରି ବୁଲାଇ ବୁଲାଇ କଚାଡି ମାରିଲେ ।
ତା’ପରେ ମକରାକ୍ଷ ସିଧା ଯାଇ ଶ୍ରୀରାମଙ୍କ ସହିତ ଯୁଦ୍ଧ କଲା ଓ କିଛି ସମୟ ମଧ୍ୟରେ ତା’ର ବି ପଞ୍ଚତ୍ୱ ପ୍ରାପ୍ତି ହେଲା । ଏଥର ରାବଣ ଖୁବ୍ ବ୍ୟସ୍ତ ହୋଇ ପଡିଲା ଓ ପରେ ଇନ୍ଦ୍ରଜିତକୁ ଡାକି ସେ ସବୁ କହିଲା । ଇନ୍ଦ୍ରଜିତ ବହୁ ଶୀଘ୍ର ଯଜ୍ଞ ଆରମ୍ଭ କଲା ।
ସେହି ବିଚିତ୍ର ଯଜ୍ଞ ଶେଷରେ ଦେଖାଗଲା ଯେ ସେହି ଯଜ୍ଞ କୁଣ୍ଡରୁ ଧୁଆଁ ବାହାରୁ ନାହିଁ । ଏହାର ଅର୍ଥ ବିଜୟ ଅନିବାର୍ଯ୍ୟ । ସେ ଯଜ୍ଞରେ ଦେବ, ଦାନବ ଓ ରାକ୍ଷସଙ୍କୁ ତର୍ପଣ କଲା । ତା’ପରେ ଅଦୃଶ୍ୟ ହୋଇଯିବା ପାଇଁ ନିଜର ବିଶିଷ୍ଟ ରଥ ଉପରେ ବସି ସେ ଯୁଦ୍ଧଭୁମିକୁ ଗଲା ।
ସେ ଯୁଦ୍ଧଭୂମିରେ ଅଦୃଶ୍ୟ ଭାବରେ ରହି ରାମଲକ୍ଷ୍ମଣଙ୍କୁ ଦେଖି ତାଙ୍କ ଉପରେ ବାଣବର୍ଷା କଲା, ଶ୍ରୀରାମ ଲକ୍ଷ୍ମଣ ବହୁତ ବାଣ ମାରିଲେ, କିନ୍ତୁ ତାହା ଇନ୍ଦ୍ରଜିତ ଦେହରେ ଆଦୌ ବାଜୁନଥାଏ । ଫଳରେ ଅନେକ ବାନର ସେନା ଓ ଯୋଦ୍ଧାମାନେ ଆହତ ହେଲେ । ତଥାପି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ବାଣ ଇନ୍ଦ୍ରଜିତର ବାଣସବୁକୁ କାଟିପକାଉ ଥିଲେ । ଲକ୍ଷ୍ମଣ ବହୁତ ରାଗି ଯାଇଥିଲେ; ସେ ଶ୍ରୀରାମଙ୍କୁ କହିଲେ, “ମୋତେ ଆପଣ ଆଜ୍ଞା ଦେଲେ ମୁଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସମସ୍ତ ରାକ୍ଷସଙ୍କୁ ଏକା ଥରେ ମାରି ପକାଇବି; କାରଣ ସେ ଯଦି ଯୁଦ୍ଧର ନିୟମ ମାନୁନାହିଁ ଓ ଶୁନ୍ୟରେ ଥାଇ ମାୟାଯୁଦ୍ଧ କରୁଛି ତେବେ ତାକୁ ଦମନ କରିବା ପାଇଁ ଏକମାତ୍ର ବ୍ରହ୍ମାସ୍ତ୍ରହିଁ ପ୍ରୟୋଗ କରାଯିବ । ବ୍ରହ୍ମାସ୍ତ୍ରକୁ କହିଲେ ସେ ତାକୁ ମେଘ ବାଦଲ ଭିତରୁ ବାହାରକୁ ଟାଣି ଆଣି ହତ୍ୟା କରିବ । ଯେତେ ସମୟ ଅତିକ୍ରମ କରୁଥିବ ସେତେ ବାନର ସେନା ମରୁଥିବେ । ତେବେ ଆପଣ ଯାହା କହିବେ ତାହାହିଁ ହେବ ।”