ବେଲାପୁର ଗ୍ରାମରେ ଚରିଆ ନାମକ ବାମନଟିଏ ଥାଏ । ଉଚ୍ଚରେ ଅତି ସାନ, ଦେଖିବାକୁ ସେ ମଧ୍ୟ ଏତେ ଭଲ ନୁହେଁ । କିନ୍ତୁ ହାତୀମାନଙ୍କୁ ବଶରେ ରଖିବାର ନାନା ପ୍ରକାର କୌଶଳରେ ସେ ଦକ୍ଷତା ଅର୍ଜନ କରି ଥାଏ । ହାତୀ କିଣିବାର ହେଲେ ରାଜା ତାକୁ ଡାକନ୍ତି ଓ ବହୁତ ଧନ ଦିଅନ୍ତି ।
ଦିନେ ତା’ର ହାତୀମାନଙ୍କ ସହିତ ନାନା ପ୍ରକାର କୌଶଳ ପ୍ରୟୋଗ କରିବାର ଦେଖି ସେ ରାଜା ବହୁତ ଖୁସି ହେଲେ । ତା’ପରେ ରାଜା ତାଙ୍କୁ ପ୍ରଶଂସା କରି କହିଲେ, “ମୋ ରାଜ୍ୟର ଏକ ଛୋଟିଆ ଗ୍ରାମରେ ତୁମର ଜନ୍ମ । କିନ୍ତୁ ତୁମେ ମୋ ରାଜ୍ୟର ନାଗରିକ ବୋଲି ମୁଁ ଅତ୍ୟନ୍ତ ଗର୍ବିତ । ଶାପଗ୍ରସ୍ତ ମହାରାଜ୍ ନଳଙ୍କ ପରି ତୁମ ମଧ୍ୟରେ ବି ଅଦ୍ଭୁତ କଳା କୌଶଳ ବିଦ୍ୟମାନ । ତୁମେ ଏବେ ମୋ ସହିତ ରାଜଧାନୀକୁ ଆସ । ମୋର ହାତୀ ଶାଳାର ଭାର ଆଜିଠାରୁ ମୁଁ କେବଳ ତୁମ ଉପରେହିଁ ନ୍ୟସ୍ତ କରୁଛି ।”
ସେହିଦିନଠାରୁ ବାମନ ଚରିଆ ହାତୀ ଶାଳାର ଦାଇତ୍ତ୍ଵରେ ରହିଲା । ତା’ ପାଖରେ ଅନେକ ଚାକର ବାକର ରହିଲେ । କାମଦାମ ସେ ଖୁବ୍ ଭଲରେ କରୁଥାଏ । କିନ୍ତୁ ସବୁବେଳେ ସେ ଚୁପ୍ଚାପ୍ ଥାଏ ।
ରାଜା ଦେଖିଲେ ସେ ଠିକ୍ ଭାବରେ ସବୁ କାମ କଲେ ମଧ୍ୟ ସେଥିରେ ତା’ର କୌଣସି ଉତ୍ସାହ ଓ ତତ୍ପରତା ନାହିଁ । ସୁତରାଂ ସେ ଦିନେ ଚରିଆକୁ କହିଲେ, “ତୁମକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ସତ୍ତ୍ୱେ ମଧ୍ୟ ତୁମେ କାହିଁକି ଏତେ ଶୁଖିଲା ଦିଶୁଛ? ମନେହୁଏ ତୁମ ଜୀବନରେ ଏକ ସାଥି ଦରକାର । ଏଥର ତୁମକୁ ବିବାହ କରାଇ ଦେବା ।”
ରାଜାଙ୍କ କଥାରେ ଚରିଆ ଶୁଖିଲା ହସ ହସି କହିଲା, “ମହାରାଜ, ଆପଣଙ୍କ ଦୟା ଓ ଉଦାରତାରୁ ମୋତେ ତ ଭଲ ଚାକିରୀଟିଏ ମିଳିଛି । କିନ୍ତୁ ମୋତେ ବିବାହ ଦେବା କଥା କହି ମୋତେ ଆଉ ଉପହାସର ପାତ୍ର କରନ୍ତୁ ନାହିଁ ।”
ଚରିଆର ଏଭଳି କଥା ଶୁଣି ରାଜା ବଡ ଦୁଃଖିତ ହୋଇ କହିଲେ, “ମୁଁ ତୁମକୁ ମୋଟେ ଉପହାସ କରୁନାହିଁ । ପ୍ରତ୍ୟେକ ପ୍ରାଣୀ ସକାଶେ ଗୋଟିଏ ସାଥୀ ନିଶ୍ଚୟ ଆବଶ୍ୟକ । ତୁମ ପାଇଁ ମୁଁ ସୁନ୍ଦରୀ ଝିଅଟିଏ ଯଥାଶୀଘ୍ର ଯୋଗାଡ କରିଦେବି ।”
ଏହାପରେ ଚରିଆ ରାଜାଙ୍କୁ ପ୍ରଣାମ କଲା ଓ ନୀରବ ରହିଲା ।
ଚରିଆର ବିବାହ ପାଇଁ ରାଜା ବଡ ଚିନ୍ତାରେ ପଡିଲେ । ଯେଉଁ ସୁନ୍ଦରୀ ଝିଅ ତାକୁ ବିବାହ କରିବ, ତାକୁ ତ ନିଶ୍ଚୟ ବହୁତ ବଡ ତ୍ୟାଗ କରିବାକୁ ହେବ । ରାଜା ଏହି ଘୋଷଣା କଲେ କି ଯିଏ ଚରିଆକୁ ଝିଅ ଦେବ ତାକୁ ରାଜା ବହୁତ ଜମି ଓ ଧନ ଦେବେ ।
ଶେଷକୁ ତିନୋଟି ଝିଅ ଆସିଲେ । ତନ୍ମଧ୍ୟରେ ଥିଲେ ଦୁଇଟି ସୁନ୍ଦର ଝିଅ ଓ ତୃତୀୟଟି ଚରିଆ ପରି ବାମନ ଥିଲା । ରାଜା ସେ ତିନିଜଣକୁ ଅଲଗା ଅଲଗା ସମୟରେ ଡାକି କହିଲେ, “ମୁଁ ରାଜା ବୋଲି ଆଦୌ ଭୟ ନକରି ନିଜର ମନକଥା ମୋତେ ଖୋଲି କୁହ ।”
ପ୍ରଥମ ଝିଅଟି କହିଲା, “ମହାରାଜ୍ ମୋର ସାବତମା’ ମୋ ଉପରେ ବହୁତ ଅତ୍ୟାଚାର କରୁଛି । ମୋ ବାପା ତ ତା’ର ଚାକର । ସେ ମୋତେ ଜଣେ ବୁଢା ସହିତ ବାହା ଦେବ ବୋଲି କହୁଛି । ଆପଣଙ୍କ ଘୋଷଣା ସେମାନଙ୍କ ମନରେ ବହୁତ ଆଶା ଆଣି ଦେଲା । ଯାହାହେଉ ମୁଁ ବି ଖୁସି କି ମୁଁ ରାଜାଙ୍କ ଆଜ୍ଞା ପାଳନ କରୁଛି ।”
ରାଜା ପଚାରିଲେ “ଆଚ୍ଛା ମୁଁ ଯଦି ତୁମପାଇଁ ଭଲ ବରଟିଏ କରିଦିଏ ତାହେଲେ ତୁମେ କ’ଣ ସେହି ବାମନକୁ ବିବାହ କରିବ?”
ଝିଅଟି ବିରକ୍ତ ହୋଇ କହିଲା, “ମୁଁ ରାଜାଙ୍କ ଆଜ୍ଞା ପାଳନ କରିବି । ଆପଣ ଯାହା ଆଜ୍ଞା ଦେବେ ତାହାହିଁ ମୋର ବ୍ରତ ।”
ଦ୍ୱିତୀୟ ଝିଅଟି କହିଲା ଯେ ତା’ ବାପା ବହୁତ ଗରିବ । ତିନିଟି ଝିଅ । ତିନିଟିଙ୍କୁ ବାହା ଦେବାକୁ ହେବ । ସେ କହିଲା “ବାମନ ସହିତ ମୋର ବିବାହ ହୋଇଗଲେ ଆମ ପରିବାରର ଆର୍ଥକ ପରିସ୍ଥିତିର ଉନ୍ନତି ହେବ ଏବଂ ମୋର ଅନ୍ୟ ଦୁଇ ଭଉଣୀ ଅନ୍ତତଃ ଶାନ୍ତି ସୁଖରେ ବିବାହ କରିବେ ।”
ରାଜା ତାକୁ କିଛି ନ କହି ତୃତୀୟ ବାମନ ଝିଅଟିକୁ କହିଲେ, “ମୁଁ ଯାହା ଚାହିଁବି ତାହାହିଁ ହେବ । ତୁମେ ଯଦି ଚାହିଁବ ତେବେ ମୁଁ ଜଣେ ସୁନ୍ଦର ଯୁବକ ସହିତ ତୁମର ବିବାହ ଦେଇ ପାରିବି । ମୁଁ ଚାହୁଁନାହିଁ ଚରିଆପରି ବାମନ ସହିତ ତୁମର ବିବାହ ହେଉ ବୋଲି । ତୁମେ ତ ଜାଣିଛ ଯେ ସୌନ୍ଦର୍ଯ୍ୟ ପରି ଗୁଣ, ବିବେକ, ବୁଦ୍ଧି ପ୍ରଭୃତିର କୌଣସି ମୂଲ୍ୟ ନାହିଁ ।”
ବାମନ ଝିଅଟି ସେ ରାଜାଙ୍କ ପାଦଛୁଇଁ ତାଙ୍କୁ ପ୍ରଣାମ କରି କହିଲା, “ରାଜନ୍, ଆପଣ ତ ଏ ଦେଶର ରାଜା; ଆପଣଙ୍କ ଆଜ୍ଞା ଟାଳିବାର ଶକ୍ତି କାହାର ବା ଅଛି? ତେଣୁ ଆପଣ ହୁଏତ କାମଦେବ ପରି ଜଣେ ଯୁବକ ସହିତ ମୋର ବିବାହ ଦେଇ ପାରିବେ, କିନ୍ତୁ ଆପଣ କ’ଣ ଆମର ହୃଦୟକୁ କେବେବି ମିଳେଇ ପାରିବେ । ସାମାଜିକ ଦୃଷ୍ଟିରୁ ମୁଁ ହୁଏତ ଚରିଆର ଯୋଗ୍ୟ ପତ୍ନୀ ନୁହେଁ, କିନ୍ତୁ ତଥାପି ମଧ୍ୟ ମୁଁ ମୋ ମନ, ପ୍ରାଣ ଦେଇ ତା’ର ଯତ୍ନ ନେବି । ତା’ର ଯୋଗ୍ୟ ଯତ୍ନୀ ହେବା ପାଇଁ ପ୍ରଚେଷ୍ଟା କରିବି ।”
ବାମନ ଝିଅର ଏପ୍ରକାର କଥା ଶୁଣି ରାଜା ଭାରି ଖୁସି ହେଲେ । ପରଦିନ ଚରିଆକୁ ଡାକି ରାଜା ତାକୁ ସବୁକଥା କହିଲେ । ରାଜା କହିଲେ, “ତୁମେ ଚାହଁ ତ ଯେ କୌଣସି ଜଣକୁ ବିବାହ କରିପାର । କିନ୍ତୁ ବାମନ ଝିଅଟି ତୁମର ଯଥାର୍ଥ ଜୀବନ ସଙ୍ଗିନୀ ହୋଇ ପାରିବ ବୋଲି ପ୍ରୟାସ କରିବା ପାଇଁ ବଦ୍ଧ ପରିକର । ତୁମେ ଯାହା ଚାହଁ କୁହ ।”
ବାମନ ଚରିଆ ଅନ୍ୟ କୌଣସି ବିଚାର ମନରେ ନ ରଖି ବାମନ ଝିଅଟିକୁ ବିବାହ କରିବା ପାଇଁ ନିଜ ଇଚ୍ଛା ବ୍ୟକ୍ତ କଲା । ତା’ପରେ ସେ ରାଜା ମହାସମାରୋହରେ ସେମାନଙ୍କର ବିବାହ କରିଦେଲେ । ଏଥି ଉତାରେ ଦୁଇଟି ସୁନ୍ଦର ଓ ଗୁଣବାନ୍ ଯୁବକ ଦେଖି ଅନ୍ୟ ଝିଅ ଦୁଇଟିଙ୍କୁ ମଧ୍ୟ ବିବାହ ଦେଲେ ।