ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

ଗୋଟିଏ ଗ୍ରାମରେ ଫକୀର ନାମକ ଚାଷୀଟିଏ ରହୁଥାଏ, ତା’ ସ୍ତ୍ରୀ ପାଲିଆ ଅତି କଜିଆଖୋରଣୀ ଥିଲା । ସୁବିଧା ପାଇଲେହିଁ ସେ କଳି କରିବ ।

                ଦିନେ ଫକୀର ଓ ପାଲିଆ ପଡୋଶୀ ଗ୍ରାମରୁ ଘରକୁ ଫେରୁଥା’ନ୍ତି । ରାସ୍ତାରେ ଫଳ ଭର୍ତ୍ତି ଆମ୍ବଗଛଟିଏ ଦେଖିଲେ । ପାଲିଆ ସଙ୍ଗେ ସଙ୍ଗେ ସ୍ୱାମୀକୁ ଚାହିଁ କହିଲା, “ଦେଖ, କି ସୁନ୍ଦର ପାଚିଲା ଆମ୍ବ ସବୁ ଝୁଲୁଛି, ଗଛ ଚଢି କିଛି ନେଇ ଆସ ତ । ଏ ବର୍ଷ ମୁଁ ଏପର୍ଯ୍ୟନ୍ତ ଆମ୍ବ ଚାଖିନାହିଁ ।”

                ଫକୀର କହିଲା, “ସଂଧ୍ୟା ହେଲାଣି, କ୍ରମେ ଅନ୍ଧକାର ଘନେଇ ଆସୁଛି, ଶୀଘ୍ର ଯାଇ ଗ୍ରାମରେ ପହଁଚିବା । ଇଏ କ’ଣ ଆମ୍ବଗଛରେ ଚଢିବାର ସମୟ? ଗାଁରେ ପହଁଚିବା ପରେ ମୁଁ ତୁମପାଇଁ ଟୋକେଇଏ ଆମ୍ବ ଆଣିଦେବି ।”

                ପାଲିଆ ଯିଦ୍ ଧରି କହିଲା “ମୋର ତ ଏବେ ଆମ୍ବ ଖାଇବାକୁ ଭାରି ଇଚ୍ଛା ହେଉଛି ପରେ ଦେଲେ ସେଥିରେ କ’ଣ ଆନନ୍ଦ ଥାଏ । ଆଖି ଆଗରେ ଲାଲ୍ ଆମ୍ବଟିମାନ ଝୁଲୁଛି ନେଇ ଆସନା କିଛି ।”

                ଫକୀର ନିରୁପାୟ ହୋଇ ଗଛ ଚଢିବାକୁ ଗଲା । ଗଛମୂଳରେ ପହଁଚି ଉପରକୁ ଉଠିବାକୁ ବାହାରିଛି, ଏହି ସମୟରେ ଉପରେ ଚଢିଥିବା ଆଉ ଜଣେ ଲୋକର ଗୋଡ ଖସି ଯିବାରୁ ସେ ଠିକ୍ ଫକୀରର ଉପରେ ଆସି ପଡିଲା । ସେଥିରେ ଫକୀର ମଧ୍ୟ ପଡିଗଲା ଓ ତା’ ପାଦ ମକଚି ହୋଇଗଲା ।

                ପାଲିଆ ରାଗିଯାଇ କହିଲା, “ଆରେ ତୁମେ କିପରି ଲୋକ? ମୋ ସ୍ୱାମୀ ଉପରେ ପାହାଡ ପରି ଅଚାନକ କେଉଁଠୁ ଆସି ପଡିଲ? ଅନ୍ଧ ନା କ’ଣ? ମୁଁ ତୁମକୁ ଏତେ ସହଜରେ ଛାଡୁନାହିଁ ।”

                ସେ ଲୋକଟି ବିକଳ ଆଖିରେ ଚାହିଁ କହିଲା, “ମୋର କିଛି ଦୋଷ ନାହିଁ ଭଉଣୀ, ଗୋଡଟା ଖସିଗଲା ।”

                ପାଲିଆ ତାକୁ ଆହୁରି ଗାଳିଦେଲା । ସେ ବିଚାରା ମୁଣ୍ଡ ନୁଆଇଁ ସବୁ ସହ୍ୟ କରି ଗଲା । କିଛି ହେଲେ ବି କହିଲା ନାହିଁ ।

                ଗ୍ରାମରେ ପହଁଚିବା ମାତ୍ରେ ପାଲିଆ ସିଧା ସରପଞ୍ଚଙ୍କ ପାଖକୁ ଯାଇ ଫେରାଦ୍ ହେଲା । ଫକୀର ଯେତେ ମନାକଲା ସେ କିଛି ଶୁଣିଲା ନାହିଁ । ଓଲଟା ସେ କହିଲା, “ତମେ ବଡ ସାଧୁଲୋକ ନୁହେଁ? ସାରା ଗାଁର ଲୋକ ତୁମ ଉପରେ ପଡିଯିବେ ତ ତୁମେ କିଛି କହିବ ନାହିଁ ।”

                ଶେଷକୁ ପଞ୍ଚାୟତ ବାଧ୍ୟ ହୋଇ ପଡିଥିବା ବ୍ୟକ୍ତିକୁ ଡକାଇଲେ । ତା’ର ନାମ ଯଦୁ । ଯଦୁ ସବୁ ସତକଥା କହିଲା । ପଞ୍ଚାୟତ ପାଲିଆକୁ ବୁଝାଇଲେ ଯେ ଯଦୁ ଇଚ୍ଛା କରି ସେସବୁ କିଛି କରିନାହିଁ । ତାକୁ କ୍ଷମା କରିଦେଲେ ତ ହେଲା । କିନ୍ତୁ ପାଲିଆ କେଉଁଠି ଶୁଣୁଛି? ସେ ରାଗିଯାଇ କହିଲା, “ଇଏ କେମିତି ନ୍ୟାୟ? ଜାଣି ବୁଝି କରିନାହିଁ? ସିଏ ଗଛର ଛୋଟ ଡାଳରେ ବସିଗଲା, ମୋ ସ୍ୱାମୀ ଗଛମୂଳକୁ ଆସୁ ଆସୁ ତାଙ୍କ ଉପରକୁ ସେ ଡେଇଁଲା । ମୁଁ ନଥିଲେ ତ କଥା ସରିଥିଲା । ଆପଣ ଯଦି ଏହାର କିଛି ସମାଧାନ ନ କରିବେ ତେବେ କହିଦିଅନ୍ତୁ ମୁଁ ଆଉ କୌଣସି ଭଦ୍ରଲୋକ ବା ପୋଲିସ୍ ପାଖକୁ ଯିବି ।”

                ସରପଞ୍ଚ କହିଲେ, “ନ୍ୟାୟ ଖୋଜୁଛ ତ? ଠିକ୍ ଅଛି । ତୁମେ ଗଛ ଉପରେ ଚଢ; ଯଦୁ ଗଛତଳେ ଯାଇ ଠିଆ ହେଉ; ଆଉ ତମେ ତା’ ଉପରକୁ ଡେଇଁପଡ ।”

                ପାଲିଆ କହିଲା “ଗଛ ଉପରୁ ମୁଁ ଡେଇଁବି? ଯଦି ତା’ ଉପରେ ନପଡେ ମୋ ଗୋଡହାତ ଭାଙ୍ଗିଗଲେ ଏଥିଲାଗି ଦାୟୀ ହେବ କିଏ?”

                ସରପଞ୍ଚ କହିଲେ “ସେ ସମ୍ଭାବନା ଯଦୁ ପାଇଁ ବି ତ ଥିଲା । ତୁମେ ତା’ କଥା କାହିଁକି ବିଶ୍ୱାସ କରୁନାହଁ?”

                ଏବେ ପାଲିଆ ବୁଝିଗଲା । ତା’ପରେ ମୁହଁ ତଳକୁ କରି ନିଜ ସ୍ୱାମୀକୁ ଧରି ସେଠାରୁ ସେ ଫେରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ