ରାମ ସୁଗ୍ରୀବଙ୍କୁ ସଙ୍ଗରେ ନେଇ କିସ୍କିନ୍ଧ୍ୟାକୁ ଗଲେ । ସେତେବେଳେ ସୁଗ୍ରୀବଙ୍କ ବେକରେ ବଣମଲ୍ଲୀର ହାର ଥିଲା । ସୁଗ୍ରୀବ ଓ ଲକ୍ଷ୍ମଣ ଦୁହେଁ ଆଗେ ଆଗେ ଚାଲୁଥିଲେ । ପଛରେ ରାମ, ହନୁମାନ, ନଳ, ନୀଳ ଇତ୍ୟାଦି ଚାଲୁଥିଲେ । ବାଟରେ ଏକ ଘନ ଅରଣ୍ୟ ଦେଖାଗଲା । ଶ୍ରୀରାମ ସେହି ଅରଣ୍ୟ ବିଷୟରେ ସୁଗ୍ରୀବଙ୍କୁ କିଛି ପଚାରିଲେ । ସୁଗ୍ରୀବ କହିଲେ, “ଏକଦା ଏହି ଅରଣ୍ୟ ମୁନିମାନଙ୍କ ଆଶ୍ରମରେ ପୂର୍ଣ୍ଣ ଥିଲା । ସର୍ବଦା ଯଜ୍ଞ ଅଗ୍ନିର ଶିଖା ଜଳୁଥିଲା ଓ ଘୃତାହୁତିର ସୁଗନ୍ଧ ଚତୁର୍ଦ୍ଦିଗରେ ବ୍ୟାପି ରହିଥିଲା । ମୁନିମାନଙ୍କ ତପସ୍ୟା ଫଳରେ ସେଠାକୁ ଅପ୍ସରାମାନେ ଆସି ନୃତ୍ୟ କରୁଥିଲେ । ସୁନ୍ଦର ଫୁଲ ସବୁ ଫୁଟି ବାୟୁମଣ୍ଡଳକୁ ସେମାନଙ୍କ ସୌରଭରେ ଆମୋଦିତ କରି ରଖୁଥିଲେ । ସେଠାରେ ସପ୍ତଜନ ତପସ୍ୱୀଙ୍କ ବାସଭୂମି ଥିଲା ଯିଏକି ସ୍ୱଦେହରେ ସିଧା ସ୍ୱର୍ଗଲୋକକୁ ଯାଇଥିଲେ । ସେଥିପାଇଁ ସେକାଳର ତପସ୍ୟା ପ୍ରଭାବରୁ ଏହା ଏବେ ମଧ୍ୟ ଘନ ଜଙ୍ଗଲରେ ପୂର୍ଣ୍ଣ ଓ ସୁନ୍ଦର ପୁଷ୍ପ ସବୁରେ ପରିପୂର୍ଣ୍ଣ ହୋଇ ସୁଗନ୍ଧ ବିତରଣ କରୁଛି । କୁହାଯାଏ ଏବେ ମଧ୍ୟ ଅଗ୍ନି ମଧ୍ୟେ ମଧ୍ୟେ ଜଳୁଥାଏ । ତାହା ଭିତରକୁ କେହି କେବେ ଯାଏନାହିଁ ।”
ଶ୍ରୀରାମ ସେହି ଋଷିଙ୍କ ଉଦ୍ଧେଶ୍ୟରେ ପ୍ରଣାମ କଲେ । କିଛି ସମୟ ପରେ ସେମାନେ କିସ୍କିନ୍ଧ୍ୟାରେ ଯାଇ ପହଁଚିଲେ । ସେମାନେ ସମସ୍ତେ ଗଛତଳେ ଲୁଚି ରହିଲେ ଓ ସୁଗ୍ରୀବ ବାହାରେ ଠିଆ ହୋଇ ଚିତ୍କାର କରି ବାଳୀକୁ ଯୁଦ୍ଧ ପାଇଁ ଆହ୍ୱାନ କଲେ । ମାତ୍ର ତା’ପୂର୍ବରୁ ସେ ରାମଙ୍କୁ ଅନୁନୟ ବିନୟ କରି କହିଲେ କି ଏଥର ଯେପରି ସେ ନିଶ୍ଚୟ ବାଳୀଙ୍କୁ ମାରନ୍ତି ।
ଶ୍ରୀରାମ କହିଲେ “ଠିକ୍ ଅଛି । ଏଥର ବଣମଲ୍ଲୀ ହାର ଯୋଗୁଁ ମୁଁ ତୁମକୁ ଖୁବ୍ ସହଜରେ ଚିହ୍ନି ଦେବି । ଏଥିଲାଗି ତୁମର ଭୟଭୀତ ହେବାର ଆଉ କୌଣସି କାରଣ ନାହିଁ । ମୁଁ ଗୋଟିଏ ବାଣରେହିଁ ସେ ବାଳୀକୁ ଧରାଶାୟୀ କରିଦେବି । ମୋତେ ଯେତେ କଷ୍ଟ ସହିବାକୁ ହେଲେ ମଧ୍ୟ ତାହା ମୁଁ ସହିବି, କିନ୍ତୁ କଦାପି ମିଛ କହିବି ନାହିଁ; ମୁଁ ତୁମକୁ ବଚନ ଦେଇଛି ଅର୍ଥ ତାହାକୁ ଜୀବନ ଦେଇ ମଧ୍ୟ ପାଳନ କରିବି । ଏବେ ତମେ ନିଶ୍ଚିନ୍ତ ହୋଇ ବାଳୀକୁ ଯୁଦ୍ଧ ପାଇଁ ଆହ୍ୱାନ କର ।”
ଏଥର ସୁଗ୍ରୀବ ନିଜର ସମସ୍ତ ବଳ ଖର୍ଚ୍ଚ କରି ବାଳୀକୁ ଯୁଦ୍ଧପାଇଁ ଆହ୍ୱାନ ଦେଲେ । ତାଙ୍କ ଚିତ୍କାରର ସ୍ୱର ରାଜନଅରରେ ପ୍ରତିଧ୍ୱନିତ ହୋଇ ଉଠିଲା । ବାଳୀ ତ ସେତେବେଳେ ଅନ୍ତଃପୁରରେ ବିଶ୍ରାମ କରୁଥିଲେ । ସେ ଭୟଙ୍କର ଧ୍ୱନି ଶୁଣି ସେ ଭୀଷଣ ମାତ୍ରାରେ ଆଶ୍ଚର୍ଯ୍ୟ ହେଲେ; କହିଲେ, “ସୁଗ୍ରୀବ ଏବେ ମାଡ ଖାଇ ଯାଇଛି । ପୁଣି ଆସି ଡାକିଲାଣି, କଥା କ’ଣ? ଆଉ ଥରେ ତା’ର ଶିକ୍ଷା ଦରକାର ।” ତା’ପରେ ସେ ଗଦା ଧରି ଯୁଦ୍ଧକୁ ବାହାରିବା ବେଳେ ତା’ର ସହଧର୍ମିଣୀ ତାରା କହିଲେ, “ଆପଣ କ’ଣ ରାତିରେ ସେ ସୁଗ୍ରୀବ ସହିତ ଯୁଦ୍ଧ କରିବାକୁ ଯିବେ? ସକାଳ ହେଉ, ସୁଗ୍ରୀବ ତ ଆପଣଙ୍କଠାରୁ ବୟସରେ ସାନ । ପୁଣି ମୋର କାହିଁ ସନ୍ଦେହ ହେଉଛି ଯେ ସେ ଥରେ ହାରିଯାଇ ପୁଣି କେଉଁ ସାହସରେ ଏଠାକୁ ଆସୁଛି? ଏହାର ଅର୍ଥ ସେ ଅବଶ୍ୟ କାହାର ସହାୟତା ପାଇଛି ନଚେତ୍ ଏତେ ସାହସ ସେ କେବେବି କରନ୍ତା ନାହିଁ । ସର୍ବଦା ଯେ ଖାଲି ଆପଣହିଁ ଯୁଦ୍ଧରେ ଜିତିବେ ଏକଥା ମଧ୍ୟ ମନରେ ଭାବିବା ଆଦୌ ଠିକ୍ ନୁହେଁ । ସୁଗ୍ରୀବ ବୁଦ୍ଧିମାନ୍ । ଆପଣଙ୍କ ବଳପରାକ୍ରମ ଜାଣିବା ପାଇଁ ପ୍ରଥମ ଥର ଆସି ମାଡଖାଇ ଯୁଦ୍ଧକ୍ଷେତ୍ରରୁ ସେ ପଳାଇଲା । ଅଙ୍ଗଦଠାରୁ ଶୁଣିଲି ଦୁଇଜଣ ବୀର ରାଜପୁତ୍ର ସେଠାକୁ ଆସିଛନ୍ତି । ମୋର ମନେ ହେଉଛି ସେମାନେ ସୁଗ୍ରୀବ ପଛରେ ରହିଛନ୍ତି । ନହେଲେ ସେ ପୁଣି କାହିଁକି ଆସନ୍ତା । ବରଂ ତମେ ସୁଗ୍ରୀବକୁ ଡାକି ତାକୁ ନିଜ ପାଖରେ ରଖିନିଅ । ଯାହାହେଲେ ବି ତ ସେ ତୁମର ନିଜ ଭାଇ । ଏକା ମା’ ପେଟରୁ ଜନ୍ମ ହୋଇଛ । ସେ ବିଚରା ତ ସେମିତି କିଛି ଭୁଲ୍ କରିନାହିଁ । ବରଂ ତୁମେ ତାହା ପ୍ରତି ବହୁତ ଅନ୍ୟାୟ କରିଛ । ଏବେ ଯୁଦ୍ଧ କଲେ ଜଣେ ତ ହାରିବ । ତୁମେ ହାରିଲେ ତୁମର ଗ୍ଳାନିବୋଧ ସାରା ଜୀବନ ପାଇଁ ରହିବ । ସେ ଯଦି ହାରେ ବା ତୁମ ହାତରେ ମରିଯାଏ ତେବେ ତ ଏହା ଆହୁରି ବଡ ଦୁଃଖର କଥା । ଏବେ ମୋ କଥା ମାନି ଏସବୁର ଏକ ସମାଧାନ କର ।”
“ସେସବୁ ତ କୌଣସି ମଧ୍ୟସ୍ଥି ରହି କରାଇବା କଥା ହେଲେ ବର୍ତ୍ତମାନ ପରିସ୍ଥିତିରେ ସେକଥା ପୁରାପୁରି ଅସମ୍ଭବ । କିନ୍ତୁ ଏବେ ଜଣେ ଯୁଦ୍ଧକୁ ଆହ୍ୱାନ କରିବାବେଳେ ମୁଁ କିପରି ଚୁପ୍ ରହିବି? ଏହା ତ ବୀରର ଲକ୍ଷଣ ନୁହେଁ । ମୁଁ ଏବେ ତା’ର ସେ ଗର୍ବ ଚୁର୍ଣ୍ଣ କରିବାକୁ ଚାହୁଁଛି । ତୁମେ ମୋତେ ଛାଡିଦିଅ ।” ଏତିକି କହି ବାଳୀ ତାରାଙ୍କ କଥା ମୋଟେ ନ ଶୁଣି ନଅରରୁ ବୀର ବିକ୍ରମରେ ବାହାରିଲେ ।