ଚୈତ୍ର ପଞ୍ଚମୀରେ ଶ୍ରୀରାମ ବନବାସ କରିବାକୁ ଯାଇଥିଲେ ଏବେ ଲଙ୍କାରୁ ଫେରିବା ରାସ୍ତାରେ ଚୈତ୍ର ଚତୁର୍ଥୀ ଆସି ହେଲାଣି, ଆଉ ଦିନଟିଏ ମାତ୍ର ଶ୍ରୀରାମ ପୁଷ୍ପକ ବିମାନକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରଖାଇ ମୁନିଙ୍କୁ ଯାଇ ଦେଖା କଲେ । ସେ ପଚାରିଲେ, “ମୁନିବର, ଅଯୋଧ୍ୟା ନଗରୀ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଅଛି ତ? ଭରତର ରାଜ୍ୟ ଠିକ୍ ଭାବରେ ଚଳୁଛି ତ? ଆଉ ଆମ ମା’ମାନେ କୁଶଳରେ ଅଛନ୍ତି ତ?”
ଭରଦ୍ୱାଜ କହିଲେ, “ଭରତ ତୁମଠାରୁ ପାଦୁକା ଆଣି ତାକୁ ପୂଜା କରି ନନ୍ଦୀଗ୍ରାମରେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ରହିଛି । ତା’ର ଶରୀର ଅଧା ଜଟା ଓ ବାଳରେ ଘୋଡାଇ ହୋଇ ରହିଛି । ସେ ତୁମର ପ୍ରତୀକ୍ଷା କରି ରହିଛି; ବାକି ରାଜ୍ୟରେ ଅନ୍ୟସବୁ କୁଶଳ ।”
ଭରଦ୍ୱାଜ ଚାହୁଁଥିଲେ ସେହି ଦିନଟି ରାମ ସେଠାରେ ଅତିଥି ହୋଇ ରହନ୍ତେ ଓ ପରଦିନ ଅଯୋଧ୍ୟା ଆସନ୍ତେ । ଶ୍ରୀରାମ ସେଠାରେ କିଛି ସମୟ ଅତିଥି ହୋଇ ରହିଲେ । ସେଠାରୁ ସେ ଭରତଙ୍କ ପାଖକୁ ହନୁମାନଙ୍କୁ ପଠାଇଲେ । ସେ କହିଲେ, “ହନୁମାନ, ତୁମେ ପ୍ରଥମେ ଶୃଙ୍ଗବେର ପୁର ଯାଇ ଶବରରାଜ ଗୁହକଙ୍କୁ ମୋ ଆସିବାର ବାର୍ତ୍ତା ଦିଅ । ସେ ତୁମକୁ ଅଯୋଧ୍ୟାର ମାର୍ଗଦର୍ଶନ କରାଇବେ । ତା’ପରେ ତମେ ଭରତଙ୍କ ପାଖକୁ ଯାଇ କୁହ ମୁଁ ମୋର ବନବାସ ସମାପ୍ତ କରି ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରୁଛି । ତୁମେ ଭରତଙ୍କୁ ସୀତା ହରଣଠାରୁ ରାବଣ ନିଧନ ପର୍ଯ୍ୟନ୍ତ ସବୁକଥା କୁହ ଏବଂ ଲକ୍ଷ୍ୟ କରି ଦେଖ ତାଙ୍କ ମୁହଁର ଭାବ କି ପ୍ରକାର ହେଉଛି । ତାଙ୍କୁ କୁହ ଯେ ମୁଁ ଶତ୍ରୁ ନିପାତ କରି ବଳବାନ୍ ମିତ୍ରଗଣଙ୍କ ସହ ଅଯୋଧ୍ୟା ଫେରୁଛି । ତୁମେ ଭଲ ଭାବରେ ଲକ୍ଷ୍ୟ କରି ଦେଖିବ ଭରତର ପ୍ରତିକ୍ରିୟା କ’ଣ ହେଉଛି । ଯଦି ପୂର୍ବ ପୁରୁଷଙ୍କ ରାଜ୍ୟ ଶାସନ କରିବାରେ ସେ ଅଭ୍ୟସ୍ତ ହୋଇଯାଇଛି, ତେବେ ମୁଁ ଅଯୋଧ୍ୟା ଯାଇ ତା’ ରାଜ୍ୟରେ କୌଣସି ପ୍ରକାର ବି ବାଧା ସୃଷ୍ଟି କରିବି ନାହିଁ । ଏସବୁ ଖବର ନେଇ ତମେ ଯେତେଶୀଘ୍ର ପାର ଫେରିଆସ ।”
ଶ୍ରୀରାମଙ୍କ ଆଦେଶ ପାଇ ହନୁମାନ ଶୃଙ୍ଗବେର ପୁର ଯାଇ ଶବର ରାଜା ଗୁହକଙ୍କୁ ଦେଖା କରି ତାଙ୍କୁ ଶ୍ରୀରାମଙ୍କର କୁଶଳ ବାର୍ତ୍ତା ଦେଲେ ଓ କହିଲେ, “ଆସନ୍ତା କାଲି ସେ ଆପଣଙ୍କୁ ଏହି ବାଟରେ ଦେଖା କରି ଯିବେ ।” ତା’ପରେ ସେ ଆକାଶ ମାର୍ଗରେ ନନ୍ଦୀଗ୍ରାମ ଆଡକୁ ଗଲେ । ନନ୍ଦୀଗ୍ରାମରେ ପହଁଚି ସେ ଦେଖିଲେ ଭରତ ଜଣେ ସନ୍ନ୍ୟାସୀଙ୍କ ପରି ଜଟାଜୁଟ ହୋଇ ଶ୍ରୀରାମଙ୍କ ପଥ ଚାହିଁବସିଛନ୍ତି । ସେ ସେଠାରେ ଫଳମୂଳ ପ୍ରଭୃତି ଖାଦ୍ୟ ଖାଇ ତପସ୍ୱୀଙ୍କ ପରି ଚଉଦବର୍ଷ ରହିଲେଣି । ସେହି ସ୍ଥାନରେ ରହି ସେ ଶାସନ କରନ୍ତି । ଭରତଙ୍କୁ ଦେଖି ହନୁମାନ ତାଙ୍କୁ ପ୍ରଣାମ କଲେ । ଭରତଙ୍କୁ ଏଭଳି ଏକ ପରିସ୍ଥିତିରେ ଦେଖି ହନୁମାନଙ୍କ ଚକ୍ଷୁ ଅଶ୍ରୁରେ ଭରିଗଲା । ସେ ଭାବିଲେ “ଆହା, ଭରତ, ଅଗ୍ରଜ ଶ୍ରୀରାମଙ୍କୁ କେତେ ଯେ ଭଲ ପାଆନ୍ତି ।” ସେ ଜାଣିଲେ ଯେ ତ୍ୟାଗ, ନିଃସ୍ୱାର୍ଥତା, ନିଷ୍ଠା ଓ ଆତ୍ମସମର୍ପଣ ଆଦି ଶ୍ରେଷ୍ଠ ଗୁଣମାନଙ୍କର ଅନ୍ୟଏକ ନାମ ହେଲା ଭରତ ।
ଶ୍ରୀରାମଙ୍କର ପାଦୁକା ଦୁଇଟି ସିଂହାସନରେ ରଖି ଭରତ ଅଯୋଧ୍ୟାଠାରୁ ଦୂରରେ ତପସ୍ୱୀ ପରି ରହି ରାଜ୍ୟ ଶାସନ ଚଳାଉଥିଲେ । ଭକ୍ତି ଓ ଶ୍ରଦ୍ଧାର ଜ୍ୱଳନ୍ତ ଉଦାହରଣ ହେଉଛି ଏଇ ଭରତ । ସେ ରାଜା ହେଲେ ମଧ୍ୟ ତପସ୍ୱୀ ପରି ଜୀବନ ବିତାଉଥା’ନ୍ତି । ତାଙ୍କ ମୁଖମଣ୍ଡଳରେ ଏକମାତ୍ର ଭାବ ଦେଖା ଯାଉଥିଲା, ତାହା ଥିଲା ଶ୍ରୀରାମଙ୍କର ଦର୍ଶନ ପାଇଁ ପ୍ରତୀକ୍ଷା । ତାଙ୍କୁ ଦେଖି ଶ୍ରୀରାମ ଦେଇଥିବା ଖବର କଥା ହନୁମାନ ଭୁଲିଯାଇ କେବଳ ଭରତଙ୍କୁ ମୁଗ୍ଧ ହୋଇ ଚାହିଁ ରହିଥିଲେ । କିଛି ସମୟ ପରେ ନିଜକୁ ସମ୍ଭାଳି ନେଇ ସେ କହିଲେ, “ମୋତେ ଶ୍ରୀରାମ ପଠାଇଛନ୍ତି । ମୁଁ ତାଙ୍କର ଦୂତ । ସେ କହିଛନ୍ତି ସେ ସକୁଶଳରେ ଅଛନ୍ତି ଆପଣ କାଲିହିଁ ଶ୍ରୀରାମଙ୍କ ଦର୍ଶନ ପାଇବେ । ଶ୍ରୀରାମ ରାବଣକୁ ବଧ କରି ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାଗମନ କରୁଛନ୍ତି । ତାଙ୍କ ସହିତ ବଳଶାଳୀ ମିତ୍ରମାନେ ମଧ୍ୟ ଅଛନ୍ତି । ଆହୁରି ପୁଣି ତାଙ୍କ ସହିତ ସୀତା ଓ ଲକ୍ଷ୍ମଣ ମଧ୍ୟ ଆସୁଛନ୍ତି ।”