ରତ୍ନଗିରି ଓ ହେମଗିରି ନାମକ ଦୁଇଟି ପଡୋଶୀ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ସକାଶେ ଟିକିଏ ମନୋମାଳିନ୍ୟ ଦେଖା ଦେଇଥାଏ । ଯଦିଓ ରତ୍ନଗିରିର ରାଜା ଧନଞ୍ଜୟ ଶକ୍ତିଶାଳୀ ଥିଲେ ତଥାପି ସୀମା ସଂକ୍ରାନ୍ତରେ ହଠାତ୍ ହେମଗିରିକୁ ଆକ୍ରମଣ କରିଲେ ହୁଏତ ଅନ୍ୟ ରାଜାମାନେ ତାକୁ ସାହାଯ୍ୟ କରିବେ, ଏଇ ସବୁ ଭାବିଚିନ୍ତି ସେ ଗୋଟିଏ ଦୂତ ହାତରେ ହେମଗିରିର ରାଜା ହିରଣ୍ମୟଙ୍କ ପାଖକୁ କିଛି ସର୍ତ୍ତ ସହ ଗୋଟିଏ ଚିଠି ପଠାଇଲେ । ସେଥିରେ ଲେଖାଥିଲା ଯଦି ସର୍ତ୍ତ ଗୁଡିକରେ ହିରଣ୍ମୟ ରାଜି ହୁଅନ୍ତି ତେବେ ସେମାନଙ୍କ ମଧ୍ୟରେ ଆପୋଷ ମିଳାମିଶା ହୋଇଯିବ ।
ହିରଣ୍ମୟଙ୍କ ମନ୍ତ୍ରୀ ମହେଶ୍ୱର ଚିଠିଟି ନେଇ ରାଜାଙ୍କୁ ଦେଲେ ଓ କହିଲେ, “ମହାରାଜ, ଏ ପତ୍ର କୁଟନୀତିରେ ପୂର୍ଣ୍ଣ । ରାଜା ଧନଞ୍ଜୟ ମିଳାମିଶା ନାମରେ ଅନୁଚିତ ସର୍ତ୍ତ ସବୁ ଲେଖିଛନ୍ତି । ସର୍ତ୍ତ ପୂରଣ ନ ହେଲେ ଆକ୍ରମଣ କରିବା ପାଇଁ ତାଙ୍କୁ ଗୋଟାଏ ଆଳ ମିଳିଯିବ ।”
ରାଜା କହିଲେ, “ଆଚ୍ଛା ତାହେଲେ ଏମିତି କଥା । ସେ ଆମ ଆଖିରେ ଧୂଳି ଦେଇ ସବୁ କାମ କରିନେବେ । ଏହା ତ ଅସମ୍ଭବ ।”
ମନ୍ତ୍ରୀ କହିଲେ “କେବଳ ସେତିକି ନୁହେଁ ମହାରାଜ, ସେଥିରେ ଯୁଦ୍ଧ କରିବାର ଧମକ ମଧ୍ୟ ସେ ଦେଇଛନ୍ତି ।”
“ଦେଖ, ଜଣେ ବିଜ୍ଞବ୍ୟକ୍ତିଙ୍କୁ ଖୋଜି ଆମର ବାର୍ତ୍ତା ଦେଇ ଧନଞ୍ଜୟଙ୍କ ପାଖକୁ ଦୂତ ରୂପେ ତାକୁ ପଠାଇଦିଅ ।”
ମନ୍ତ୍ରୀ କହିଲେ “ଆଜ୍ଞା ମହାରାଜ, ମୁଁ ମଧ୍ୟ ଜଣେ ଯୋଗ୍ୟବ୍ୟକ୍ତି ଖୋଜୁଛି ଯିଏ କି ଆମ ରାଜ୍ୟର ପ୍ରତିନିଧିତ୍ତ୍ୱ କରିବ ।”
ରାଜା ପଚାରିଲେ “ତୁମ ଦୃଷ୍ଟିରେ କିଏ କିଏ ସେପରି ବ୍ୟକ୍ତି ଅଛନ୍ତି କୁହ ।”
ମନ୍ତ୍ରୀ ଟିକିଏ ଭାବିଚିନ୍ତି କହିଲେ, “ମହାରାଜ, ଆମର ରାଜପୁରୋହିତ ପୁଷ୍କର ଜଣେ ଅତ୍ୟନ୍ତ ଚତୁର ବକ୍ତା । ସେ ତାଙ୍କର ବାକ୍ଚାତୁରୀ ଦ୍ୱାରା ବଡ ବଡ ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ବିସ୍ତାର କରି ପାରନ୍ତି । ଆପଣ ଯାହା କିଛିବି ବାର୍ତ୍ତା ଦେବେ ସେହିଁ ନେଇ ରତ୍ନଗିରି ଯା’ନ୍ତୁ ।
ରାଜା ହିରଣ୍ମୟ ଟିକିଏ ଭାବି କହିଲେ, “କିନ୍ତୁ ରାଜା ଧନଞ୍ଜୟଙ୍କ ଦରବାରରେ ବହୁତ ବଡ ବଡ ବକ୍ତା ଅଛନ୍ତି । ତାଙ୍କ ଦରବାରର କବି ଅପୂର୍ବଙ୍କ କଥା ତ ଶୁଣିଛ । ସେ ସୁଚତୁର ବକ୍ତା ଭାବରେ ଖୁବ୍ ପ୍ରସିଦ୍ଧ । ଆମ ଦୂତ ଓ ସେ ଦୁହେଁ ଯଦି ନିଜ ନିଜର ବାକ୍ଚାତୁରୀକୁ ନେଇ ପ୍ରତିଯୋଗିତା ଆରମ୍ଭ କରିଦେବେ ତେବେ ତ ଦୁଇ ରାଜ୍ୟର ମିଳାମିଶାର ଆଉ କୌଣସି ସମ୍ଭାବନା ନାହିଁ ।”
ମନ୍ତ୍ରୀ ମଧ୍ୟ ଅଳ୍ପ ଚିନ୍ତା କରି କହିଲେ, “ଏପରି ରାଜନୈତିକ ପରିସ୍ଥିତିରେ ଦୁଇପଟର ଦିଆନିଆ ସମ୍ପର୍କରେ ଟିକିଏ ଉଦାର ହେବାକୁ ପଡିବ । ଆମ ରାଜ୍ୟର ଜଣେ ଶିଳ୍ପପତି ଅଛନ୍ତି ସେ ରାଜନୀତି ଓ ବ୍ୟବହାର ବିଷୟରେ ଜଣେ କୁଶଳୀ ବ୍ୟକ୍ତି । ତାଙ୍କ ନାମ ନିରଞ୍ଜନ । ତାଙ୍କ ସମ୍ପର୍କରେ ଆପଣଙ୍କର ମତ କ’ଣ?”
ରାଜା କହିଲେ “ନିରଞ୍ଜନ ତ ମୁଖ୍ୟତଃ ଜଣେ ବ୍ୟବସାୟୀ । ତେଣୁ ବ୍ୟବସାୟ ଦୃଷ୍ଟିରୁ ସେ ବ୍ୟବହାରରେ କୁଶଳୀ ଓ ବାକପଟୁ । କିନ୍ତୁ ରାଜନୀତିରେ ସେ କେତେଦୂର ଅଭିଜ୍ଞ ସେ କଥା ଜାଣିବାର କୌଣସି ଉପାୟ ନାହିଁ । ସେ କ୍ଷେତ୍ରରେ ଜଣେ ସମ୍ପୂର୍ଣ୍ଣ ଅନଭିଜ୍ଞ ଲୋକକୁ ପଠାଇ ହାସ୍ୟାସ୍ପଦ ହେବାର କୌଣସି ପ୍ରୟୋଜନ ନାହିଁ ।”
ରାଜାଙ୍କ ପାଖରେ ବସିଥିବା ବିଦୁଷକ ବିନୋଦ ସେତେବେଳେ ମଜା କରି କହିଲା, “ମହାରାଜ, ଆପଣ ଯଦି ଜାଣୁଛନ୍ତି ପୁଷ୍କର ଓ ନିରଞ୍ଜନ ସେ କାମ ପାଇଁ ଅଯୋଗ୍ୟ ତେବେ ମୋତେ କାହିଁକି ସେ ଦାଇତ୍ତ୍ଵ ଦେଉନାହାଁନ୍ତି?”
ଏପରି ଏକ ଜରୁରୀ ଆଲୋଚନା ମଧ୍ୟରେ ବିଦୁଷକ ବିନୋଦର ହାସ୍ୟରସ ମନ୍ତ୍ରୀଙ୍କୁ ବହୁତ ଖରାପ୍ ଲାଗିଲା । ଏଣୁ ସେ ମଧ୍ୟ ବ୍ୟଙ୍ଗ କରି କହିଲେ, “ଯଦି ସେଇଟା ହାସ୍ୟରସର କଥା ହୋଇଥା’ନ୍ତା ତ ତୁମକୁ କାମଟା କରିବାକୁ କେବେଠାରୁ ଦିଆ ଯାଇଥା’ନ୍ତା ।”
ହିରଣ୍ମୟ ଅଳ୍ପ ଚିନ୍ତା କରି କହିଲେ, “ସତେ ତ । ଧବଳଗିରି ରାଜ୍ୟକୁ ମୋର ଦୂତ ହୋଇ ଯିବା ପାଇଁ ତମେହିଁ ତ ଯୋଗ୍ୟ ବ୍ୟକ୍ତି । ଦିନେ ଦୁଇଦିନ ମଧ୍ୟରେ ସେଠାକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଅ ।”
ରାଜାଙ୍କର ଏ ପ୍ରକାର କଥାଶୁଣି ତାଙ୍କ ମନ୍ତ୍ରୀ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ହୁଏତ ସେ ରାଜାଙ୍କୁ କିଛି କହିବାକୁ ଚାହୁଁଥିଲେ । କିନ୍ତୁ ରାଜା ନିଜ କଥାକୁ ଆହୁରି ଜୋର୍ ଦେଇ କହିଲେ, “ପ୍ରଥମରେ ବିନୋଦର ବାକ୍ପଟୁତାରେ ମୁଁ ନିଜେ ପ୍ରଭାବିତ । ସେମାନଙ୍କୁ କିପରି ପ୍ରଭାବିତ କରିବାକୁ ହେବ ସେକଥା ବିନୋଦ ଠିକ୍ ଜାଣେ ଏବଂ ସେମାନେ ଯେତେଦିନ ଆମ ସର୍ତ୍ତରେ ଅମଙ୍ଗ ହେବେ ସେତେଦିନ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥିବୁ ଓ ଇତିମଧ୍ୟରେ ଆମେ ସମୟ ପାଇବା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ, ଯଦି ମିଳାମିଶା ନହୁଏ ।”
ରାଜା ବିନୋଦକୁ ଅବଶେଷରେ ଧନଞ୍ଜୟଙ୍କ ଦରବାରକୁ ପଠାଇଲେ । ରାଜାଙ୍କ କଥା ଅନୁସାରେ ସେଠାରେ ବିନୋଦ ଇଚ୍ଛା କରି ବହୁଦିନ ଧରି ଆଲୋଚନାହିଁ କେବଳ କରି ଚାଲିଲା । ଇତିମଧ୍ୟରେ ହିରଣ୍ମୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କାଳବିଳମ୍ବ ନକରି ବିନୋଦ ଅନ୍ୟ ପଡୋଶୀ ରାଜ୍ୟର ରାଜାମାନଙ୍କୁ ମଧ୍ୟ ହିରଣ୍ମୟଙ୍କ ପକ୍ଷକୁ ନେଇ ଆସିଲା । ଏପରି ଭାବରେ କାର୍ଯ୍ୟ ହେଲା ଯେ ହିରଣ୍ମୟ ଖୁବ୍ ଶକ୍ତିଶାଳୀ ହୋଇ ଉଠିଲେ । ହିରଣ୍ମୟଙ୍କର ଯୁଦ୍ଧ ପ୍ରସ୍ତୁତି ଦେଖି ରାଜା ଧନଞ୍ଜୟ ତାଙ୍କ ସର୍ତ୍ତରେ ରାଜି ହେଲେ ଓ ମିଳାମିଶା ହୋଇଗଲା । ସେହିଦିନଠୁଁ ବିଦୁଷକ ବିନୋଦ ସେହି ରାଜ୍ୟର ରାଜଦୂତ ଭାବରେ ନିଯୁକ୍ତି ପାଇଲେ ।