ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଧ ଏବଂ ଧୋବାର କାହାଣୀ

ଅତି ପୁରା କାଳର କଥା । ଗୋଟିଏ ନଗରୀରେ ଶୁଦ୍ଧପଟ ନାମକ ଏକ ଧୋବା ବସ ବାସ କରୁଥିଲା । ଧୋବାଟି ଘରେ ଗୋଟିଏ ଗଧ ପାଳିଥାଏ । କିନ୍ତୁ ଗଧଟିକୁ ତା’ର ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଯୋଗାଇ ପାରୁ ନଥାଏ । ଯାହାଫଳରେ ଗଧଟି ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । ଦିନେ ଶୁଦ୍ଧପଟ ଜଙ୍ଗଲ ମଧ୍ୟଦେଇ ଯିବା ସମୟରେ ଗୋଟିଏ ମଲା ବାଘ ଦେଖିଲା । ମନେମନେ ଏକ ଉପାୟ ଚିନ୍ତା କଲା । ସେ ଭାବିଲା ବର୍ତ୍ତମାନ ମୁଁ ଯଦି ଏହି ବାଘର ଦେହରୁ ଛାଲଟିକୁ ବାହାର କରି ନେଇପାରିବି ଓ ତାକୁ ନେଇ ଗଧର ପିଠି ଉପରେ ପକାଇ ଗଧକୁ ରାତିରେ ଶସ୍ୟ କ୍ଷେତରେ ଛାଡିଦେବି । ଲୋକମାନେ ଗଧକୁ ବାଘଭାବି କେହି ଆକ୍ରମଣ କରିବେ ନାହିଁ ।

       ଶୁଦ୍ଧପଟ ସଂଗେ ସଂଗେ ନିଜର ଭାବନାକୁ କାର୍ଯ୍ୟରେ ପରିଣତ କରିଦେଲେ । ମୃତ ବାଘର ଛାଲକୁ ଆଣି ଏପରି ବାଗରେ ଗଧ ଉପରେ ପକାଇଲେ ଯେ ଗଧଟି ଗଧ ଭଳି ନଦିଶି ଏକ ବାଘ ପରି ଦେଖାଗଲା । ପ୍ରତ୍ୟେକ ଦିନ ରାତିରେ ଶୁଦ୍ଧପଟ ଗଧକୁ ନେଇ ଯବ କିଆରୀରେ ଛାଡିଦେଇ ଆସନ୍ତି ଏବଂ ସୂର୍ଯୋଦୟ ପୂର୍ବରୁ ଗଧକୁ ନେଇ ଆସନ୍ତି । ରାତିରେ ଶସ୍ୟ ଜଗିଥିବା ଜଗୁଆଳୀମାନେ ବାଘ ଭାବି କେହି ତା’ ନିକଟକୁ ଆସନ୍ତି ନାହିଁ । ଏହିପରି କିଛିଦିନ ଗଲା । ଗଧଟି ଦିନକୁ ଦିନ ମୋଟା ହେବାକୁ ଲାଗିଲା । ସବୁଦିନ ତ’ ସମାନ ସୁବିଧା ସୁଯୋଗ ଆସେନି । ‘ସତ’ କେତେଦିନ ବା ଲୁଚି ରହିବ? ଦିନେ ରାତିରେ କିଛି ଦୂରରେ ଏକ ମାଈ ଗଧ ବୋବାଉଥିବାର ଗଧଟି ଶୁଣିପାରିଲା । ସେ ସଂଗେ ସଂଗେ ମନଖୁସିରେ ବୋବାଇବା ଆରମ୍ଭ କରିଦେଲା । ଜଗୁଆଳୀମାନେ ସଂଗେ ସଂଗେ ଜାଣି ପାରିଲେ ଯେ, ଏହା ଏକ ଗଧ । ଶେଷରେ ଜଗୁଆଳୀମାନେ ଗଧକୁ ପିଟି ପିଟି ମାରି ପକାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ