ଜୀବନରେ ହସ କ’ଣ ଜାଣିନଥିବା ଜ୍ଞାନ ବିଜ୍ଞାନ ରାଜ୍ୟର ଲୋକଙ୍କୁ ହସର ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ପରବର୍ତ୍ତୀ ମୁଲକରେ ଯାଇ ପହଁଚିଲା । ସେଠି ଏକଦା ଜଣେ ସନ୍ନ୍ୟାସୀଙ୍କ ବିଭୂତି ଯୋଗୁଁ ଲୋକେ ପ୍ରତ୍ୟହ ମନଇଚ୍ଛା ଆକାରର ତରଭୁଜଟିଏ ଉପୁଜାଇ ଖାଇପିଇ ସୁଖରେ ରହୁଥିଲେ, କିନ୍ତୁ ସନ୍ନ୍ୟାସୀ ସେମାନଙ୍କୁ ଦେଇଥିବା ସେ ସୁଯୋଗର ଉଦ୍ଧେଶ୍ୟ ପାଶୋରି ଦେଇଥିଲେ । ସନ୍ନ୍ୟାସୀ ଓ ରାଜୁ ଅଦୃଶ୍ୟ ଭାବରେ ଗୋଟିଏ ମନ୍ଦିର ଭିତରେ ପଶିଲେ । ତା’ପରେ…
ମନ୍ଦିର ଭିତରେ ନଗରୀର ଶାସନ- ସମିତିର ବୈଠକ ହେଉଥିଲା । ଜଣେ ଦୀର୍ଘକାୟ ବ୍ୟକ୍ତି କହୁଥିଲେ, “ସୁଖର କଥା, ଆମେ ଏ ବର୍ଷ ତିନୋଟିଯାକ ‘ପାପ’କୁ କାବୁ କରି ପାରିଛୁ । ବଳି ପାଇ ଦେବୀ ଆପ୍ୟାୟିତା ହେବେ ।”
ନଗରୀର ସର୍ଦ୍ଦାର କହିଲେ “ସେମାନଙ୍କୁ ଥରେ ଦେଖିବା ।”
ଦୀର୍ଘକାୟ ବ୍ୟକ୍ତିଟି ସମିତିର ସଦସ୍ୟମାନଙ୍କୁ ଗୋଟାଏ ପ୍ରକାଣ୍ଡ ଯନ୍ତା ପାଖକୁ ନେଇଗଲେ । ତହିଁ ଭିତରେ ତିନୋଟି ହୃଷ୍ଟପୁଷ୍ଟ ବନ୍ଦୀ ଥିଲେ ।
ଦୀର୍ଘକାୟ ବ୍ୟକ୍ତିଟି ଚିହ୍ନାଇଦେଲା “ସେ ନିଶୁଆଟି ହେଲା କାମ; ଦାଢୀଆ ଜଣକ କ୍ରୋଧ ଏବଂ ସେ ପଗଡିବନ୍ତଟି ଲୋଭ ।” ସମିତିର ସଭ୍ୟମାନେ ତା’ପରେ ଯେଉଁ ତୀକ୍ଷ୍ନ ତରବାରୀ ସାହାଯ୍ୟରେ କାମ କ୍ରୋଧ ଲୋଭ ବଳି ପଡିବା କଥା, ସେ ଗୋଟିକର ଧାର ପରୀକ୍ଷା କରି ସନ୍ତୋଷ ପ୍ରକାଶ କଲେ ।
ଅଦୃଶ୍ୟ ସନ୍ନ୍ୟାସୀ ଅଦୃଶ୍ୟ ରାଜୁକୁ କହିଲେ, “ଏ ନଗରୀକୁ ଏହିକ୍ଷଣି ଧ୍ୱଂସ କରିଦେବାକୁ ମନେ ହେଉଛି!”
କହିବା ବାହୁଲ୍ୟ, ତାଙ୍କର ସେ କ୍ରୁଦ୍ଧ କଣ୍ଠସ୍ୱର ରାଜୁ ବ୍ୟତିରେକେ ଆଉ କେହି ହେଲେ ମଧ୍ୟ ଶୁଣିପାରିଲେ ନାହିଁ । ସେ ପୁଣି କହିଲେ, “ମୁଁ ଏ ଅଧମମାନଙ୍କ ପୂର୍ବପୁରୁଷଙ୍କୁ ସେମାନଙ୍କ ନିଜ ଚେତନାର କାମ କ୍ରୋଧ ମୋହ କିପରି ଦିବ୍ୟଶକ୍ତି ଆଗରେ ତ୍ୟାଗ କରିବାକୁ ହେବ, ତାହା ବୁଝାଇଥିଲି । ସେମାନେ କେତୋଟି ହତଭାଗ୍ୟ ବିଦେଶୀଙ୍କୁ ଧରିଆଣି ସେମାନଙ୍କୁ ଗୋଟାଏ ଗୋଟାଏ ଦୁର୍ଗଣ ନାମରେ ନାମିତ କରି ବଳି ଦେଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି! ହାୟରେ ମଣିଷ!”
ସେ ଦୀର୍ଘକାୟ ଲୋକଟି ଏ ବର୍ଷ ତିନୋଟିଯାକ “ପାପ” କାବୁ କରି ପାରିଥିବାର ଅର୍ଥ ବର୍ତ୍ତମାନ ରାଜୁ ପାଖରେ ସ୍ପଷ୍ଟ ହୋଇଗଲା ।
ଅଦୃଶ୍ୟ ଭାବରେ ନଗରୀ ଭିତରେ ଆଉ କିଛି ସମୟ ବୁଲି ସେମାନେ ଆହୁରି କେତେ କଥା ଜାଣିଗଲେ । ସେ ଯୌଗିକ ତରଭୁଜରୁ ନଗରବାସୀମାନେ ବିପୁଳ ଲାଭ କରନ୍ତି । ପ୍ରତିଦିନ ସନ୍ଧ୍ୟାରେ ବର୍ତ୍ତମାନର ସର୍ଦ୍ଦାର ପାହାଡ ଆରୋହଣ କରି କେତେ ସଂଖ୍ୟାରେ ଲୋକଙ୍କ ଚାହିଦା ମେଂଟାଇବା ଲାଗି ତରଭୁଜ ପ୍ରୟୋଜନ, ସେକଥା ଉଚ୍ଚକଣ୍ଠରେ କହିଯାଏ । ଗ୍ରାମ ଗ୍ରାମାନ୍ତରରୁ ଆସି ଆତିଥ୍ୟ ଗ୍ରହଣ କରିଥିବା ବ୍ୟକ୍ତିମାନେ ମଧ୍ୟ ସେ ସଂଖ୍ୟାର ଅନ୍ତର୍ଭୁକ୍ତ । ସକାଳେ ପାହାଡ ଉପରେ ବିଶାଳ ତରଭୁଜ ଆବିର୍ଭୁତ ହୋଇ ସୂର୍ଯ୍ୟ କିରଣରେ ଝଲସିତ ହେବାର ସେ ଅଦ୍ଭୁତ ଦୃଶ୍ୟ ତଥା ତରଭୁଜର ଅବର୍ଣ୍ଣନୀୟ ସ୍ୱାଦରେ ଆକୃଷ୍ଟ ହୋଇ ହଜାର ହଜାର ନରନାରୀ ସେଠାକୁ ଆସି ସପ୍ତାହଶେଷ ବିତାଉଥିଲେ । ଅବଶ୍ୟ ଅତିଥି-ଭବନରେ ସ୍ଥାନ ପାଇଁ ଓ ତରଭୁଜର ସାମାନ୍ୟ ଅଂଶ ପାଇଁ ସେମାନଙ୍କୁ ପ୍ରଚୁର ମୂଲ୍ୟ ଦେବାକୁ ପଡୁଥିଲା ।
ଏହିପରି ଭାବରେ ଜଣେ ଭାଗ୍ୟବାନ ପୂର୍ବପୁରୁଷଙ୍କ ଦ୍ୱାରା ପ୍ରାପ୍ତ ବର ଉପରେ ସେ ବସତିର ଜନସାଧାରଣ ନିଜ ନିଜର ‘ଉନ୍ନତି’ ସାଧନ କରି ଦୀର୍ଘସମୟ ଶୋଇବା ଅଥବା ଘୁଙ୍ଗୁଡି ମାରିବା ଭଳି ପ୍ରତିଯୋଗିତାରେ ବ୍ରତୀ ହୋଇ କାଳ କାଟୁଥିଲେ; ବର୍ଷକରେ ଥରେ ବିଦେଶରୁ ମଣିଷ କିଣି ଅଥବା ହରଣଚାଳ କରିଆଣି ସେମାନଙ୍କୁ ବଳି ଦେଉଥିଲେ ।
ସୂର୍ଯ୍ୟାସ୍ତ ବେଳକୁ ସନ୍ନ୍ୟାସୀ ଓ ରାଜୁ ପୁଣି ପାହାଡ ଶୀର୍ଷକୁ ଲେଉଟି ଆସିଥାନ୍ତି । ତରଭୁଜ ଲଟା ପାଖରେ ଗୋଟିଏ ପଥର ଉପରେ ବସି ସେ ଦୁହେଁ ଗପସପ କଲାବେଳେ ଝଲମଲ ପୋଷାକ ପରିହିତ ନଗରୀର ସର୍ଦ୍ଦାର ସେଠାରେ ଆସି ପହଁଚିଲା । ସେ ଗୁମ୍ଫାର ଦ୍ୱାର ଖୋଲା ଥିବାର ଦେଖି ଭୀଷଣ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଅନାଇବା ସଙ୍ଗେ ସଙ୍ଗେ ଥରେ ଗୁମ୍ଫାର ଅନ୍ଧକାର ଅଭ୍ୟନ୍ତର ଭିତରକୁ ଦୃଷ୍ଟିପାତ କରିବାକୁ ଚେଷ୍ଟା କଲା । ସେଥିରେ କିଛି ଲାଭ ନ ହେବାରୁ ସେ ଚିରାଚରିତ ଅଭ୍ୟାସ ଅନୁସାରେ ନିଜ ବରାଦ ଶୁଣାଇଦେଲା: “ଆଗାମୀ କାଲି କୋଡିଏ ହଜାର ମଣିଷଙ୍କ ଚାହିଦା ମେଂଟାଇବା ଭଳି ତରଭୁଜ ଲୋଡା ।”