କୌଣସି ଗୋଟିଏ ଗ୍ରାମରେ ଦୁଇଜଣ ବନ୍ଧୁ ଥା’ନ୍ତି । ସେ ଦୁହେଁ ଏକୁ ଆରେକ ବଳି ଅଳସୁଆ ଓ ଠକ । ତନ୍ମଧ୍ୟରୁ ଜଣକ ନାମ ବକ୍ରବୁଦ୍ଧି; ଅନ୍ୟ ଜଣକର ନାମ ହେଉଛି ଦୁର୍ବୁଦ୍ଧି । ନିଜ ଗ୍ରାମରେ ସେମାନେ ଆଉ କେତେ ଠକି ଖାଇବେ । ଏଭଳି ଭାବି ଦିନେ ସେ ଦୁହେଁ ବିଚାର କରି ଠିକ୍ କଲେ କୌଣସି ଦୂର ରାଜ୍ୟକୁ ଯାଇ ନିଜର ବୁଦ୍ଧି ବଳରେ କିଛି ଗୋଟେ ବ୍ୟବସ୍ଥା ନିଶ୍ଚୟ କରିବେ ।
ଦିନେ ନିଜ ଗ୍ରାମ ଛାଡି ସେ ଦୁହେଁ ଚାଲିଲେ । ସଂଧ୍ୟା ହେବା ପୂର୍ବରୁ ଗୋଟିଏ ଗ୍ରାମରେ ପହଁଚି ସେଠାରେ ସେମାନେ ରହିବାକୁ ସ୍ଥିର କଲେ । ଗ୍ରାମକୁ ଯିବା ପୂର୍ବରୁ ଗ୍ରାମ ସୀମାନ୍ତରେ ସେମାନେ ଦେଖିଲେ ଏକଲା ବଳଦଟିଏ ପଡିଆରେ ଘାସ ଚରୁଛି । ଏଥିରୁ ସେମାନେ ଜାଣିନେଲେ ଯେ ବଳଦଟି ଘରୁ ଫିଟି ପଳାଇ ଆସିଛି । ଦୁହେଁ ସେ ବଳଦକୁ ନେଇ ଟିକିଏ ବୁଦା ଥିବା ସ୍ଥାନରେ ବାନ୍ଧିଦେଇ ଆସିଲେ । ତା’ପରେ ସେମାନେ ସେହି ଗ୍ରାମ ଭିତରକୁ ଯାଇ ସେଠାରେ ରାତ୍ରିଟି ରହିବା ପାଇଁ ଘରଟିଏ ବାଛିଲେ । ଇତିମଧ୍ୟରେ ସେହି ବଳଦର ମାଲିକ ଚାରିଆଡେ ଏହା କରିସାରିଲାଣି ଯେ ତା’ର ବଳଦ ହଜିଛି । ଦୁର୍ବୁଦ୍ଧି କିଛି ନ ଜାଣିଲା ପରି କହିଲା, “ଓଃ, ଇଏ ଗୋଟାଏ କଥା । ମୋ ଗୁରୁ ଜଣେ ବଡ ଜ୍ୟୋତିଷ । ସେ ସଙ୍ଗେ ସଙ୍ଗେ କହିଦେବେ ।” ଏକଥା କହି ସେ ବଳଦ ମାଲିକ ଓ ଅନ୍ୟ କେତେଜଣ ଭଦ୍ରଲୋକଙ୍କୁ ନେଇ ବକ୍ରବୁଦ୍ଧି ପାଖକୁ ଗଲା । ସବୁକଥା ଶୁଣିସାରି ବକ୍ରବୁଦ୍ଧି ମିଛରେ ଆଖିବୁଜି ଧ୍ୟାନ କଲା । ତା’ପରେ ଆଖି ଖୋଲି ସେ ବତାଇ ଦେଲା ଠିକ୍ ସ୍ଥାନ ଯେଉଁଠାରେ କି ସେ ବଳଦ ମିଳିବ । ସେମାନେ ସେଠାକୁ ଯାଇ ବଳଦଟିକୁ ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ବକ୍ରବୁଦ୍ଧିକୁ ଜଣେ ମହାପୁରୁଷ ବୋଲି ଭାବିଲେ । ବଳଦର ମାଲିକ ସେମାନଙ୍କୁ କିଛି ଟଙ୍କା ମଧ୍ୟ ଦେଲା ।
ଠକ ଦୁହେଁ ମହା ଖୁସି । ଧରା ପଡିଯିବା ଭୟରେ ପରଦିନ ସକାଳୁ ସେ ଦୁହେଁ ସେ ଗ୍ରାମ ଛାଡି ଚାଲିଯିବାକୁ ବାହାରିଲେ; ସକାଳୁ ବାହାରିଛନ୍ତି ଗ୍ରାମର ମୁଖିଆ ଆସୁଥିବାର ସେମାନେ ଦେଖିଲେ । ଦୁହେଁ କୁହାକୁହି ହେଲେ, “ଇଏ ପୁଣି କି ବିପଦ ଆସିଲାରେ ବାବା ।”
କିନ୍ତୁ ମୁଖିଆ ପାଖକୁ ଆସିବାରୁ ସେମାନେ ତାଙ୍କୁ ହସି ହସି ପଚାରିଲେ, “କାହିଁକି ଧାଇଁ ଆସିଛନ୍ତି?”
ମୁଖିଆ ବକ୍ରବୁଦ୍ଧି ପାଖରେ ହାତ ଯୋଡି କହିଲେ “ମହାଶୟ, ମୋର ଭାଗ୍ୟ ଭଲ ଯେ ଆପଣମାନେ ଏଠୁ ଯିବା ପୂର୍ବରୁ ଦେଖା ମିଳିଗଲା, ମୋର ସୁନା ପାନବଟାଟି କାଲିଠାରୁ କୁଆଡେ ଚୋରୀ ହୋଇ ଯାଇଛି । ଆପଣ ଆଜି ଦିନକ ପାଇଁ ଅଟକି ଯାଆନ୍ତୁ ଆଉ ମୋତେ ଦୟାକରି ମୋ ଜିନିଷଟିର ସନ୍ଧାନ ଦିଅନ୍ତୁ ।”
“କିନ୍ତୁ ହାୟ, ଆଜିର ସମୟ ତ ବ୍ୟର୍ଥ ସମୟ । ଯାହା କଲେ ବି ସେସବୁ ବ୍ୟର୍ଥ ହେବ । କାଲି ସକାଳୁ ଆସନ୍ତୁ ମୁଁ କହିଦେବି ।” ଏହିଭଳି ଭାବେ ବକ୍ରବୁଦ୍ଧି ନିଜର ପ୍ରତ୍ୟୁତ୍ପନ୍ନମତି ଗୁଣରୁ କହି ପକାଇ ରକ୍ଷା ପାଇଲା ।
“ହେଉ, ଯାହା ଆପଣମାନଙ୍କ ଇଚ୍ଛା ।” ଏହା କହି ମୁଖିଆ ସେଠାରୁ ଫେରିଗଲେ । ସେ ଗଲାପରେ ଏ ଦୁହେଁ ଠିକ୍ କଲେ କି ଅର୍ଦ୍ଧ ରାତ୍ରିରେ ଚୁପ୍ଚାପ୍ ସେମାନେ ସେ ସ୍ଥାନଛାଡି ଅନ୍ୟତ୍ର ଚାଲିଯିବେ ।
ଏଣେ ମୁଖିଆ ଯାଇ ଘରେ କହିଲେ, “ଜ୍ୟୋତିଷ କହିଛନ୍ତି କାଲି ସୂର୍ଯ୍ୟୋଦୟ ବେଳକୁ ସେ ସେହି ଚୋରର ନାମ କହିଦେବେ ଓ ଜିନିଷ କେଉଁଠି ଅଛି ସେ ତା’ ମଧ୍ୟ କହିଦେବେ । ଜାଣ ମୋ ବଟାଟି ନିଶ୍ଚୟ ମିଳିଗଲା ।”
ସେହି ମୁଖିଆଙ୍କର ଭଗିଆ ନାମକ ଜଣେ ଚାକର ସେଇଟି ଚୋରେଇଥିଲା । ଏକଥା ଶୁଣି ତା’ ପ୍ରାଣ ଭୟରେ ଥରହର ।
ରାତି ହେବାରୁ ସେ ଯାଇ ଜ୍ୟୋତିଷଙ୍କ ଘର ପଛପଟେ ଲୁଚି ଲୁଚି ତାଙ୍କ କଥା ଶୁଣିଲା ।
ବକ୍ରବୁଦ୍ଧି କହୁଥାଏ, “ବଳଦ କଥାରେ ତ ଟଙ୍କା ପାଇଲେ ଏବେ ରାତି ଅଧରେ ଲୁଚି ପଳାଇବାକୁ ମୋତେ ଆଦୌ ଭଲ ଲାଗୁନାହିଁ ।”
ତା’ପରେ ଦୁର୍ବୁଦ୍ଧି କହିଲା, “ଆମେ ସକାଳୁ ଯାଇଥିଲେ ତ କେତେ ଦୂର ଯାଇଥା’ନ୍ତେ । ମୁଖିଆଙ୍କ ପାନବଟା ଚୋରୀ ଗଲାରୁ ସିନା ଆମେ ଏଠାରେ ରହିଲେ । ଏସବୁ ସେଇ ଭଗିଆର କାରସାଦି!” ଦୁର୍ବୁଦ୍ଧି ଭଗବାନଙ୍କୁ ଅତି ଆଦରରେ ଭଗିଆ ବୋଲି କହୁଥାଏ ।