ଶ୍ୟାମ ଶାସ୍ତ୍ରୀ ଜଣେ ସଚ୍ଚା ପଣ୍ଡିତ ଥିଲେ । ସେ ବହୁକାଳ ଧରି ନାନା ଶାସ୍ତ୍ର ଅଧ୍ୟୟନ କଲେ । ଲୋକେ କାହିଁକି ଧର୍ମ ନାମରେ ପରସ୍ପର କନ୍ଦଳ କରନ୍ତି, ସେ ଏଇକଥା ବୁଝିବାକୁ ଚାହୁଁଥିଲେ । ସେ ଦେଖିଲେ ହିନ୍ଦୁ ଧର୍ମଶାସ୍ତ୍ରର ପ୍ରଧାନ ସତ୍ୟ ହେଲା, ଧର୍ମ ମଣିଷ ସହ ଭଗବାନଙ୍କର ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ । ମଣିଷ ମଣିଷ ଭିତରେ ଝଗଡା ଉପୁଜାଇବା ଧର୍ମଶାସ୍ତ୍ରର ଉଦ୍ଧେଶ୍ୟ ନୁହେଁ ।
ଶ୍ୟାମ ଶାସ୍ତ୍ରୀ ଭାବିଲେ, ହୁଏତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ କନ୍ଦଳ ପାଇଁ କିଛି ଖୋରାକ ଥିବ । ସେଉଠୁ ସେ ଅନ୍ୟ ସବୁ ଧର୍ମର ମୂଳ ଶାସ୍ତ୍ର ପଢିବାକୁ ଆରମ୍ଭ କଲେ । ଦେଖିଲେ, ସେସବୁଥିରେ ମଧ୍ୟ ଶାନ୍ତି, ମୈତ୍ରୀ, ଏହିସବୁ ଗୁଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।
ତେବେ ଭିନ୍ନ ଭିନ୍ନ ଧର୍ମର ଲୋକେ କାହିଁକି ମାଡପିଟ ହୁଅନ୍ତି? ନିଜ ନିଜର ଅଜ୍ଞତା ଯୋଗୁଁ । ଏକଥା ତାଙ୍କର ହୃଦ୍ବୋଧ ହେଲା । ସେ ଭାବିଲେ, ଏ ବିଷୟରେ ଲୋକଙ୍କୁ ବୁଝାଇବା ଅତି ଆବଶ୍ୟକ । ତଦ୍ୱାରା ସେମାନଙ୍କର ଜ୍ଞାନଚକ୍ଷୁ ମଧ୍ୟ ଖୋଲିଯିବ । ଧର୍ମର ପ୍ରକୃତ ଅର୍ଥ ବୁଝିପାରିଲେ ହୁଏତ ଧର୍ମନାମରେ ସେମାନେ ଆଉ କେବେବି ମାଡପିଟ କରିବେ ନାହିଁ ।
ସେ ପ୍ରସ୍ତୁତ ହୋଇ ସବୁ ଧର୍ମଶାସ୍ତ୍ରର ପ୍ରଧାନ ବହିମାନ ଧରି ଦେଶ ବ୍ୟାପି ଗସ୍ତ କରିବାକୁ ବାହାରିଲେ । ବହି ବୋଝ ଧରି ତାଙ୍କ ସାଙ୍ଗରେ ଯିବା ନିମନ୍ତେ ସେ ଜଣେ ଲୋକ ଠିକ୍ କଲେ । ତା’ର ନାମ ଶେଖର ।
ପ୍ରଥମେ ପ୍ରଥମେ ତ ସେ ପଣ୍ଡିତଙ୍କ ସଭାରେ ବିଶେଷ କେହି ଲୋକ ହେଉ ନଥାନ୍ତି । ମାତ୍ର ପରେ ତାଙ୍କ ବକ୍ତୃତାର ଶୈଳୀ ଓ ଧର୍ମଗ୍ରନ୍ଥମାନଙ୍କରୁ ଦୃଷ୍ଟାନ୍ତ ଉପସ୍ଥାପନ କରିବାର ପଦ୍ଧତିରେ ଲୋକେ ଏତେ ପ୍ରଭାବିତ୍ତ ହେଲେ ଯେ ତାଙ୍କ ଖ୍ୟାତି କ୍ରମେ ବ୍ୟାପିଗଲା । ବଡ ବଡ ଅନୁଷ୍ଠାନ ତାଙ୍କୁ ବକ୍ତୃତା ଦେବା ପାଇଁ ନିମନ୍ତ୍ରଣ କଲେ । ସବୁଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ନାନା ଭେଟି ମଧ୍ୟ ଦିଆଗଲା ।
ଶ୍ୟାମ ଶାସ୍ତ୍ରୀ ଦିନେ ଲକ୍ଷ୍ୟ କଲେ, ଶେଖର ବଡ ହାଲିଆ ଦିଶୁଛି । ତା’ ସ୍ୱାସ୍ଥ୍ୟ ଯେପରି ଖରାପ ନ ହେବ, ସେଥିପାଇଁ ଶାସ୍ତ୍ରୀ ତାକୁ ଭଲ ଖାଦ୍ୟ ଖୁଆଇଲେ । କିନ୍ତୁ କ୍ରମେ ତା’ ସ୍ୱାସ୍ଥ୍ୟ ଯେପରି ଭାଙ୍ଗି ପଡିବାର ସେ ଲକ୍ଷ୍ୟ କଲେ ।
ଦିନେ ଜମାଳ ଗାଁର ଜମିଦାର ଶେଖ୍ ବଦ୍ରୁଦ୍ଦିନ ସାହେବ ଶ୍ୟାମ ଶାସ୍ତ୍ରୀଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଦେଲେ । ତହିଁ ଆର ସପ୍ତାହରେ ବିଷ୍ଣୁପୁରର ରାଜା ପ୍ରତାପରାୟ ତାଙ୍କୁ ଦୁଇଲକ୍ଷ ଟଙ୍କା ଦେଲେ ଓ ବିଷ୍ଣୁପୁରରେ ସାତ ଆଠଦିନ ରହିବାକୁ ତାଙ୍କୁ ଅନୁରୋଧ କଲେ ।
ଶ୍ୟାମ ଶାସ୍ତ୍ରୀ ସେହି ସୁଯୋଗରେ ଶେଖରକୁ ରାଜବୈଦ୍ୟଙ୍କ ପାଖକୁ ନେଇଯାଇ ତାକୁ ଭଲ ଭାବରେ ପରୀକ୍ଷା କରିବାକୁ ବୈଦ୍ୟଙ୍କୁ ଅନୁରୋଧ କଲେ । ତିନିଦିନ କାଳ ପରୀକ୍ଷା କରି ବୈଦ୍ୟ ଜଣାଇଲେ, “ଶେଖରର ସେମିତି କୌଣସି ବ୍ୟାଧି ନାହିଁ । ବରଂ ତା’ର ମନରେ କିଛି ବେଦନା ରହିଛି ।”
ଏକଥା ଶୁଣିବା ମାତ୍ରେ ଶ୍ୟାମ ଶାସ୍ତ୍ରୀ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଶେଖର ଘରୁ ବାହାରିବା ବେଳେ ତ ତାଙ୍କଠାରୁ ସେ ବଳି ଉତ୍ସାହ ଦେଖାଉଥିଲା । ପୁଣି ତା’ ମାନସିକ ବେଦନାର କାରଣ କ’ଣ ହେଲା । ସେ ଯେପରି ତା’ ଘରକୁ ନିୟମିତ ଭାବେ ଟଙ୍କା ପଠାଇ ପାରିବ, ଶ୍ୟାମ ଶାସ୍ତ୍ରୀ ସେ ବ୍ୟବସ୍ଥା ବି କରିଦେଇଥିଲେ ।
ସେ ଥରେ ଶେଖରକୁ ଏକାନ୍ତରେ ପଚାରିଲେ, “ସତ କହିଲୁ, ତୋର କ’ଣ ହୋଇଛି?”
ଶେଖର କାନ୍ଦ କାନ୍ଦ ଦେଖାଗଲା ଓ କହିଲା, “ପଣ୍ଡିତେ, ମୁଁ ସତହିଁ କହିବି । ତମେ ଯେଉଁ ବହିରୁ ଜ୍ଞାନ କାଢି ଲୋକଙ୍କୁ ଦେଉଛ, ସେ ସମୁଦାୟ ବହି ତ ମୁଁ ମୋ ନିଜ ମୁଣ୍ଡରେ ଧରି ଚାଲିଛି । ଅଥଚ ଲୋକେ ତମକୁ ସମ୍ବର୍ଦ୍ଧନା ଦେଉଛନ୍ତି, ଫୁଲମାଳ ଦେଉଛନ୍ତି, ଭେଟି ଦେଉଛନ୍ତି, ହେଲେ ମୋତେ ତ କାହିଁ କେହିବି ହେଲେ ପଚାରୁ ନାହାଁନ୍ତି!”
ଏଥର ଶ୍ୟାମ ଶାସ୍ତ୍ରୀ ରହସ୍ୟ ବୁଝିଲେ । ସେ ପଚାରିଲେ, “ଆଚ୍ଛା ଶେଖର, ତୁ ଦୈନିକ କେତେ ଘଂଟା ବୋଝ ମୁଣ୍ଡାଇ ଚାଲୁଛୁ?”
ଉତ୍ତର ଆସିଲା “ହାରାହାରି ଦୁଇ ଘଂଟା!”
ଶାସ୍ତ୍ରୀ ପଚାରିଲେ “ବେଶ୍ । ଯଦି କ୍ଳାନ୍ତ ଲାଗେ, ତେବେ ତୁ କ’ଣ କରୁ?”
ତହୁଁ ଶେଖର କହିଲା “ବୋଝ ତଳେ ରଖିଦିଏ ।”
ଶାସ୍ତ୍ରୀ ପଚାରିଲେ “ବେଶ୍ । ତୁ ମୋ ଅବସ୍ଥା କେବେ ବିଚାର କରିଛୁ? ମୁଁ ମୋ ମୁଣ୍ଡ ଭିତରେ ସବୁ ଜ୍ଞାନ, ଯୁକ୍ତିତର୍କ ଧରି ଚାଲିଛି । ନିଦରେ ଶୋଇବା ବେଳେ ବି ତାକୁ ଉତାରି ଦେବାର କୌଣସି ଉପାୟ ନାହିଁ । କ୍ଳାନ୍ତ ହେଲେ ବି ମୁଁ ତାକୁ ତଳେ ଥୋଇ ପାରିବି ନାହିଁ । ତେବେ କଷ୍ଟ କାହାର?”
ଶେଖର କହିଲା “ସତେ ତ ପଣ୍ଡିତେ! ମୁଁ ତ ଏକଥା ଆଦୌ ଭାବି ନଥିଲି!”
ତେଣିକି ଶେଖର ନିଜେ ବୋଝ ତଳେ ରଖିଲା ବେଳେ ମନକୁ ମନ କହେ, “ବିଚରା ପଣ୍ଡିତ! ସେ କେବେବି ବୋଝରୁ ମୁକୁଳି ପାରିବେ ନାହିଁ । ମୋ ବୋଝ ସିନା ମୋ ମୁଣ୍ଡ ଉପରେ । ହେଲେ ତାଙ୍କର ଭିତରେ!” ଏହାପରେ ଶେଖରର ସ୍ୱାସ୍ଥ୍ୟରେ ବେଶ୍ ଉନ୍ନତି ଦେଖାଗଲା ।