ଗୋଟିଏ ଜଙ୍ଗଲରେ ସିଂହଟିଏ ସିଂହୀଟିଏ ବାସ କରୁଥାନ୍ତି । ଦିନେ ସିଂହୀଟି ଦୁଇଟି ସୁନ୍ଦର ଛୁଆ ଜନ୍ମ ଦେଲା । ତେଣୁ ସିଂହ ପ୍ରତିଦିନ ଯାଇ ବଣରୁ ଶିକାର ସଂଗ୍ରହ କରି ଆଣି ସିଂହୀକୁ ଦିଏ । ସମସ୍ତେ ମିଳିମିଶି ଖାଆନ୍ତି । ଦିନକର କଥା, ସିଂହ ଜଙ୍ଗଲ ସାରା ବୁଲିଲେ ମଧ୍ୟ ତାକୁ କୌଣସି ଖାଦ୍ୟ ମିଳିଲା ନାହିଁ । ତେଣୁ ସେ ମନ ଦୁଃଖରେ ଘରକୁ ଫେରୁଥାଏ । ଫେରିବା ବାଟରେ ଏକ ବିଲୁଆ ଛୁଆ ପଡିଥିବାର ଦେଖିଲା । ଛୁଆଟିକୁ ଦେଖି ଯତ୍ନ ସହକାରେ ନିଜ ଦାନ୍ତ ସନ୍ଧିରେ ଧରି ବସାକୁ ନେଇ ଆସିଲା । ସିଂହୀକୁ କହିଲା, ‘ଦେଖ! ମୁଁ ଆଜି ତୁମ ପାଇଁ କ’ଣ ଆଣିଛି?’ ଜଙ୍ଗଲ ସାରା ବୁଲି ବୁଲି କିଛି ପାଇଲି ନାହିଁ । ବସାକୁ ଫେରୁଥିବା ବାଟରେ ଏହି ବିଲୁଆ ଛୁଆଟିକୁ ଦେଖିଲି । ଏହାକୁ ପାଇ ଜୀଅନ୍ତା ତୁମ ପାଇଁ ନେଇ ଆସିଛି । ପଣ୍ଡିତ ମାନେ କହିଛନ୍ତି ପରା, ସନ୍ନ୍ୟାସୀ, ବ୍ରାହ୍ମଣ, ଶିଶୁ ଏବଂ ସ୍ତ୍ରୀ ଲୋକମାନଙ୍କୁ କଦାପି ମାରିବ ନାହିଁ । ତେଣୁ ଏହି ଛୁଆଟିକୁ ମୁଁ ନମାରି ଜୀଅନ୍ତା ନେଇ ଆସିଛି । ତୁମେ ଏହାକୁ ମାରିପାର ।
ସିଂହର କଥା ଶୁଣି ସିଂହୀ କହିଲା, “ତୁମେ ଏହି ଛୁଆଟିକୁ ନମାରି ଜୀଅନ୍ତା ଆଣିଛ । ମୁଁ କ’ଣ କେବେ ଏହାକୁ ମାରି ପାରିବି?” ପ୍ରାଚୀନ ଧର୍ମଗ୍ରନ୍ଥରେ କୁହାଯାଇଛି, ‘ଜୀବନ ପ୍ରତି ବିପଦ ଆସିଲେ, ଯେଉଁ କାର୍ଯ୍ୟ କରିବା ଦରକାର, ତାହା କରିବା ଉଚିତ୍ । ତେଣୁ ଆମେ ଏହି ଶିଶୁଟିକୁ ନମାରି ପାଳି ପୋଷି ବଡ କରିବା’ । ଆଜିଠାରୁ ସେ ଆମର ତୃତୀୟ ପୁତ୍ର । ଏହା କହି ସିଂହୀଟି ଛୁଆଟିକୁ ନିଜର କ୍ଷୀର ପିଆଇଲା । ସିଂହୀର କ୍ଷୀର ପାଇ ଛୁଆଟି ଧୀରେ ଧୀରେ ବେଶ୍ ମୋଟା ହୋଇଗଲା । ଏହିପରି ତିନିଜଣଯାକ ଶିଶୁ ଏକାଠି ବଢୁଥାଆନ୍ତି । ସେମାନଙ୍କ ମନରେ କୌଣସି ଭେଦଭାବ ନଥାଏ । ସବୁସମୟରେ ଏକାଠି ସାଙ୍ଗ ହୋଇ ଖେଳନ୍ତି । ଦିନେ ତିନିଜଣଯାକ ଶିଶୁ ବଣରେ ଖେଳୁଥିବା ସମୟରେ ଏକ ଦୁଷ୍ଟ ହାତୀ ସେମାନଙ୍କ ଆଡକୁ ମାଡି ଆସିଲା । ଯେତେବେଳେ ସେମାନେ ହାତୀକୁ ଦେଖିଲେ, ସିଂହ ଛୁଆ ଦୁଇଟି ଗର୍ଜନ କରି ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । କିନ୍ତୁ ବିଲୁଆ ଛୁଆଟି କହିଲା, ‘ଭାଇମାନେ’! ତୁମେ ଏପରି କର ନାହିଁ । ତୁମ୍ଭେମାନେ ତା’ର ସାମ୍ନାକୁ ଯାଅନାହିଁ । ଏହା କହି ସେ ଏକା ଡିଆଁକେ ଘରକୁ ଦୌଡିଲା ।