ମହର୍ଷି ଅଗସ୍ତ୍ୟ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ – ସୁକେଶର ପୁତ୍ର ମାଲ୍ୟବନ୍ତ, ମାଳୀ ଓ ସୁମାଳୀ ଲଙ୍କାକୁ ଯାଇ ସେଠାରେ ଅବସ୍ଥାନ କଲେ । ସେଠାରେ ସେମାନଙ୍କ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କର ମଧ୍ୟ ବସବାସର ବ୍ୟବସ୍ଥା କଲେ । ବରପ୍ରାପ୍ତ ହୋଇଥିବାରୁ ସେ ତିନିଭାଇଯାକ ଅତ୍ୟନ୍ତ ଅହଂକାରୀ ଓ ପ୍ରଜାଙ୍କ ଉପରେ ଇଚ୍ଛା ମୁତାବକ ଅତ୍ୟାଚାର କରିବାରେ ଲାଗିଲେ ।
ପ୍ରଥମେ ପ୍ରଥମେ ମୁନିଋଷି ଓ ଦେବତାମାନେ ଚୁପ୍ ରହିଲେ । ସେମାନେ ମନେ ମନେ ଭାବିଲେ ଯେ ରାକ୍ଷସ ଭାଇମାନେ କିଛିଦିନ ନିଜ ଔଦ୍ଧତ୍ୟ ଦେଖାଇ ତା’ପରେ ଶାନ୍ତ ହୋଇଯିବେ । କିନ୍ତୁ ଦିନ ପରେ ଦିନ ବିତିଗଲା । ନିଜ ବ୍ୟବହାରରେ ଅନୁତପ୍ତ ହେବା ତ ଦୂରର କଥା, ରାକ୍ଷସମାନେ କ୍ଳାନ୍ତ ହେବାର କୌଣସି ଲକ୍ଷଣ ମଧ୍ୟ ଆଉ ଦେଖାଗଲା ନାହିଁ ।
ରାକ୍ଷସମାନଙ୍କ ଦ୍ୱାରା ପ୍ରପୀଡିତ ହୋଇ ଋଷିମୁନି ଓ ଦେବତାମାନେ ଭଗବାନ୍ ଶଙ୍କରଙ୍କ ପାଖରେ ପହଁଚି ନିବେଦନ କଲେ; “ହେ ଈଶ୍ୱର, ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ କରି ସେ ତିନିଭାଇଯାକ ଦେବତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ସ୍ୱର୍ଗରାଜ୍ୟ ଅଧିକାର କଲେ । ଋଷିମୁନିଙ୍କ ଉପରେ ମଧ୍ୟ ସେମାନେ ଅତ୍ୟାଚାର କଲେ । ସେମାନଙ୍କ ହାତରୁ ଆମକୁ ରକ୍ଷା କରନ୍ତୁ ।”
ମହେଶ୍ୱର ତ ସୁକେଶକୁ ବହୁତ ଭଲ ପାଉଥିଲେ । ତେଣୁ ସେ କହିଲେ, “ଦେଖନ୍ତୁ, ଆପଣମାନେ ଶ୍ରୀବିଷ୍ଣୁଙ୍କ ପାଖକୁ ଯାଆନ୍ତୁ । କାହିଁକିନା ସେହି ରାକ୍ଷସଗଣଙ୍କୁ ସଂହାର କରିବା ମୋ ପକ୍ଷେ ଅସମ୍ଭବ । ଏଭଳି ପରିସ୍ଥିତିରେ ଶ୍ରୀବିଷ୍ଣୁ ଅବଶ୍ୟ ଆପଣମାନଙ୍କର ସହାୟତା କରିବେ ।”
ମୁନିଋଷି ଓ ଦେବଗଣ ମହେଶ୍ୱରଙ୍କର ଜୟଧ୍ୱନି କରି ତାଙ୍କଠାରୁ ବିଦାୟ ନେଇ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ସେଠାରେ ପହଁଚି ସେମାନେ ଶ୍ରୀବିଷ୍ଣୁଙ୍କୁ କହିଲେ, “ଭଗବାନ୍, ତ୍ରିକୁଟ ପର୍ବତସ୍ଥିତ ଲଙ୍କାନଗରୀ ଏବେ ରାକ୍ଷସଙ୍କ ଦ୍ୱାରା ଅଧିକୃତ । ପୁଣି ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ କରି ସେମାନେ ଅତ୍ୟନ୍ତ ଉଦ୍ଧତ ଓ ଅହଂକାରୀ ହୋଇ ଋଷିମୁନି ଓ ଦେବତାମାନଙ୍କ ଉପରେ ଅନେକ ଅକଥନୀୟ ଅତ୍ୟାଚାର କରୁଛନ୍ତି, କୃପାକରି ଆମକୁ ସେମାନଙ୍କ କବଳରୁ ରକ୍ଷା କରନ୍ତୁ । ଏ କାମ ତ କେବଳ ଆପଣଙ୍କ ଦ୍ୱାରାହିଁ ସମ୍ଭବ ।”
ସେତେବେଳକୁ ଶ୍ରୀବିଷ୍ଣୁଙ୍କ ପାଖରେ ବହୁ ଭକ୍ତଙ୍କର ଆକୁଳ କ୍ରନ୍ଦନ ଯାଇ ପହଁଚି ସାରିଥାଏ । ତେଣୁ ଦେବଗଣ ଓ ମୁନିଋଷିଙ୍କ ଅଭିଯୋଗ ଶୁଣି ସେ ଆଉ ଆଶ୍ଚର୍ଯ୍ୟ ହେଲେ ନାହିଁ । ସେ କ୍ଷଣକାଳ ନୀରବ ରହିଲେ । ତାଙ୍କ ମୁହଁରେ ସ୍ମିତ ହସ ଖେଳିଗଲା । ସେ ଦେବଗଣଙ୍କୁ ପଚାରିଲେ, “ମାତ୍ର ତିନିଜଣ ରାକ୍ଷସ ସମସ୍ତ ଦେବଙ୍କୁ ଏଭଳି ଭାବରେ ବିପନ୍ନ କିପରି କରି ପାରିଲା? ଏହା ପଛରେ କି ରହସ୍ୟ ରହିଛି?”
ଦେବଗଣ କହିଲେ “ଭଗବାନ୍! ଆପଣ ତ ଜାଣନ୍ତି, ସେ ରାକ୍ଷସମାନେ ବ୍ରହ୍ମାଙ୍କ ବରରେ ବଳୀୟାନ୍ । ବ୍ରହ୍ମାଙ୍କ ଆଶୀର୍ବାଦ ଯେଉଁମାନଙ୍କୁ ରକ୍ଷା କରୁଛି, ଆମେ ସେମାନଙ୍କୁ ମଧ୍ୟେ ମଧ୍ୟେ ବାଧା ଦେଇପାରିବା ସିନା, ହେଲେ ସେମାନଙ୍କୁ ପୁରାପୁରି ଦମନ କରିବା ଆମ ପକ୍ଷରେ କିପରି ବା ସମ୍ଭବ ହେବ?”
ଶ୍ରୀବିଷ୍ଣୁ ସେମାନଙ୍କୁ ଅଭୟଦାନ ଦେଇ କହିଲେ, “ସୁକେଶ ଓ ତା’ର ପୁତ୍ରମାନଙ୍କୁ ମୁଁ ତ ଭଲ କରି ଜାଣେ । ମୁଁ ଅବଶ୍ୟ ସେମାନଙ୍କୁ ସଂହାର କରିବି । ସେଥିଲାଗି ଆପଣମାନେ ଆଦୌ ଚିନ୍ତା କରନ୍ତୁ ନାହିଁ ।”
ଶ୍ରୀବିଷ୍ଣୁଙ୍କର ଏହି ସାନ୍ତ୍ୱନାପୂର୍ଣ୍ଣ ବାକ୍ୟ ଶୁଣି ଦେବଗଣ ଓ ଋଷିଗଣ ବହୁତ ଆନନ୍ଦିତ ହେଲେ ।
ଏ ସମସ୍ତ ସମାଚାର ବହୁତ ଶୀଘ୍ର ଲଙ୍କାରେ ଯାଇ ପହଁଚିଲା । ମାଲ୍ୟବନ୍ତ ତା’ର ସାନ ଭାଇମାନଙ୍କୁ କହିଲା, “ଶୁଣ, ଦେବତା ଓ ଋଷିମାନେ ମିଳିମିଶି ଆମର ସଂହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଶୁଣାଯାଏ ଯେ ସେମାନେ ପ୍ରଥମେ ଶିବଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ କିନ୍ତୁ ଶିବ ତାଙ୍କର ଅସାମର୍ଥ୍ୟ ପ୍ରକାଶ କଲେ ଓ ବିଷ୍ଣୁଙ୍କ ପାଖକୁ ତାଙ୍କୁ ଯିବାକୁ କହିଲେ । ସେମାନେ ବିଷ୍ଣୁଙ୍କ ପାଖକୁ ଯିବାରୁ ବିଷ୍ଣୁ ଆମମାନଙ୍କୁ ବିନାଶ କରିବା ନିମନ୍ତେ ସ୍ୱୀକୃତି ହୋଇଛନ୍ତି । ବିଷ୍ଣୁଙ୍କ ଶକ୍ତି ସାମନାରେ ସମସ୍ତ ପ୍ରକାର ରାକ୍ଷସୀ ମାୟା ପଣ୍ଡ ହୋଇଛି । ହିରଣ୍ୟକଶ୍ୟପୁ ପରି ରାକ୍ଷସ ମଧ୍ୟ ତିଷ୍ଠି ପାରିଲା ନାହିଁ । ତେଣୁ ଏ କ୍ଷେତ୍ରରେ ଆମେମାନେ କ’ଣ କରିବା ଉଚିତ୍ ଭାବିଚିନ୍ତି ଶୀଘ୍ର ଠିକ୍ କରିବା ।”
ବଡଭାଇ ମାଲ୍ୟବନ୍ତର କଥା ଶୁଣି ମାଳୀ ଓ ସୁମାଳୀ କହିଲେ, “ଆମେମାନେ ପଣ୍ଡିତ । ଆମମାନଙ୍କର ତପସ୍ୟା ଶକ୍ତି ମଧ୍ୟ ବହୁତ ଅଛି: ଧନସମ୍ପଦ ମଧ୍ୟ ଅମାପ, ଆଉ ସୈନ୍ୟସାମନ୍ତ ତ ଅସୀମ, ଆମେ ତିନିଭାଇ ଶୌର୍ଯ୍ୟ, ବୀର୍ଯ୍ୟ ଓ ପରାକ୍ରମ କେଉଁଥିରେ ବା କମ୍? ତେଣୁ ଦେବତାମାନଙ୍କର ଅହଂକାର ଭାଙ୍ଗିଦେବା ଭଲ । ସେମାନେ ବିଷ୍ଣୁଙ୍କ ସହାୟତାରେ ଆମ ଉପରେ ଆକ୍ରମଣ କରିବା ପୂର୍ବରୁ ଆମେ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେବା ସବୁଠୁ ଭଲ ହେବ ।”
ଏ ପ୍ରସ୍ତାବରେ ସମସ୍ତେ ଏକମତ ହେଲେ । ସଙ୍ଗେ ସଙ୍ଗେ ଦେବଗଣଙ୍କ ଉପରେ ଭୀଷଣ ଓ ଅଚାନକ ଆକ୍ରମଣ କରିବା ନିମନ୍ତେ ରାକ୍ଷସଗଣ ପ୍ରସ୍ତୁତ ହେଲେ । ପ୍ରବଳ ଉତ୍ସାହରେ ସେମାନେ ବଛା ବଛା ରାକ୍ଷସ ସୈନ୍ୟଙ୍କୁ ତାଲିମ୍ ଦେବାକୁ ଲାଗିଲେ । ନୂଆ ଯୁଦ୍ଧର ସଙ୍କେତ ପାଇ ରାକ୍ଷସମାନଙ୍କର ଆନନ୍ଦ କହିଲେ ନ ସରେ ।