ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁ

ଥରେ ଜଣେ ସାଧୁ ତୀର୍ଥାଟନ କରି ରାମପୁରରେ ଆସି ପହଁଚିଲେ । ସେଠାରେ ବରଗଛ ତଳେ ପୋଖରୀ କୂଳରେ ସେ ତାଙ୍କ ଆସନ ପାତିଲେ । ଗ୍ରାମବାସୀମାନଙ୍କୁ ନିତି ସେ ବେଦ ବେଦାନ୍ତ ବୁଝାଉ ଥା’ନ୍ତି । ଗ୍ରାମବାସୀମାନେ ମଧ୍ୟ ପାଳିକରି ତାଙ୍କୁ ଖୁଆଉଥା’ନ୍ତି ।

                ଦିନେ ସେ ସାଧୁ ଜଣକ ରାମଦାସଙ୍କ ଘରେ ଭୋଜନରେ ବସିଥା’ନ୍ତି । ସେତେବେଳେ “ପୁରୁ” ନାମକ ଜଣେ ବ୍ୟକ୍ତି ସେଠାରେ ପହଁଚି ରାମଦାସଙ୍କୁ କହିଲା, “ମହାଶୟ, କରଜର ସମୟ କାଲିକି ପୁରିଯିବ । କିନ୍ତୁ ମୁଁ କେଉଁଠୁ ହେଲେ ମଧ୍ୟ ଟଙ୍କା ଯୋଗାଡ କରି ନପାରି ନାଚାର ହୋଇ ପୁଣି ଆପଣଙ୍କ ପାଖକୁ ଆସିଛି । ମାତ୍ର ମାସଟିଏ ଯଦି ସମୟ ଦେବେ, ତେବେ ମୁଁ ସବୁ ଦେଇ ଦେବି ।”

                ରାମଦାସ ରାଗିଯାଇ କହିଲେ, “ତୁମେ ନିଜ କଥା ଠିକ୍ ରଖି ପାରୁନାହଁ । ତୁମକୁ କରଜ ଦେଇ ମୁଁ ବହୁତ ବଡ ଭୂଲ୍ କରିଛି ।” ତା’ପରେ ତାକୁ ଅଧିକ କିଛି ଗାଳି ଦେଇ ସେଠାରୁ ସେ ବିଦାକଲେ ।

                ଏସବୁ ଘଟଣା ଦେଖି ସାଧୁ ରାମଦାସଙ୍କୁ କହିଲେ, “ବତ୍ସ, କ୍ରୋଧ ସମସ୍ତ ଅନର୍ଥର ମୂଳ କାରଣ; ଏହାକୁ ନୀଜ ଅଧୀନରେ ରଖିବା ଉଚିତ୍ । ଆଚ୍ଛା କୁହ ତ ପୁରୁକୁ ଗାଳିଦେଇ ତୁମେ କ’ଣ ପାଇଲ? ଖାଲି ମନର ଇଚ୍ଛା ପୂରଣ କରିଲ ।”

                ରାମଦାସ ବିନୟ ସହକାରେ ସାଧୁଙ୍କୁ କହିଲେ, “ମହାଶୟ, ମୋର ଗାଳିରେ କାହାର ମନ କଷ୍ଟ ହେବନାହିଁ । କାରଣ ତାହା କ୍ଷଣିକ । କାରଣ ମୁଁ ତାହା ପରକ୍ଷଣରେ ଭୂଲିଯାଏ । କାହାର କ୍ଷତି କରିବାର ଭାବନା ମୋ ମଧ୍ୟରେ ଆଦୌ ନଥାଏ ।”

                ସାଧୁ ଏକଥା ଶୁଣି ରାମଦାସଙ୍କୁ ପ୍ରଶଂସା କରି କହିଲେ, “ବତ୍ସ, କ୍ରୋଧକୁ ବଶରେ ରଖିବା ଏକ ସଦ୍ଗୁଣ । ଯଦି କ୍ରୋଧ କ୍ଷଣିକ ହୋଇଥାଏ, ତ ତେବେ ଉତ୍ତମ । ସେଥିରେ ପ୍ରତିଶୋଧର ଭାବ ନଥିଲେ ଭଲ ।” ସେତିକିବେଳେ ରାମଦାସର ବନ୍ଧୁ ପ୍ରତାପ ସେଠାରେ ଆସି ପହଁଚିଲେ । ଭୋଜନରେ ବସିଥିବା ସାଧୁଙ୍କୁ ଦେଖି ସେ କହିଲେ, “ନିଜେ ପରିଶ୍ରମ ନ କରି ଅନ୍ୟ ଉପରେ ନିର୍ଭର କରୁଥିବା, ସୁସ୍ଥ ଲୋକଙ୍କୁ ମୋତେ ଭୀଷଣ ଚିଡିମାଡେ । ମୋ ଦୃଷ୍ଟିରେ ସେମାନେ ସମସ୍ତେ ଅଳସୁଆ । ସେପରି ଲୋକଙ୍କୁ ଖାଦ୍ୟ ଦେଇ ତୁମେ ନିଶ୍ଚୟ ଅନ୍ୟାୟ କରିଛ ।” ରାମଦାସ ନିଜର ବନ୍ଧୁଙ୍କ କଥାରେ ବଡ ଦୁଃଖିତ ହୋଇ ସାଧୁଙ୍କ ପାଖକୁ କ୍ଷମା ମାଗିବାକୁ ଗଲେ । ସାଧୁ ସବୁ ଶୁଣି କହିଲେ, “ସବୁଥିପାଇଁ ନିଜ ନିଜର ଅଭିପ୍ରାୟ ଥାଏ । ସେଥିପାଇଁ ତୁମେ ତାଙ୍କୁ ଦୋଷୀ କୁହନାହିଁ ।” ଏତିକି କହି ସାଧୁ ସେଠାରୁ ଚାଲିଗଲେ ।

                କିଛିଦିନ ପରେ ରାମଦାସ ସାଧୁଙ୍କୁ ଦର୍ଶନ କରିବାକୁ ସେହି ବରଗଛ ପାଖକୁ ଆସିଲେ ଓ ସେଠାରେ ସେ ଭାସ୍କରକୁ ଦେଖିଲେ । ଦେଖିବା ମାତ୍ରେ ତାକୁ ସେ ପଛପଟରୁ ଧରି ନେଇ କହିଲେ, “ଆବେ, ଆଉ କେତେଦିନ ତୁ ଏମିତି ଲୁଚିବୁ? ଆଜି ଧରାପଡିଛୁ । ତୁ ମରିବୁ ନ ହେଲେ ମୁଁ ମରିବି ।” ସାଧୁ କହିଲେ, “ଶାନ୍ତ ହୁଅ ବତ୍ସ, କୁହ ତ କଥା କ’ଣ?”

                ରାମଦାସ କହିଲେ, “ମହାଶୟ, ଥରେ ମୁଁ ମନ୍ଦିରରେ ପୂଜା କରୁଥିଲି; ପୂଜକ ମୋର ବହୁତ ପ୍ରଶଂସା କଲେ । ସେତେବେଳେ ଏହି ଭାସ୍କର ମୋତେ ଥଟ୍ଟା କରି କହିଲା କି ଯେଉଁମାନେ ପାପତାପ କରିଥା’ନ୍ତି, ସେଇମାନେ ବେଶି ଭୟରେ କାତର ହୋଇ ପ୍ରାର୍ଥନା କରିବାକୁ ଯା’ନ୍ତି । ଏପରି କଥା କହି ସେ ମୋତେ ଘୋର ଅପମାନ ଦେଲା ।”

                ସାଧୁ ରାମଦାସଙ୍କୁ ବୁଝାଇ କହିଲେ, “ଅନ୍ୟର ହୃଦୟରେ ଆଘାତ ଲାଗିବା ଭଳି କଥା କହିବା ଉଚିତ୍ ନୁହେଁ ।”

                ଇତିମଧ୍ୟରେ ପ୍ରତାପ ସେଠାରେ ପହଁଚି କହିଲା, “ମହାଶୟ, ସାଧୁମାନଙ୍କର ଶ୍ରେଷ୍ଠତା ଓ ମହତ୍ତ୍ୱ ବିଷୟରେ ନଜାଣି ମୁଁ ମଧ୍ୟ ଆପଣଙ୍କୁ ଅପମାନ କରିଥିଲି । ମୋତେ କ୍ଷମା କରନ୍ତୁ ।”

                ସାଧୁ ଅଳ୍ପ ହସି କହିଲେ, “ମୋତେ ଜଣାନାହିଁ ତମେ ମୋ ପ୍ରତି କି ଅପରାଧ କରିଛ । ତେଣୁ କ’ଣ ପାଇଁ କ୍ଷମା ଦେବି? ତମର ଯଦି କିଛି ଦୁଃଖ ଥାଏ ତେବେ କୁହ, ତୁମକୁ ବରଂ ମୁଁ ସାହାଯ୍ୟ କରି ପାରିବି ।”

                ଥରେ ପ୍ରତାପର ସ୍ତ୍ରୀ ବେମାର ପଡିଲା । କୌଣସି ଚିକିତ୍ସା ତାକୁ ଧରିଲା ନାହିଁ । କେହି କେହି କହିଲେ ଦୁଷ୍ଟ ଗ୍ରହର ପ୍ରାଦୁର୍ଭାବ ଯୋଗୁଁ ଏପରି ହୋଇଛି । କେବଳ କେହି ସାଧୁ ଲୋକ ଏହାର ରକ୍ଷା କରି ପାରିବେ । ପ୍ରତାପ ନିରୂପାୟ ହୋଇ ପୂର୍ବୋକ୍ତ ସାଧୁଙ୍କ ପାଖକୁ ଗଲେ । ସାଧୁ ପ୍ରତାପ ଘରକୁ ଆସି ମନ୍ତ୍ର ଉଚ୍ଚାରଣ କରି ତା’ସ୍ତ୍ରୀକୁ ଭଲ କରିଦେଲେ । ରାମଦାସ କହିଲା, “ଆପଣଙ୍କୁ ପ୍ରତାପ ଗାଳିଦେଲା, କିନ୍ତୁ ଆପଣ ତା’ର ମହା ଉପକାର କଲେ । ଆପଣ ପ୍ରକୃତରେ ମହାନୁଭବ, ଓ ଅସାଧାରଣ ବ୍ୟକ୍ତି ।”

                ସାଧୁ ହସିଲେ, ଓ କହିଲେ, “ମୁଁ ତୁମରି ପରି ଜଣେ ବ୍ୟକ୍ତି । ତୁମେ ଗାଳି ଦେଇ ଭୂଲି ଯାଉଛ । ମୁଁ ଗାଳି ଖାଇ ଭୂଲି ଯାଉଛି । ଅକାରଣରେ କାହାକୁ ଗାଳି ଦେଲେ, ମୋର ମନ ଭାରି ଦୁଃଖ ହୁଏ । ତେଣୁ ମୁଁ ଜୀବନର ବ୍ରତ କରିଛି ଯେ କାହାକୁ ହେଲେବି ଗାଳି ଦେବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ