ରାଜା ପୁରନ୍ଦର ପୁଲିନ୍ଦ ରାଜ୍ୟରେ ରାଜୁତି କରୁଥା’ନ୍ତି । ତାଙ୍କ ଦରବାରରେ ଚାରିଜଣ କପଟି ପଣ୍ଡିତ ଥା’ନ୍ତି । କିଛି ନା କିଛି ବାହାନା ଦେଖାଇ ସେମାନେ ରାଜାଙ୍କଠାରୁ ଟଙ୍କା ସୁନା ନେଇ ଆରାମ୍ରେ ଜୀବନ ବିତାଉଥା’ନ୍ତି ।
ଥରେ ସେମାନେ ଭାବିଲେ ରାଜାଙ୍କଠାରୁ ବହୁତ ସୁନା ଦାନ ସ୍ୱରୂପ ନେବେ । ସୁତରାଂ ସେମାନେ ଗୋଟିଏ ଉପାୟ ଠିକ୍ କଲେ । ଦିନେ ଦରବାରରେ ରାଜା ବସିଥା’ନ୍ତି, ଚାରି ପଣ୍ଡିତ ଯାଇ କହିଲେ, “ମହାରାଜ, ଗତକାଲି ଆମେମାନେ ଆପଣଙ୍କ ଜାତକ ବିଚାର କରି ଦେଖିଲୁ ଯେ, ଆଉ ଅଳ୍ପଦିନ ମଧ୍ୟରେ ଆପଣଙ୍କ ଦୁଇ ହାତ ପୁରାପୁରି ଅଚଳ ହୋଇଯିବ । ଆଖି ମଧ୍ୟ ନଷ୍ଟ ହେବାର ବିପଦ ରହିଛି । ପୁଣି କ୍ରମେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯିବ ।”
ରାଜା ଏକଥା ଶୁଣି ଖୁବ୍ ବ୍ୟସ୍ତ ହୋଇ କହିଲେ, “ଏତେବଡ ବିପଦ? ତେବେ କିପରି ଗ୍ରହଶାନ୍ତି କରାଯିବ? ଏହାର କିଛି ପ୍ରତିକାର ଅଛି?”
ପଣ୍ଡିତମାନେ କହିଲେ “ହଁ, ହଁ, ନିଶ୍ଚୟ ଅଛି । ଆମେ ଶାସ୍ତ୍ର ସବୁ ପଢି ଦେଖିଲୁ ଯେ ଏକମାତ୍ର ଉପାୟ ହେଉଛି, ଆପଣ ଏକ ସୁନାର କୁରାଢୀ ନେଇ ଗଛ କାଟିବେ । ତା’ପରେ ସେଇଟି କୌଣସି ପଣ୍ଡିତଙ୍କୁ ଦାନ ଦେଇଦେବେ ।”
ରାଜା ସେମାନଙ୍କ କଥା ଅନୁସାରେ ବଣିଆକୁ ଡକାଇ ସୁନାର କୁରାଢୀ ତିଆରି କରିବା ପାଇଁ ଆଦେଶ ଦେଲେ ।
ଗୁରୁବାର ଦିନ ଶୁଭ ମୁହୂର୍ତ୍ତ ଦେଖି ପଣ୍ଡିତଗଣ, ମନ୍ତ୍ରୀ, ଓ ଅନ୍ୟାନ୍ୟ ଲୋକମାନଙ୍କ ସହ ରାଜା ସୁନାର କୁରାଢୀ ଧରି ବଗିଚାକୁ ଗଲେ । ସାଙ୍ଗରେ ବାଦ୍ୟକାରୀମାନେ ମଧ୍ୟ ଚାଲିଥା’ନ୍ତି । ମହା ଆଡମ୍ବରରେ ଯାଇ ଉଦ୍ୟାନସ୍ଥ ସରୋବର କୂଳରେ ଏକ ବଡ ଆମ୍ବଗଛ ପାଖରେ ରାଜା ପହଁଚିଲେ ଓ ଏକ ଶୁଖିଲା ଡାଳ କାଟିବାକୁ ଆରମ୍ଭ କଲେ । ଦୁଇ ଚାରିଚୋଟ ମାରିବା ପରେ ଅଭ୍ୟାସ ନଥିବା ହେତୁ ରାଜାଙ୍କ ହାତ ଥରିଲା ଓ କୁରାଢୀଟି ସରୋବର ମଧ୍ୟରେ ଗଳି ପଡିଲା ।
ଏପରି ଅବସ୍ଥା ଦେଖି ଦୁଇ ତିନିଜଣ ସନ୍ତରଣକାରୀ ଯୁବକ ପାଣିକୁ ଯାଇ କୁରାଢୀ ଖୋଜିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଏକ କଳା ବର୍ଣ୍ଣର ବିଶାଳକାୟ ମନୁଷ୍ୟ ପାଣିରୁ ଉଠି ହାତରେ ଏକ ଲୁହା କୁରାଢୀ ଧରି ତାହା ସ୍ଥଳ ଉପରକୁ ଫିଙ୍ଗି ଦେଲା ।
ତାକୁ ଦେଖି ଭୟରେ ସମସ୍ତେ ଥରିଲେ । କେହି ଜଣେ ସାହସ କରି ପଚାରିଲା, “ତୁମେ କିଏ?”
ସେ କହିଲା, “ମୁଁ ରଙ୍ଗ” ଏହା କହି ସେ ପୁଣି ପାଣିରେ ବୁଡିଗଲା ।
ତା’ପରେ ରାଜା ଉଆସକୁ ଲେଉଟି ଆସିଲେ । ତାଙ୍କ ମନରେ ଶାନ୍ତି ନଥାଏ । ଦୁଇଟି ଆତଙ୍କ ତାଙ୍କୁ ଘେରି ରହିଥାଏ । ଗୋଟିଏ ତାଙ୍କର ଗ୍ରହଦୋଷରୁ ଅବୟବ ଅଚଳ ହେବାର ଭୟ । ଆଉ ଗୋଟିଏ ଏହି ନୂଆ ଭୟଙ୍କର ଜୀବ, ଯିଏ କି ମୁହୂର୍ତ୍ତକରେ ସୁନାକୁ ଲୁହା କରି ଦେଲା । ରାଜା ବ୍ୟସ୍ତ ହୋଇ ପଣ୍ଡିତ ଚାରିଜଣ, ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କୁ ଡକାଇ ମନ୍ତ୍ରଣା ଗୃହରେ ଏକ ସଭା କଲେ । ରାଜା କହିଲେ, “ସୁନାକୁ ଲୁହା କରିଦେଉଥିବା କିଏ ଏ ରାକ୍ଷସ? ତମେ ସମସ୍ତେ ମିଳି ତା’ ବିଷୟରେ ମୋତେ କୁହ ତାକୁ ଏଠାରୁ କିପରି ତଡିବା? ନହେଲେ ଆମ ରାଜପ୍ରାସାଦରେ ଥିବା ସମସ୍ତ ସୁନାକୁ ସେ ଲୁହା କରିଦେବ, ଏପରି ହେଲେ ତ ଆମର ସର୍ବନାଶ ହେବ ।”