ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କୃଷ୍ଣାବତାର

ଶ୍ରୀକୃଷ୍ଣ ଓ ଇନ୍ଦ୍ର, ସତ୍ୟଭାମା ଓ ଶଚୀଦେବୀଙ୍କୁ ନେଇ ଦେବମାତା ଅଦିତିଙ୍କୁ ଦେଖା କରିବାକୁ ଗଲେ । ଅଦିତି ଏମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ତା’ପରେ ଇନ୍ଦ୍ର ଅଦିତିଙ୍କୁ ତାଙ୍କର କୁଣ୍ଡଳ ଯୋଡିକ ଦେଇ ଶ୍ରୀକୃଷ୍ଣ କିପରି ନରକାସୁରକୁ ବଧ କଲେ ସେହି ସବୁ ବିଷୟରେ କହିଲେ ।

                ଅଦିତି ସବୁ ଶୁଣି ଶ୍ରୀକୃଷ୍ଣଙ୍କର ଭୁରି ଭୁରି ପ୍ରଶଂସା କଲେ ଓ ତାଙ୍କୁ ଆଶୀର୍ବାଦ ଦେଇ ସେ କହିଲେ, “ବତ୍ସ, ତୁମେ  ତୁମର ଅଲୌକିକ ସାହସ ଯୋଗୁଁ ସେ ନରକାସୁରକୁ ମାରି ପାରିଲ । ତାହାର କବଳରୁ ଦେବତାମାନେ ମୁକ୍ତ ହୋଇଛନ୍ତି ଏହା ଜାଣି ମୁଁ ଅପାର ଆନନ୍ଦ ଲାଭ କରୁଛି । ତମେ ତ କେବଳ ସେଇଥିପାଇଁ ଅବତାର ହୋଇ ଧରାପୃଷ୍ଠରେ ଜନ୍ମ ନେଇଛ । ଅତ୍ୟାଚାରୀ କବଳରୁ ଦୁର୍ବଳକୁ ରକ୍ଷା କରିବା ତ ତୁମର ଧର୍ମ । କି ମାନବ, କି ଦେବତା, କି ପଶୁପକ୍ଷୀ, ଯିଏ ତୁମର ଶରଣ ନେବ ତୁମେ ତାକୁ ତ୍ରାହି କରିବ । ଯେତେଦିନ ଏ ପୃଥିବୀରେ ରହିବ ତୁମର ଅବତାର ଗ୍ରହଣ କରିବାର କାର୍ଯ୍ୟ ସାର୍ଥକ ହେଉ । ପୁଣି ନରକାସୁର ଯୁଦ୍ଧରେ ଦେବୀ ସତ୍ୟଭାମା ଯେପରି ବୀରତ୍ୱ ଦେଖାଇଛନ୍ତି ତାହା ନାରୀମାନଙ୍କ ପକ୍ଷରେ ଦୁର୍ଲଭ । ମୁଁ ଆଶୀର୍ବାଦ ଦେଉଛି ସେ ସଦା ସର୍ବଦା ଚୀରଯୌବନ ଲାଭ କରି ତୁମ କାର୍ଯ୍ୟରେ ଯେପରି ସହାୟତା କରିବେ ।”

                ତା’ପରେ ଅଦିତି, ଇନ୍ଦ୍ର ଓ ଶଚୀଙ୍କଠାରୁ ବିଦାୟ ନେଇ ଭଗବାନ୍ ଶ୍ରୀକୃଷ୍ଣ ଦେବୀ ସତ୍ୟଭାମାଙ୍କୁ ସ୍ୱର୍ଗଲୋକ ବୁଲାଇ ଦେଖାଇଲେ । ସେମାନେ ବୁଲୁ ବୁଲୁ ନନ୍ଦନ ବନରେ ଯାଇ ପହଁଚିଲେ । ସେଠାରେ ସେମାନେ କଳ୍ପବୃକ୍ଷକୁ ଦେଖିଲେ । କଳ୍ପବୃକ୍ଷରେ ଅନେକ ଫୁଲ ଫୁଟିଥାଏ । ଫୁଲର ସୌରଭରେ ଭ୍ରମରମାନେ ଆକର୍ଷିତ ହୋଇ ଆସି ଗୁଣୁ ଗୁଣୁ କରି ଗୀତ ଗାଉଛନ୍ତି । ଉକ୍ତ ବୃକ୍ଷର ଶାଖା ପ୍ରଶାଖା ମାନଙ୍କରେ ସୁନ୍ଦର ସୁସଜ୍ଜିତ ଦୋଳାରେ ଦେବକନ୍ୟାମାନେ ବସି ଦୋଳି ଖେଳୁଛନ୍ତି । ସେମାନେ ନାନା ରତ୍ନ ଅଳଙ୍କାରରେ ଭୂଷିତ ହୋଇ ନାନା ରଙ୍ଗର ପୋଷାକ ପିନ୍ଧି ପ୍ରଜାପତି ପରି ଘୁରି ବୁଲୁଛନ୍ତି । ଏସବୁ ଦେଖି ସତ୍ୟଭାମା ଖୁବ୍ ଖୁସି ହେଲେ । ସେମାନେ ବୁଲୁ ବୁଲୁ ଅଦୂରରୁ ଶୀତଳ ସମୀରଣରେ ଭାସି ଆସୁଥିବା ଏକ ମଧୁର ଗନ୍ଧର ସନ୍ଧାନ ପାଇଲେ । ଜଣାଗଲା ଏହା ପାରିଜାତ ଫୁଲର ସୁଗନ୍ଧ । ପାରିଜାତ ବୃକ୍ଷଟି ଫୁଲରେ ଭର୍ତ୍ତି ହୋଇଥାଏ । ଏ ବୃକ୍ଷର ଆଉ ଏକ ଦିବ୍ୟ ଶକ୍ତି ଅଛି । ଯିଏ ଏହି ବୃକ୍ଷକୁ ସ୍ପର୍ଶ କରିବ ସେ ତା’ର ପୂର୍ବଜନ୍ମ କଥା ମଧ୍ୟ ଜାଣି ପାରିବ । ବୃକ୍ଷଟି ସଚ୍ଚି ଦେବୀଙ୍କର ପରମ ପ୍ରିୟ ବୃକ୍ଷ ଥିଲା । ଏଣେ ସତ୍ୟଭାମାଙ୍କର ଇଚ୍ଛା ଯଦି ବୃକ୍ଷଟିକୁ ସମୁଳେ ଉତ୍ପାଟନ କରି ଦ୍ୱାରିକାକୁ ନିଆଯାଇ ପାରନ୍ତା ତେବେ ତାହା ଏକ ଅଲୌକିକ କାର୍ଯ୍ୟ ହୁଅନ୍ତା । ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ଇଚ୍ଛା ଜାଣିପାରି ସେହି ବୃକ୍ଷଟିକୁ ସମୁଳେ ଉତ୍ପାଟନ କରି ଗରୁଡ ଉପରେ ବସି ଦ୍ୱାରକା ଅଭିମୁଖେ ଚାଲିଲେ । କିନ୍ତୁ ତା’ ପୂର୍ବରୁ ସ୍ୱର୍ଗ ଉଦ୍ୟାନର ରକ୍ଷୀମାନେ ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କଲେ । ଏକଥା ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ ମଧ୍ୟ ଜଣାଇ ଦିଆଗଲା । ଇନ୍ଦ୍ର କିଛି ସମୟ ପୂର୍ବରୁ ଶ୍ରୀକୃଷ୍ଣଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ ମଧ୍ୟ, ଏ କ୍ଷେତ୍ରରେ ଶ୍ରୀକୃଷ୍ଣ ଯେ ଭଗବାନ୍ ସେକଥା ସେ ଭୁଲିଯାଇ ଅଜ୍ଞାନବଶତଃ ତାଙ୍କ ଉପରେ ବଜ୍ର ପ୍ରହାର କଲେ । ଶ୍ରୀକୃଷ୍ଣ ଅଳ୍ପ ହସି ସମସ୍ତ ଅସ୍ତ୍ର ଶସ୍ତ୍ର ତାଙ୍କର ସୁଦର୍ଶନ ଚକ୍ରରେ କାଟି ପକାଇଲେ । ଇନ୍ଦ୍ର ହାରି ଯାଇ ସ୍ତୁତି କଲେ, ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ କହିଲେ ଯେ ସେ ପୃଥିବୀ ପୃଷ୍ଠରେ ଶରୀର ନେଇଥିବା ପର୍ଯ୍ୟନ୍ତ ପାରିଜାତ ବୃକ୍ଷ ଦ୍ୱାରିକାର ଉଦ୍ୟାନରେ ଶୋଭା ପାଇବ । ତା’ପରେ ତାହା ସ୍ୱାଭାବିକ ଭାବରେ ସ୍ୱର୍ଗକୁହିଁ ଫେରି ଆସିବ ।

ତା’ପରେ ଶ୍ରୀକୃଷ୍ଣ ସତ୍ୟଭାମାକୁ ଧରି, ପାରିଜାତ ବୃକ୍ଷ ସହ ଦ୍ୱାରକା ଫେରି ଆସିଲେ । ଶ୍ରୀକୃଷ୍ଣଙ୍କୁ ଦେଖି ସାରା ଦ୍ୱାରିକା ଉଲ୍ଲସିତ ହୋଇ ଉଠିଲା । ପୁଣି ଏ ଅପୂର୍ବ ପାରିଜାତ ସମସ୍ତିଙ୍କ ମନରେ ବେଶ୍ କୌତୁହଳ ଜାତ କଲା । କାରଣ ସେହି ବୃକ୍ଷର ସ୍ପର୍ଶରେ ପ୍ରତ୍ୟେକ ବ୍ୟକ୍ତି ନିଜର ପୂର୍ବଜନ୍ମର ଜ୍ଞାନ ପାଇ ପାରୁଥିଲା । ନରକାସୁରର ରାଜ୍ୟର ଯାହା ସବୁ ଧନସମ୍ପଦ ଶ୍ରୀକୃଷ୍ଣ ପାଇଥିଲେ ତାହା ସବୁ ଯଥାବିଧି ସମସ୍ତିଙ୍କ ମଧ୍ୟରେ ବିତ୍ତରଣ କଲେ । ସମସ୍ତେ ଅତି ଆନନ୍ଦିତ ହେଉଥା’ନ୍ତି ।

ନରକାସୁରର କାରାଗାରରୁ ମୁକ୍ତି ଲାଭ କରିଥିବା ରାଜକନ୍ୟାମାନେ ଦ୍ୱାରକାରେ ସୁରକ୍ଷିତ ଥା’ନ୍ତି । ଶ୍ରୀକୃଷ୍ଣ ସ୍ୱର୍ଗର ପାରିଜାତ ଧରି ଫେରିବା ପରେ ସେମାନଙ୍କ ନିକଟକୁ ଯାଇ ଜିଜ୍ଞାସା କଲେ, “ହେ ରାଜକନ୍ୟାଗଣ, ଏବେ ତୁମେମାନେ ନିଜ ନିଜର ପିତାମାତାଙ୍କ ନିକଟକୁ ଫେରିଯାଅ । କାହାର ଘର କେଉଁ ରାଜ୍ୟରେ ସେ ବିଷୟରେ ମୁଁ ତ ସମ୍ପୂର୍ଣ୍ଣ ଅଜ୍ଞ । ତୁମେମାନେ ତୁମମାନଙ୍କର ରାଜ୍ୟର ନାମ କୁହ । ମୁଁ ସଙ୍ଗରେ ଦେହରକ୍ଷୀ ଓ ସୈନ୍ୟଦଳ ଦେଇ ପଠାଇ ଦେବି । ତୁମେମାନେ ନିରାପଦରେ ନିଜ ନିଜ ପରିବାର ସହିତ ପୁଣି ମିଳିତ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ