ବହୁ ପୂର୍ବରୁ ଅବନ୍ତି ରାଜ୍ୟକୁ ରାଜା ବୀରବର୍ମା ଶାସନ କରୁଥିଲେ, ତାଙ୍କର ପ୍ରଧାନ ପରାମର୍ଶଦାତା ଦୟାନନ୍ଦ ଥିଲେ । କ୍ରମେ ସେ ବୃଦ୍ଧ ହେଲେ ଓ ଅସୁସ୍ଥ ହୋଇ ପଡିଲେ । ତେଣୁ ତାଙ୍କ ସ୍ଥାନରେ ଏକ ନୂତନ ବ୍ୟକ୍ତିଙ୍କୁ ରଖିବାକୁ ରାଜା ସ୍ଥିର କଲେ । କିନ୍ତୁ ତାଙ୍କପରି ପ୍ରଖର ବୁଦ୍ଧି ଥିବା ବ୍ୟକ୍ତି ସେ ଆଉ ଦ୍ୱିତୀୟ ପାଇଲେ ନାହିଁ, ଯିଏକି ଅନେକ କଠିନ ସମସ୍ୟା ସବୁକୁ ଅତି ସହଜରେ ସମାଧାନ କରି ଦେଉଥିଲେ ।
ରାଜା ଦିନେ ଏ ବିଷୟରେ ତାଙ୍କ ମନ୍ତ୍ରୀ ସୁବୁଦ୍ଧିଙ୍କ ସହିତ ଆଳାପଆଲୋଚନା କଲେ । ମନ୍ତ୍ରୀ କହିଲେ, “ମହାରାଜ, ମୋ ମତରେ ରାଜନୀତି, ଅର୍ଥଶାସ୍ତ୍ର ଓ ନ୍ୟାୟ ଶାସ୍ତ୍ରରେ ଧୁରନ୍ଧର ଥିବା କେତେକ ବ୍ୟକ୍ତିଙ୍କୁ ଡାକି, ଆପଣ ସେମାନଙ୍କ ମଧ୍ୟରୁ ଆପଣଙ୍କ ମନମୁତାବକ ଜଣକୁ ହେଲେ କାହାକୁ ବାଛି ନିଅନ୍ତୁ । ଯଦି ଚାହାଁନ୍ତି ତ ଦୟାନନ୍ଦଙ୍କୁ ମଧ୍ୟ ଆପଣ ଆପଣଙ୍କ ସହିତ ରଖନ୍ତୁ । ଯୋଗ୍ୟ ପରାମର୍ଶଦାତା ବାଛିବାରେ ସେ ଆପଣଙ୍କୁ ବହୁତ ସାହାଯ୍ୟ କରିବେ ।” ରାଜା ଏଥିରେ ସମ୍ମତ ହେଲେ ଓ ରାଜ୍ୟର ଯୋଗ୍ୟ ଲୋକମାନଙ୍କୁ ନିମନ୍ତ୍ରଣ କରିବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ।
ସେହି ସଭାକୁ ଅନେକ ପ୍ରତିଭାବାନ୍ ଯୁବକ ଆସିଲେ । ସମସ୍ତିଙ୍କ ମଧ୍ୟରେ ଜୟ ଓ ବିଜୟ ଏ ଦୁହେଁ ସବୁଦିଗରୁ ଯୋଗ୍ୟ ଥିଲେ । ଏସବୁ କଥା ଦୟାନନ୍ଦଙ୍କୁ କହିଦିଆଗଲା । ସବୁ ଶୁଣି ଦୟାନନ୍ଦ କହିଲେ, “ପରାମର୍ଶଦାତା ଶାସ୍ତ୍ରଜ୍ଞାନରେ ପ୍ରବୀଣ ହେବାର କୌଣସି ଆବଶ୍ୟକତା ନାହିଁ । ସେଥିପାଇଁ ଦରକାର କଠିନ ସମସ୍ୟାକୁ ନିଜ ବୁଦ୍ଧି ବଳରେ ଅତି ସହଜରେ ସମାଧାନ କରିବା । ଶାସ୍ତ୍ରଜ୍ଞାନରେ ସେ ଦୁହେଁ ସମାନ । କିନ୍ତୁ ପରାମର୍ଶଦାତା କିଏ ହୋଇ ପାରିବ ତାହା ତ ପରୀକ୍ଷା କଲେହିଁ ଜଣା ପଡିବ ।” ତା’ପରେ ସେ ମନ୍ତ୍ରୀଙ୍କୁ କିଛି ବୁଝାଇ କହିଲେ ।
ପରଦିନ ମନ୍ତ୍ରୀ ଜୟ ଓ ବିଜୟଙ୍କୁ ଡାକି କହିଲେ, “କିଛିଦିନ ହେବ ମୋର ଜଣେ ପ୍ରିୟ ମିତ୍ର ବଡ ଦୁଃଖପୂର୍ଣ୍ଣ ପରିସ୍ଥିତିରେ ପଡି ସ୍ୱର୍ଗବାସ କରିଛନ୍ତି । ସେହି ଦୁଃଖଦ ପରିସ୍ଥିତି ବିଷୟରେ ମୁଁ ତୁମ ଦୁହିଁଙ୍କୁ କହିବି ଓ ଜାଣିବାକୁ ଚାହେଁ ଯେ, ତୁମେ ଦୁହେଁ ଏହା ପରେ ହୋଇଥିବା ପରିସ୍ଥିତି ସମ୍ପର୍କରେ କି ପ୍ରକାରର ପରାମର୍ଶ ଦେଉଛ ।”
ମନ୍ତ୍ରୀ କହିଲେ “ମୋର ମିତ୍ରଙ୍କ ନାମ ଦୟାବାନ୍ ଥିଲା । ସେ ହୃଦୟରୋଗରେ ପୀଡିତ ଥିଲେ । ଦିନେ ରାତିରେ ସେ ଏକ ଭୟାନକ ସ୍ୱପ୍ନ ଦେଖିଲେ । ସେ ଦେଖିଲେ ସେ ଏକ ଭୟଙ୍କର ଜଙ୍ଗଲ ମଧ୍ୟରେ ଯାଉ ଯାଉ ରାସ୍ତା ପାଉ ନାହାଁନ୍ତି । ଅନ୍ଧକାର ମଧ୍ୟରେ ଅଣ୍ଡାଳି ଅଣ୍ଡାଳି ଗଛତଳେ ସେ ସେମିତି ଚାଲିଥା’ନ୍ତି । ଶେଷକୁ ସେ ଏକ ଖୋଲା ଜାଗାରେ ଆସି ପହଁଚିଲେ; ତାରାମାନଙ୍କ ଆଲୁଅରେ ସେ ଦେଖିଲେ ତାହା ଏକ ଚାରିମୁହାଣି ଛକ । ସେଠାରୁ ଚାରିଆଡକୁ ଚାରିଟି ରାସ୍ତା ପଡିଛି । ସେ ଗୋଟିଏ ରାସ୍ତା ଧରି ଆଗକୁ ଚାଲିଲେ । କିଛିବାଟ ଯାଇ ଦେଖିଲେ ଜଙ୍ଗଲି କଂଟାଗଛରେ ରାସ୍ତାଟି ବନ୍ଦ । ତେଣୁ ବାଧ୍ୟହୋଇ ସେ ସେଠାରୁ ଫେରିଲେ । ତା’ପରେ ଗର୍ଜ୍ଜନ ଶବ୍ଦ ସବୁ ଶୁଣି ଭୟରେ ପଛକୁ ଚାହିଁ ସେ ଦେଖିଲେ ପଛଆଡୁ ଦଳ ଦଳ ସିଂହ ତାଙ୍କ ଆଡକୁ ମାଡି ଆସୁଛନ୍ତି । ଗୋଟାଏ ସିଂହ ତାଙ୍କୁ ଗୋଡାଇଲା । ସେ ପ୍ରାଣ ବିକଳରେ ଧାଇଁଲେ ଓ ଆସି ପୁଣି ସେହି ଚଉମୁହାଣି ଛକରେ ପହଁଚି ଦେଖିଲେ, ସିଂହମାନେ କୁଆଡେ ପଳାଇଛନ୍ତି । ତେଣୁ ସେ ଆଉ ଏକ ରାସ୍ତା ଧରି ଚାଲିଲେ । କିଛିବାଟ ଯାଇ ଦେଖିଲେ ଦୂରରୁ ଆଲୋକ ରେଖା ଦିଶୁଛି ସେ ମନରେ ଟିକେ ଆଶ୍ୱାସନା ପାଇ ଆହୁରି ଆଗକୁ ଗଲେ । ଯାଇ ଯାଇ ଶେଷରେ ସେ ଦେଖିଲେ ରାସ୍ତା ଶେଷ, କିନ୍ତୁ ନାଗସାପମାନେ ସେଠାରେ ଭର୍ତ୍ତି ହୋଇଛନ୍ତି । ସେମାନେ ମଣିନାଗ ସମସ୍ତିଙ୍କ ଫଣାରେ ମଣି ଦପ୍ ଦପ୍ କରି ଜଳୁଛି । ତେଣୁ ସେମାନଙ୍କ ଫଣାରେ ଥିବା ମଣିସବୁର ଆଲୋକ ସେ ଦୂରରୁ ଦେଖିପାରୁଥିଲେ । ସେମାନେ ଏହାଙ୍କୁ ଦେଖିଦେଇ ଭୟଙ୍କର ଭାବରେ ଗର୍ଜ୍ଜନ କଲେ । ସେମାନଙ୍କର ରାଜା ପଂଚଫଣା ବିଶିଷ୍ଟ ନାଗ ତାଙ୍କୁ ଗୋଡାଇଲା । ସେ ପ୍ରାଣ ବିକଳରେ ପୁଣି ପଛକୁ ଦୌଡିଲେ, ଦୌଡି ଦୌଡି ଛକରେ ପହଁଚି ଦେଖିଲେ ନାଗମାନେ କୁଆଡେ ଅଦୃଶ୍ୟ ହୋଇ ଯାଇଛନ୍ତି ।
ତା’ପରେ ନାଚାର ହୋଇ ସେ ତୃତୀୟ ରାସ୍ତା ଧରି ଚାଲିଲେ । କିଛିଦୂର ଯିବା ପରେ ଦେଖିଲେ, ତାହା ଏକ ପାହାଡି ଗୁମ୍ଫା ପାଖରେ ଶେଷ ହୋଇଛି ଓ ଗୁମ୍ଫା ପାଖରେ ମଣିଷ ହାଡ କଙ୍କାଳ ସବୁ ପଡିଛି । ସେସବୁ ଦେଖି ପୁଣି ଆସନ୍ନ ବିପଦ କଥା ଭାବି ଚୁପ୍ଚାପ୍ ସେ ପଛକୁ ଫେରି ଚାଲିଲେ । କିନ୍ତୁ ସେତେବେଳକୁ ଗୁମ୍ଫା ଭିତରୁ ଭୟଙ୍କର ରାକ୍ଷସଟାଏ ନାକରେ କ’ଣ ଶୁଙ୍ଘି ଶୁଙ୍ଘି ବାହାରିଲା, ବୋଧହୁଏ ମଣିଷଗନ୍ଧ ସେ ବାରୁଥିଲା । ସେ ଦୟାବାନ୍ଙ୍କୁ ଦେଖିବା ମାତ୍ରେ ତାଙ୍କୁ ଗୋଡାଇଲା । ସେ ବିଚରା ପଡିଉଠି ଦଉଡି ଦଉଡି କୌଣସି ମତେ ଛକ ପାଖରେ ଆସି ପହଁଚିଲେ । ଦେଖିଲେ ତଥାପି ମଧ୍ୟ ସେ ତାଙ୍କର ପିଛା କରୁଛି । ତେଣୁ ସେ ବାଧ୍ୟ ହୋଇ ଚତୁର୍ଥ ରାସ୍ତା ଧରି ଦୌଡିଲେ । ରାକ୍ଷସ ପଛରେ ଆସୁଥାଏ । ସେ ଦେଖିଲେ ରାସ୍ତା ଯେଉଁଠି ଶେଷ ହୋଇଛି ସେଠାରେ ଏକ ବଡ ପାହାଡ ଦଣ୍ଡାୟମାନ । ତା’ ତଳେ ବଡ ଖାଇ । ସେ ସେହି ଭୟଙ୍କର ପରିସ୍ଥିତିରେ ପଡି ଦେଖିଲେ ଆଗକୁ ଗଲେ ଗଭୀର ଖାଲରେ ପଡିବେ । ଏଣେ ରାକ୍ଷସ ପଛରୁ ଆସୁଛି । ସେ ଭାବୁଛନ୍ତି କ’ଣ କରିବେ, ଠିକ୍ ଏତିକିବେଳେ ତାଙ୍କ ପାଦ ପାଖରୁ ବଡ ପଥରଟିଏ ଖସିଲା ଓ ସେ ଚିତ୍କାର କରି ସେହି ଖାଇରେ ପଡିଗଲେ । ଏତିକିରେ ତାଙ୍କ ନିଦ ହଠାତ୍ ଭାଙ୍ଗିଗଲା ।”
ମନ୍ତ୍ରୀ କହିଲେ, “ଏବେ ଶୁଣିଲ ତ ସେ କି ଭୟଙ୍କର ଦୁଃସ୍ୱପ୍ନ ଦେଖିଲେ । ପୂର୍ବରୁ ତ ହୃଦୟ ରୋଗରେ ସେ ପୀଡିତ ଥିଲେ, ତା’ ଉପରେ ପୁଣି ଏ ଦୁଃସ୍ୱପ୍ନ । ନିଦ୍ରାଭଙ୍ଗ ହେବା ମାତ୍ରେ ଥରି ଥରି ବିଚାରା ହୃଦରୋଗରେ ପୀଡିତ ହୋଇ ବହୁତ କଷ୍ଟ ଯନ୍ତ୍ରଣା ପାଇ ଶେଷକୁ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କଲେ ।”
ମନ୍ତ୍ରୀଙ୍କ କଥା ଶୁଣି ଜୟ ଗମ୍ଭୀର ହୋଇ କହିଲା, “ମନୋବୈଜ୍ଞାନିକ କୁହନ୍ତି ଯେ ସ୍ୱପ୍ନର ପ୍ରଭାବ ଶରୀର ଉପରେ ଜରୁର୍ ଥାଏ । ଆପଣଙ୍କ ମିତ୍ରଙ୍କର ଜୀବନ ଚାରିଥର ସଂକଟରେ ପଡିଲା । ଯେତେବେଳେ କଷ୍ଟ ଓ ଆତଙ୍କ, ସହ୍ୟ କରିବାର ଶକ୍ତି ଅପେକ୍ଷା ବାହାରକୁ ଯାଏ, ସେତେବେଳେ ପ୍ରାଣ ରକ୍ଷା କରିବା ଭୀଷଣ କଷ୍ଟ । ଆପଣଙ୍କ ମିତ୍ରଙ୍କର ଏପରି ଦୁଃଖପୂର୍ଣ୍ଣ ମୃତ୍ୟୁ ପାଇଁ ମୁଁ କେବଳ ଆପଣଙ୍କୁ ସହାନୁଭୁତି ଜଣାଉଛି ।”
ଏବେ ମନ୍ତ୍ରୀ ବିଜୟକୁ ଚାହିଁଲେ । ବିଜୟ ଅଳ୍ପ ଅଳ୍ପ ହସି କହିଲା, “କ୍ଷମା କରନ୍ତୁ ମହାଶୟ, ଏହା ଏକ କପୋଳକଳ୍ପିତ ଗଳ୍ପ ।” ବିଜୟର କଥା ଶୁଣି ମନ୍ତ୍ରୀ ଟିକେ ରାଗିଯିବାର ଛଳନା କରି କହିଲେ, “ତୁମେ ଯାହା କହିଲ ତାହା ପ୍ରମାଣ କର ।”
ବିଜୟ ବିନମ୍ର ଭାବରେ କହିଲା, “ଆପଣ କହିଲେ ଆପଣଙ୍କ ମିତ୍ରଙ୍କର ଯେମିତି ନିଦ୍ରାଭଙ୍ଗ ହେଲା ସେ ଥରି ଥରି ହୃଦୟ ରୋଗରେ ପୀଡିତ ହୋଇ ମରିଗଲେ । ତେବେ ଏତେ ବଡ ସ୍ୱପ୍ନ ବୃତାନ୍ତ କେତେବେଳେ ସେ ଆପଣଙ୍କୁ କହିଲେ?”
ଏଥିରୁ ମନ୍ତ୍ରୀ ସୁବୁଦ୍ଧି ଜାଣିପାରିଲେ ଯେ ବିଜୟ ସୂକ୍ଷ୍ମବୁଦ୍ଧିସମ୍ପନ୍ନ । ସେ ତାକୁ ଶ୍ରଦ୍ଧା ପୂର୍ବକ ବହୁତ ପ୍ରଶଂସା କଲେ । ତା’ପରେ ସେ ରାଜାଙ୍କୁ ବିଜୟ ବିଷୟରେ ସବୁକିଛି କହି ବିଜୟକୁହିଁ ରାଜାଙ୍କର ପ୍ରଧାନ ପରାମର୍ଶଦାତା ପଦରେ ରଖିଲେ ।