ଶିବନାଥ ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ । ତାଙ୍କ ରାଜ୍ୟ ପାଇଁ ସେ ଅନେକ ଗୁଡିଏ ଚିଜର ମୁଖ୍ୟ ବିତରକ ଥିଲେ । ଦୋକାନୀମାନେ ତାଙ୍କଠାରୁ ସେସବୁ ଚିଜ ନେଇଯାଇ ଜଣିକିଆ ଗରାଖମାନଙ୍କୁ ବିକ୍ରୟ କରୁଥିଲେ । ଅମିଳକ ଚିଜମାନ ସବୁ ଦୋକାନୀ ସମାନ ଭାବରେ ପାଇବାର ବ୍ୟବସ୍ଥା ସେ କରୁଥିଲେ ।
ଶିବନାଥଙ୍କର ବାଲ୍ୟବନ୍ଧୁ ପ୍ରସାଦ ମଧ୍ୟେ ମଧ୍ୟେ ଶିବନାଥଙ୍କ ଘରକୁ ଆସନ୍ତି । ଦୁଇ ବନ୍ଧୁ ନାନା ଗଳ୍ପ ପରି ସମୟ କଟାନ୍ତି ।
ଶିବନାଥଙ୍କର ଜଣେ ଗୁମାସ୍ତା ଥିଲା । ପ୍ରସାଦ ଲକ୍ଷ୍ୟ କରି ଦେଖିଲେ, ଲୋକଟିର ବ୍ୟବହାରରେ କୌଣସି ମାଧୁର୍ଯ୍ୟ ନାହିଁ । ଶିବନାଥ କିଛି ପଚାରିଲେ ସେ ‘ହଁ’ ବା ‘ନାଁ’ କହି କାମ ଶେଷ କରେ । ବିନୟ ଭାବ ତ ଦୂରର କଥା, କେବେ ଥରେ ମଧ୍ୟ ସେ ହସେ ନାହିଁ ।
ଥରେ ଶିବନାଥ ଓ ପ୍ରସାଦ ତୀର୍ଥ ଭ୍ରମଣରେ ବାହାରିଗଲେ; ପ୍ରାୟ ତିନିମାସ କାଳ ଅନେକ ସ୍ଥାନ ବୁଲାବୁଲି କରି ସେମାନେ ଫେରି ଆସିଲେ ।
ପରଦିନ ପ୍ରସାଦ ଶିବନାଥଙ୍କ ଘରକୁ ଆସିବା ମାତ୍ରେ ଗୁମାସ୍ତା ହସି ଦେଇ ତାଙ୍କୁ କହିଲେ, “ଆସନ୍ତୁ, ଆସନ୍ତୁ, ଭ୍ରମଣ ଭଲ ହେଲା ତ? ଆପଣଙ୍କ ଦେହ ପା ଭଲ ଥିଲା ତ?”
ପ୍ରସାଦ ଗୁମାସ୍ତାର ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ ବନ୍ଧୁଙ୍କୁ କହିଲେ, “ଶିବ! ତମେ ଲକ୍ଷ୍ୟ କରିଛ, ତମ ଗୁମାସ୍ତା ବଡ ଭଦ୍ର ହୋଇଯାଇଛି । ବେଶ୍ କଥା ।”
ଠିକ୍ ସେତିକିବେଳେ ଗୁମାସ୍ତା ଆସି ମଧୁର ଭାବରେ ହସି, ଅଳ୍ପ କଥା ଭିତରେ ଶିବନାଥଙ୍କୁ ପାଞ୍ଚଥର ‘ହଜୁର୍’ ବୋଲି କହି ଚାଲିଗଲେ ।
ଏହା ପରେ ପରେ ସେ ଦୁଇ ବନ୍ଧୁ ଅନ୍ୟ କଥାରେ ଭୋଳ ରହିଲେ । ଗୁମାସ୍ତା କଥା ଆଉ ଉଠିଲା ନାହିଁ ।
ଏହାପରେ ପ୍ରସାଦ ପନ୍ଦରଦିନ ଉତାରେ ଆସି ଦେଖନ୍ତି ତ ଜଣେ ନୂଆ ଗୁମାସ୍ତା ବସିଛି । ଶିବନାଥ ବାହାରି ଆସିବା ମାତ୍ରେ ସେ ତାଙ୍କୁ ପଚାରିଲେ, “କିହୋ ଶିବ, ତୁମ ପୁରୁଣା ଗୁମାସ୍ତା କୁଆଡେ ଗଲେ କି?”
“ତାକୁ ବିଦା କରିଦେଲି!”
ପ୍ରସାଦ ଆଶ୍ଚର୍ଯ୍ୟ ହୋଇ କହିଲେ “ଆଁ! ଏତେଦିନଯାଏଁ ତା’ ରୁକ୍ଷ ବ୍ୟବହାର ବରଦାସ୍ତ କରୁଥିଲ, ତା’ ମଧୁର ବ୍ୟବହାର ବରଦାସ୍ତ କରିପାରିଲ ନାହିଁ!”
“ଠିକ୍ କଥା । ତା’ ମଧୁର ବ୍ୟବହାର ସକାଶେହିଁ ତାକୁ ଚାକିରୀ ହରାଇବାକୁ ପଡିଲା ।”
ପ୍ରସାଦ ପଚାରିଲେ “କଥା କ’ଣ?”
ଶିବନାଥ ବୁଝାଇ ଦେଲେ “ଆରେ ଭାଇ, ଜଣଜଣକ ସ୍ୱଭାବ ଏପରି ଯେ ହସିବା ବା ବିନୟ ଭାବ ଦେଖାଇବା ତାଙ୍କ ଜାତକରେ ନାହିଁ । ଯେଉଁମାନେ ସ୍ୱଭାବତଃ କଥାବାର୍ତ୍ତା ଆଚାର ବ୍ୟବହାରରେ ମଧୁର, ସେମାନେ ତ ନିଶ୍ଚୟ ପ୍ରଶଂସନୀୟ । କିନ୍ତୁ ଗମ୍ଭୀର ବ୍ୟକ୍ତିକୁ ଦୋଷ ଦେଇ ହେବ ନାହିଁ । ପୁରୁଣା ଗୁମାସ୍ତା ଏହି ଦ୍ୱିତୀୟ କିସମର ମଣିଷ । ତେବେ ତା’ କାମ ଠିକ୍ ଥାଏ । ହଠାତ୍ ତୀର୍ଥରୁ ଫେରି ତା’ର ସେଭଳି ବ୍ୟବହାର ଦେଖି ମୋ ମନରେ କାହିଁ କେଜାଣି ଟିକେ ସନ୍ଦେହ ହେଲା । ମୁଁ ଅନୁସନ୍ଧାନ କରି ଦେଖିଲି, ମୁଁ ନଥିବା ବେଳେ ଦୋକାନୀଙ୍କଠାରୁ ସେ ଉତ୍କୋଚ ନେଇ ଅମିଳକ ଚିଜମାନ ସେମାନଙ୍କୁ ଅଧିକ ମାତ୍ରାରେ ଯୋଗାଇଛି । ସେମାନେ କଳାବଜାରରେ ବେଶି ଦାମ୍ରେ ସେସବୁ ବିକ୍ରି କରିଛନ୍ତି । ସେହି ଅନ୍ୟାୟ କାର୍ଯ୍ୟ ଯୋଗୁଁ ସେ ହଠାତ୍ କୃତ୍ରିମ ଭାବରେ ବିନୟୀ ହୋଇ ଉଠିଥାଏ ।”
ସବୁକଥା ଶୁଣିବା ପରେ ପ୍ରସାଦ କହିଲେ “ସାବାସ୍ ତମ ବିଚକ୍ଷଣ ବିଚାର!”