ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଦଭ୍ୟାସ

ମହାପଣ୍ଡିତ ସଦାନନ୍ଦଙ୍କର କୌଶିକ ନାମରେ ଏକମାତ୍ର ପୁତ୍ର ଥିଲା । ତା’ର ବିବାହ ପାଇଁ ବୟସ ହୋଇଥିଲେ ସୁଦ୍ଧା ତାକୁ ଝିଅ ଦେବାକୁ କେହି ହେଲେବି ଆଗ୍ରହ ପ୍ରକାଶ କରୁ ନଥିଲେ । ଦିନେ ସଦାନନ୍ଦଙ୍କର ପିଲାବେଳର ସାଥି ସୋମେଶ୍ୱର ତାଙ୍କ ଝିଅ ପାଇଁ ବର ଖୋଜୁ ଖୋଜୁ ସେଠାରେ ଆସି ପହଁଚିଲେ । ଦିନେ ସେ ଦୁଇ ବନ୍ଧୁ ନାନା ଗଳ୍ପ କରୁ କରୁ ସୋମେଶ୍ୱର ତାଙ୍କ କନ୍ୟାର ବିବାହ କଥା ଉଠାଇଲେ । ସେ କହିଲେ, “ଆଛା ଏତେ ଖୋଜା ଖୋଜି କାହିଁକି? ତମର ତ ବୋହୁ ଦରକାର ମୋର ବି ତ ଜ୍ୱାଇଁ ଦରକାର, ଚାଲ ଆମେ ଆମ ପୁଅ ଝିଅ ଦୁହିଁଙ୍କୁ ବାହାଦେବା । କିନ୍ତୁ ମୁଁ ଶୁଣିଛି ଯେ କୌଶିକକୁ ଝିଅ ଦେବାକୁ ମୋଟେ କେହି ଚାହାଁନ୍ତି ନାହିଁ । ଏହାର କାରଣ କ’ଣ? ତା’ର କ’ଣ କିଛି ବଦଭ୍ୟାସ ଅଛି କି?”

                ସଦାନନ୍ଦ ଅଳ୍ପ ହସି କହିଲେ “ସେକଥା ତମେ କାହିଁକି ତାକୁହିଁ ପଚାରୁନାହଁ?”

ସେହିଦିନ ରାତିରେହିଁ ସୋମେଶ୍ୱର କୌଶିକକୁ ପଚାରିଲେ, “ବାପ, ତମେ କିଛି ଖରାପ ଭାବିବ ନାହିଁ, ମଦ ପିଇବା ବା ଜୁଆ ଖେଳିବା ଆଦି କିଛି ବଦଭ୍ୟାସ ତମର ଅଛି କି?” କୌଶିକ ଚଟାପଟ କହିଲା, “ନାଁ, ଆଦୌ ନୁହଁ, ମୋର ସେପରି କୌଣସି ବଦଭ୍ୟାସ୍ ନାହିଁ ।”

                ପରେ ଯେତେବେଳେ ସୋମେଶ୍ୱର ଏକଥା ସଦାନନ୍ଦଙ୍କୁ କହିଲେ, ସଦାନନ୍ଦ ଟିକିଏ ରହି କହିଲେ, “ମୋ ପୁଅର ଗୋଟିଏ ମାତ୍ର ବଦଭ୍ୟାସ ଅଛି; ସେଇଟା ହେଲା ସେ କେବେ ବି ମଧ୍ୟ ସତକଥା କହେ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ