ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା?
ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ ଚାକରବାକର ଥା’ନ୍ତି, ସେମାନଙ୍କୁ ଧନ୍ୟବାଦ ଦେବାର କଥା । ଯେ କୌଣସି ମୁହୂର୍ତ୍ତରେ ଗାଳି ବା ମାଡ ଖାଇବା ପାଇଁ ସେମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡିଥାଏ ।
ଗୋବିନ୍ଦବାବୁ କେତେଥର ସୁମତି ଦେବୀଙ୍କୁ ଚେତାଇ ଦେବାର ଚେଷ୍ଟା କରନ୍ତି; ତୁମ ବିଚାର ଅନୁସାରେ ଦୁନିଆର ସମସ୍ତେ ଚାଲିବେ, ଏପରି ଆଶା କରିବା ଧୃଷ୍ଟତା ମାତ୍ର । ସବୁ ବିଷୟରେ ଅଧୈର୍ଯ୍ୟ ହେଲେ ନିଜ ଦୁଃଖ ସିନା ବଢିବ, ହେଲେ କୌଣସି ସମସ୍ୟାର ସମାଧାନ ହେବ ନାହିଁ । ଆଉ ସମସ୍ତଙ୍କ ଭୁଲ ବାଛିବା ନିଜର ବି ଗୋଟିଏ ବଡ ଭୁଲ୍ ।”
ସୁମତିଙ୍କ ମତିଗତିରେ ଏସବୁ ଉପଦେଶ ବିଶେଷ ପ୍ରଭାବ ପକାଉ ନଥିଲା । କିନ୍ତୁ ଶୀଘ୍ର ଏପରି ଗୋଟିଏ ସମସ୍ୟା ଦେଖାଦେଲା, ଯାହା କି ତାଙ୍କ ମନକୁ ସତରେ ଦୋହଲାଇ ଦେଲା । ଗୋବିନ୍ଦବାବୁ ଓ ସୁମତି ଦେବୀଙ୍କର ଏକମାତ୍ର ସନ୍ତାନ ହେଲା ଗୋଟିଏ ପୁତ୍ର । ନାମ ତା’ର ସୁକୁମାର । ସୁକୁମାର ବାସ୍ତବିକ ବଡ ଭଲ ପିଲା । ପୁଣି ଗୋବିନ୍ଦବାବୁଙ୍କର ସମ୍ପତ୍ତିବାଡି ବହୁତ । ତଥାପି କେହି ତାଙ୍କ ଘରେ ଝିଅ ଦେବା ପ୍ରସ୍ତାବ ଉଠାଉ ନଥାନ୍ତି ।
କେହି କେହି ମଧ୍ୟସ୍ଥ ଗୋବିନ୍ଦବାବୁଙ୍କୁ ଚୁପ୍ ଚୁପ୍ କହିଲେ, “ବୁଝିଲେ ଆଜ୍ଞା, କନ୍ୟା ପିତାମାନେ କହୁଛନ୍ତି, ଗୋବିନ୍ଦବାବୁ ସିନା ମହତ୍ ଲୋକ, କିନ୍ତୁ ସୁମତି ଦେବୀଙ୍କ ପାଖକୁ ଝିଅ ପଠାଇବା ଯାହା ଝିଅକୁ ଫାର୍ନେସ୍ ଭିତରକୁ ଠେଲିଦେବା ସେଇଆ । ସୁମତି ଦେବୀଙ୍କ ମୁହଁ ଆଉ ଫାର୍ନେସ୍ ଭିତରେ ବିଶେଷ କିଛି ଫରକ୍ ନାହିଁ ।”
ସୁମତି ଦେବୀ କାନ ଡେରି ଏଭଳି ମନ୍ତବ୍ୟ ଥରେ ଅଧେ ଶୁଣିଦେଲେ । ତାଙ୍କ ମନ ବହୁତ ଖରାପ ହୋଇଗଲା । ସେ ଏକୁଟିଆ ଏସବୁ କଥା ଉପରେ ବହୁତ ଚିନ୍ତା କଲେ । ସେ ବୁଝିଲେ ବାସ୍ତବିକ ନିଜକୁ ବଦଳାଇବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ନହେଲେ ଶେଷକୁ ତାଙ୍କ ଭାଗ୍ୟରେ ଗୋଟାଏ କଳିହୁଡି ଝିଅହିଁ ଜୁଟିବ ।
ଦିନେ ଗୋବିନ୍ଦବାବୁ ସୁମତି ଦେବୀଙ୍କୁ ପଚାରିଲେ “ତମେ ଆଜିକାଲି ଏମିତି ମନ ଖରାପ କରି କାହିଁକି ରହୁଛ?”
“ମୁଁ ବାସ୍ତବିକ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ବଡ ଖରାପ ବ୍ୟବହାର କରି ଆସିଛି । ସେଥିଯୋଗୁଁ ମୋତେ ଆଜି ଭଲ ବୋହୁଟିଏ ମିଳୁ ନାହିଁ । ଏଣିକି ମୁଁ ମୋ କଥାବାର୍ତ୍ତା ଓ ଢଙ୍ଗଢାଙ୍ଗ ବଦଳାଇବି ।” ସୁମତି ଦେବୀ ଏହା କହି ପ୍ରାୟ କାନ୍ଦି ପକାଇଲେ ।
ଗୋବିନ୍ଦବାବୁ ବହୁତ ଖୁସି ହେଲେ । ସେ କହିଲେ “ହଁ, ସୁମତି, ଆମ କଥାବାର୍ତ୍ତା, ଆଚାର ବ୍ୟବହାର ଉପରେ ଆମର ନିୟନ୍ତ୍ରଣ ନ ରହିବ ତ କାହାର ରହିବ? ଆମେ ଯଦି ଇଚ୍ଛା କରିବା, ତେବେ ଜରୁର୍ ଏସବୁ ବଦଳାଇ ଦେଇ ପାରିବା ।”
ତେଣିକି ସୁମତି ଦେବୀଙ୍କୁ ଆଉ କେହି କେବେ ପାଟି କରି କଥା କହିବାର ଶୁଣିଲେ ନାହିଁ । ତାଙ୍କ ପାଖରୁ ଗାଳି ଗୁଲଜ ପାଇବା ତ ଦୂରର କଥା । ପରିବାରରେ ଶାନ୍ତି ବିରାଜମାନ କଲା । ଅନେକ ସମୟରେ ସୁମତି ଦେବୀ ଚାକରବାକରଙ୍କ ସଙ୍ଗେ ଥଟ୍ଟା କରିବା ଓ ହସିବାର ବି ଦେଖାଗଲା । ଏସବୁରେ ଗୋବିନ୍ଦବାବୁ ଓ ସୁକୁମାର ସବୁଠାରୁ ବେଶି ଖୁସି ହେଉଥାନ୍ତି ।
ସୁମତି ଦେବୀଙ୍କ ମନରେ କୌତୁହଳ ଥାଏ: ମୋର ଏ ପରିବର୍ତ୍ତନ ଦେଖି ଅନ୍ୟମାନେ କ’ଣ ମନେ କରୁଛନ୍ତି? ଦିନେ ସେ ଗାଁ ଦାଣ୍ଡରେ ଯାଉଛନ୍ତି, ହଠାତ୍ ତାଙ୍କର ଜଣେ ପଡୋଶୀ ଘର ଭିତରୁ ତାଙ୍କ ନାମ ଆସି ତାଙ୍କ କାନରେ ପଡିଲା । ସେ ଅଟକି ଯାଇ କାନ ପାରିଲେ ।
ଜଣେ ମହିଳା କହୁଥାନ୍ତି, “ସୁମତିର କ’ଣ ହେଲା କେଜାଣି, ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ସେଦିନ ରାନ୍ଧିବା ବେଳେ ମୋ ହାତରେ ଫୁଟୁଥିବା ପାଣି ପଡିଗଲା । ସୁମତି ସେତିକିବେଳେ ଆମ ଘରକୁ ଆସିଥାଏ । ସେ ମୋ ହାତରେ ମଲମ ଲଗାଇ ଦେଇ ମୋତେ ବସାଇ ରଖି ନିଜେ ରାନ୍ଧିଦେଇ ଗଲା ।”
ଆଉ ଜଣେ ମହିଳା କହିଲେ “ଗତ କାଲି ମୋ ପୁଅ ଝିଅ ଓ ପରିଡାବାବୁଙ୍କ ନାତି ନାତୁଣୀ ଯାଇ ତାଙ୍କ ଘରେ ଏମିତି ଚିଲ୍ଲୋଉଥାନ୍ତି ଯେ ମୁଁ ଆମ ଘରେ ଶାନ୍ତିରେ କାମ କରି ପାରିଲି ନାହିଁ । ମୋର ଭୟ ହେଲା ସୁମତି ନୂଆବୋଉ କ’ଣ କହିବେ! କିନ୍ତୁ ସେ ମୋତେ ଦେଖି ହସି ଦେଲେ । ମୁଁ ପିଲାଗୁଡାଙ୍କୁ ଆକଟିବାରୁ ସେ ବରଂ ସେମାନଙ୍କ ପକ୍ଷ ନେଲେ । ଆଶ୍ଚର୍ଯ୍ୟ!”
ଜଣେ ବୟସ୍କା ମହିଳା ଟିପ୍ପଣୀ ଦେଲେ “ଭଉଣୀ! କୁକୁର ଲାଞ୍ଜ ସିଧା ହୁଏନାହିଁ କି ମଣିଷର ପ୍ରକୃତି ବି କେବେବି ବଦଳେ ନାହିଁ । ସୁମତି ଏମିତି ଢଙ୍ଗ ଦେଖାଇବାର କିଛି କାରଣ ଥିବ । ବଳେ ତାହା ଜଣା ପଡିଯିବନି?”
ଅନ୍ୟମାନେ କିଛି କହିଲେ ନାହିଁ ।
ସୁମତି ଦେବୀ ପ୍ରଥମ ଦୁହିଁଙ୍କ ମନ୍ତବ୍ୟରେ ଯେଉଁ ଆନନ୍ଦ ପାଇଥିଲେ, ତାହା କୁଆଡେ ଚାଲିଗଲା । ସେ ବହୁତ ଦୁଃଖିତ ହେଲେ ।
ଘରକୁ ଫେରି ଆସିବା ବେଳକୁ କୂଅ ପାଖରୁ ତାଙ୍କ କାନରେ ତାଙ୍କରି ବିଷୟରେ ଆଲୋଚନା ପଡିଲା । ସୌଦାମିନୀ ଓ ତା’ ସ୍ୱାମୀ ଆଲୋଚନା କରୁଥିଲେ । ଦୁହେଁ ତାଙ୍କ ଘରେ କାମ କରୁଥିଲେ ।
ସୌଦାମିନୀ କହିଲା “ଆମ ମାଲିକାଣୀଙ୍କର କ’ଣ ହୋଇଛି କେଜାଣି, ସେ ଆଉ ମୋଟେ ରଗାରଗି କରୁ ନାହାଁନ୍ତି । ଆଜି ସକାଳେ ମୁଁ ଗୋଟାଏ ଗିଲାସ ଭାଙ୍ଗି ପକାଇଲି । ଭାବୁଥିଲି ସେ ମୋତେ ଗୋଟାଏ ଚାପୁଡା ଦେବେ । କିନ୍ତୁ ସେ କାଳେ ଭଙ୍ଗା କାଚ ଗୋଟାଇବାକୁ ଯାଇ ମୋ ହାତ କଟିଯିବ, ସେଥିପାଇଁ ଅତି ସାବଧାନରେ ସେସବୁ ଗୋଟାଇବାକୁ କହିଲେ । ଆଉ କିଛି କହିଲେ ନାହିଁ ।”
ତା’ ସ୍ୱାମୀ କହିଲା “ହଁ । ମୁଁ ବି ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରୁଛି । କିନ୍ତୁ ମୋତେ ଡର ଲାଗୁଛି । ଝଡ ଆସିବା ପୂର୍ବରୁ ଯେପରି ସବୁ ନିସ୍ତବ୍ଦ ମନେ ହୁଏ, ତାଙ୍କ ଅବସ୍ଥା ସେମିତି ହୋଇଥିବ ପରା! ସେ ହଠାତ୍ କ୍ରୋଧରେ ଆଉ ଫାଟି ପଡିବେ ନାହିଁ ତ?”
ଏଥର ସୁମତି ଦେବୀଙ୍କୁ କାନ୍ଦ ଲାଗିଲା । ସେ ତାଙ୍କ କୋଠରୀ ଭିତରକୁ ପଶିଗଲେ ।
ଗୋବିନ୍ଦବାବୁ ପଚାରିଲେ “କିହୋ! ତମେ କାହିଁକି ଏମିତି ଦିଶୁଛ?”
“ମୋର ପରିବର୍ତ୍ତନ ହୋଇଛି ବୋଲି କେହି ବିଶ୍ୱାସ କରୁ ନାହାଁନ୍ତି । ସମସ୍ତେ ଖାଲି ଭାବୁଛନ୍ତି ଯେ ମୁଁ ଛଳନା କରୁଛି । ତେବେ ଲାଭ କ’ଣ ହେଲା?” ଏହା କହି ସୁମତି ଦେବୀ ଆଉ ଅଶ୍ରୁ ସମ୍ବରଣ କରି ପାରିଲେ ନାହିଁ ।
ଗୋବିନ୍ଦବାବୁ କହିଲେ “ସୁମତି, ତୁମ ପରିବର୍ତ୍ତନର ଲାଭ କ’ଣ ତୁମେ ନିଜେ ଅନୁଭବ କରିପାରୁ ନାହଁ? ବିରକ୍ତି, କ୍ରୋଧ, ଏସବୁ ଯିଏ ପୋଷଣ କରେ, ସିଏ ନିଜେହିଁ ପ୍ରଥମେ ଯନ୍ତ୍ରଣା ପାଏ । ତମେ ସେ ଯନ୍ତ୍ରଣାରୁ ମୁକ୍ତ । ଏହାହିଁ ବଡ ଲାଭ ।”
ସତରେ ଧିରେ ଧିରେ ସୁମତି ଦେଖିଲେ କିଛି ଦିନ ପରେ ସେ ଛଳନା କରୁଛନ୍ତି ବୋଲି ଆଉ କେହି ମଧ୍ୟ ଭାବିଲେ ନାହିଁ । ସମସ୍ତେ ତାଙ୍କ ପୂର୍ବ ଢଙ୍ଗ ପାଶୋରି ଦେଲେ ।
ଯଥା ସମୟରେ ତାଙ୍କ ପୁଅ ପାଇଁ ଗୋଟିଏ ସମ୍ଭ୍ରାନ୍ତ ପରିବାରରୁ କନ୍ୟାଟିଏ ଯୋଗାଡ ହେଲା ।