ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀ ମଧ୍ୟରେ ଏକ ବିରାଟ ବରଗଛ ରହିଥିଲା । ସେହି ବରଗଛଟିରେ କୁଆ ମାନଙ୍କର ରାଜା ‘ମେଘବର୍ଣ୍ଣ’ ତାର ବନ୍ଧୁ, ପରିଜନ ଏବଂ ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହି ବରଗଛ ନିକଟରେ ଏକ ପର୍ବତ ଗୁମ୍ଫା ଥାଏ । ସେହି ଗୁମ୍ଫା ମଧ୍ୟରେ ପେଚା ରାଜା ‘ଅରିମର୍ଦ୍ଧନ’ ତା’ର ଅନୁଚର ମାନଙ୍କୁ ନେଇ ବାସ କରୁଥାଏ । କୁଆରାଜା ଏବଂ ପେଚା ରାଜା ଉଭୟଙ୍କ ମଧ୍ୟରେ କେଉଁ ପୁରାତନ କାଳରୁ ଶତ୍ରୁତାଥାଏ ।
ପେଚାମାନଙ୍କୁ ସାଧାରଣତଃ ରାତିରେ ଦେଖାଯାଏ, ଦିନରେ ଦେଖାଯାଏ ନାହିଁ । ତେଣୁ ସେମାନେ ଦିନବେଳା ଗୁହା ମଧ୍ୟରେ ଛପି ରହନ୍ତି । ରାତି ହେଲେ ଶିକାରକୁ ବାହାରନ୍ତି । ଶିକାର ନିମିତ୍ତ ମଧ୍ୟ ସେମାନଙ୍କୁ ବେଶୀ ପରିଶ୍ରମ କରିବାକୁ ପଡେ ନାହିଁ । ରାତିରେ ବରଗଛ ଚର୍ତୁପାଶ୍ୱର୍ରେ ବୁଲି ଛୋଟ ଛୋଟ କୁଆମାନଙ୍କୁ ମାରି ଖାଆନ୍ତି । ଫଳରେ କୁଆମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ଦିନେ କୁଆରାଜା ମେଘବର୍ଣ୍ଣ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମନ୍ତ୍ରୀ ଏବଂ ପାରିଷଦ ବର୍ଗଙ୍କୁ ଦରବାରକୁ ଡକାଇଲେ । ପ୍ରଥମେ ମନ୍ତ୍ରୀ ‘ଉଜ୍ଜୀବ’ କହିଲେ, ‘ମହାରାଜ! ଯେହେତୁ ପେଚା ରାଜା ଅରିମର୍ଦ୍ଧନ ଆମ୍ଭମାନଙ୍କ ଉପରେ ରାତ୍ରି କାଳରେ ଆକ୍ରମଣ କରୁଛନ୍ତି । ସେ ନିଶ୍ଚିତ ରୂପେ ଶକ୍ତିଶାଳୀ । ପ୍ରଥମେ ତାଙ୍କ ଶକ୍ତି ସଂପର୍କରେ ଜାଣିବା ଉଚିତ୍ । ଯେହେତୁ ଆମର ଶତ୍ରୁ ବଳବାନ୍ । ତେଣୁ ତାକୁ ହଠାତ୍ ଆକ୍ରମଣ ନକରି ଶତ୍ରୁର ଦୁର୍ବଳ ସମୟରେ ତାକୁ ଆକ୍ରମଣ କରିବା ଉଚିତ୍ ହେବ ।’