ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଦାଶୟୀ କୈପାଙ୍ଗ

ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ ଗଛଟିଏ ଶୁଖିଯାଉଛି ବା ପାଣି ମୋଟେ ପାଉନାହିଁ – ଏହିପରି ସବୁ କାମ ଦେଖିଲେ ସେ ନିଜେ ସମୟ ଦେଇ କାମ କରିଦେଇ ସେମାନଙ୍କୁ ସାହାଯ୍ୟ କରେ । ସେଥିଯୋଗୁଁ ସାରା ଗାଁର ଲୋକ ତାକୁ ଘରପୁଅ ପରି ଭଲପା’ନ୍ତି, ଅଥଚ ନିଜ ଘରେ ବଡ ଦୁଇଭାଇ ତାକୁ ନିର୍ବୁଦ୍ଧିଆ ଓ ବୋକା ବୋଲି ଡାକନ୍ତି ।

                ଏମିତି ଦିନେ କୌଣସି ଦୁଃଖୀ ଲୋକକୁ ସାହାଯ୍ୟ କରିବାକୁ ଯାଇ ସେ ବହୁତ ଡେରିରେ ଘରକୁ ଫେରିଲା । ବଡ ଭାଇମାନେ ରାଗରେ ଜଳିଗଲେ । ତାକୁ ନାନା ପ୍ରକାର ଭତ୍ସର୍ନା କରି ଘରୁ ତଡିଦେଲେ । ଏହି କାରଣରୁ ବିଚାରା ବାପା ବହୁତ ଦୁଃଖିତ ହେଲା, କିନ୍ତୁ ସେ କାହାକୁ କିଛି କହିପାରିଲା ନାହିଁ ।

କୈପାଙ୍ଗ ସେହିଦିନଠାରୁ ରାସ୍ତାରେ ବା କାହା ପିଣ୍ଡାରେ ରହିଯାଏ, କାହାର କିଛି କାମ କରିଦେଲେ ସେ ତାକୁ ମୁଠାଏ ଖାଇବାକୁ ଦିଏ, ସେତିକି ଖାଇଦେଇ କାହା ପିଣ୍ଡାରେ ସେ ଶୋଇପଡେ । ସେ ଏପରି ଯାଯାବର ଜୀବନ ଯାପନ କରୁଥାଏ । କିନ୍ତୁ ମନରେ ଖୁବ୍ ଖୁସି ଓ ସନ୍ତୋଷ ଥାଏ । ବେଳେ ବେଳେ ଆଖପାଖ ଗାଁକୁ ବି ସେ ଯାଏ । ସେଠାରେ କିଛି କାମ କରିଦେଇ ବା କାହାକୁ କାମରେ ସାହାଯ୍ୟ କରି କିଛି ପଇସା ଅର୍ଜନ କରେ । ଏମିତି ଯାଉ ଯାଉ ଦିନେ ଗୋଟିଏ ଗାଁରେ ସେ ଶୁଣିଲା କି କିଛି ଦୂରରେ ଗୋଟିଏ ପାହାଡ ଅଛି । ତା’ର ପାଦଦେଶରେ ଥିବା ଜଙ୍ଗଲରେ ଜଣେ ସାଧୁ ଅଛନ୍ତି । କୈପାଙ୍ଗ ତ ଲୋକଙ୍କର କଷ୍ଟ ଆଦୌ ସହି ପାରେନାହିଁ । ଭାବିଲା ଜଙ୍ଗଲକୁ ଯାଇ ସାଧୁଙ୍କୁ ସବୁ କିଛି ପଚାରିବ ଓ ସାଧୁଙ୍କର ସେବା କରିବ ।

ଯାଉ ଯାଉ ସେ ଦେଖିଲା କେତେଗୁଡିଏ ଗ୍ରାମରେ ପାଣି ଅଭାବରୁ ଜୀବନ ଅତିଷ୍ଠ ହୋଇଗଲାଣି । ବହୁତ ପଶୁପକ୍ଷୀଙ୍କର ଓ ମଣିଷମାନଙ୍କ ଅବସ୍ଥା ଖରାପ । ଏକମାତ୍ର ଝରଣାରେ ଖୁବ୍ କମ୍ ପାଣି ଆସୁଛି । କୈପାଙ୍ଗ ଭାବିଲା ପ୍ରଥମେ ସେ ସାଧୁଙ୍କୁ ଏକଥା ପଚାରିବ ଓ ଲୋକଙ୍କ କଷ୍ଟ ଦୂର କରିବାକୁ ଚେଷ୍ଟା କରିବ ।

ଆଉ ଗୋଟିଏ ଗ୍ରାମରେ ଜଣେ ମହିଳା ଓ ତାଙ୍କର ଅନ୍ଧ ଝିଅଟିଏ ଥାଏ । ଝିଅଟି ସୁନ୍ଦରୀ, ଗୁଣବତୀ ଓ ସୁନ୍ଦର ଗୀତ ଗାଏ ହେଲେ ଆଖି ଦୁଇଟିରେ ସେ କିଛିବି ଦେଖିପାରେ ନାହିଁ । ସେକଥା ମଧ୍ୟ ସାଧୁଙ୍କୁ ପଚାରିବ ବୋଲି କୈପାଙ୍ଗ ମନସ୍ଥ କଲା ।

ଚାଲି ଚାଲି କିଛିଦିନ ପରେ ସେ ଯାଇ ସାଧୁଙ୍କ ପାଖରେ ପହଁଚିଲା । ଏହି ସବୁ ସମସ୍ୟା ସେ କହିବା ପୂର୍ବରୁହିଁ ସାଧୁ ତାଙ୍କର ତପସ୍ୟା ଶକ୍ତି ବଳରେ ସେସବୁ ଜାଣିପାରିଲେ । ସାଧୁ ଅବଶ୍ୟ କୈପାଙ୍ଗଠାରୁ ସବୁ ଶୁଣିଲେ ଓ ସମାଧାନ ବି ବତାଇ ଦେଲେ । ଫେରିବା ବାଟରେ ପ୍ରଥମେ ସେ ଅକାଳ ପଡିଥିବା ଗ୍ରାମକୁ ଗଲା । ସେଠାରେ ସେ ଝରଣା କୂଳେ କୂଳେ ତା’ର ମୂଳ ଉତ୍ସକୁ ଗଲା । ସେଠାରେ ପାହାଡି ଝରଣାକୁ ଦଳେ ହାତୀ ବନ୍ଦ କରି ରଖିଛନ୍ତି । ପାଣି ଯାଇ ପାରୁନି । କୈପାଙ୍ଗ ସେମାନଙ୍କୁ ସେଠାରୁ ତଡିଲା, କିନ୍ତୁ ସେମାନେ ସେ ସ୍ଥାନ ଛାଡି ଯିବାକୁ ଅନିଚ୍ଛା ପ୍ରକାଶ କରି ନାନା ପ୍ରକାର ଶବ୍ଦ କଲେ । ତା’ପରେ କୈପାଙ୍ଗକୁ ଏକ ବୁଦ୍ଧି ଦିଶିଲା । ସେ ଶୁଖିଲା କାଠଝଟା ସବୁ ଏକାଠି କରି ଝକମକି ପଥର ଘଷି ନିଆଁ ଧରାଇଲା । ନିଆଁ ହୁତ୍ ହୁତ୍ ହୋଇ ଜଳିବା ଦେଖି ହାତୀ ପଲ ସେଠାରୁ ପଳାଇଲେ । କୈପାଙ୍ଗ ସେହି ଝରଣା ମୁହଁରୁ ପଥର କାଦୁଅ ସବୁ କାଢିଦେଲା । ପାଣି ଏଥର ସୁନ୍ଦର ଭାବରେ ବୋହିବାକୁ ଲାଗିଲା । ଲୋକମାନେ କୈପାଙ୍ଗକୁ ଦେବତା ପରି ପୂଜା କଲେ ।

ତା’ପରେ କୈପାଙ୍ଗ ଅନ୍ଧ ଝିଅର ଘରକୁ ଗଲା ଓ ତା’ ମୁଣ୍ଡ ଉପରେ ସେ ହାତ ରଖିଲା । ତତ୍କ୍ଷଣାତ୍ ସେ ଝିଅଟି ତା’ର ଦୃଷ୍ଟିଶକ୍ତି ଫେରି ପାଇଲା । ମା ଝିଅ ଆନନ୍ଦରେ ବିଭୋର ହୋଇଗଲେ ଓ କୈପାଙ୍ଗକୁ ଦେବତା ବୋଲି ଜ୍ଞାନ କଲେ । କୈପାଙ୍ଗକୁ ସାଧୁ ଏହା ମଧ୍ୟ କହିଥିଲେ ଯେ ଯିଏ ତା’ ମୁଣ୍ଡ ଉପରେ ହାତ ରଖିଲେ ସେ ଦୃଷ୍ଟିଶକ୍ତି ଫେରି ପାଇବ ସେ ହିଁ ତା’ର ସ୍ୱାମୀ ହେବ । ଏଥର କୈପାଙ୍ଗ ସହିତ ସେହି ଝିଅଟିର ବିବାହ ହେଲା । ସେମାନଙ୍କୁ ଧରି କୈପାଙ୍ଗ ନିଜ ରାଜ୍ୟକୁ ଫେରି ଆସିଲା । ସମସ୍ତେ ଭାବିଥିଲେ ବୋକାଟା କୁଆଡେ ମରି ହଜିଗଲା । କାହାକୁ କିଛି ନ କହି ଭାଇଠୁ ଗାଳି ଖାଇ ପଳାଇଥିଲା । କିନ୍ତୁ ତା’ର ବାପା ସର୍ବଦା ତାକୁ ମନେ ପକାଉଥାଏ ଓ ତା’ର ଭଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ । ସେ ତାଙ୍କ ପୁଅକୁ ଓ ବୋହୁକୁ ଦେଖି ଅତି ଆନନ୍ଦିତ ହେଲା । ଗ୍ରାମଲୋକ ମାନେ ତାକୁ ପାଛୋଟି ନେଲେ । ଚାରିଆଡେ ଆନନ୍ଦର କୋଳାହଳ । କୈପାଙ୍ଗ ଏଥିରୁ କିଛିବି ବୁଝିପାରୁ ନଥାଏ । ଏଣେ କୈପାଙ୍ଗ ଯୋଗୁଁ ଯେଉଁ ଗ୍ରାମର ପାଣି କଷ୍ଟ ଦୂର ହେଲା ସେଠାକାର ଗ୍ରାମବାସୀମାନେ କୃତଜ୍ଞତା ସ୍ୱରୂପ ବହୁତ ଧନ ଓ ଉପଢୌକନ ସବୁ ଦେଇ ଯାଇଥାନ୍ତି ଓ କୈପାଙ୍ଗର ପରୋପକାର ବିଷୟରେ ବି କହିଯାଇଥାନ୍ତି ।

କୈପାଙ୍ଗର ବାପା ସବୁଠୁ ଖୁସି । କାରଣ ଯାହାକୁ ଅଯୋଗ୍ୟ କହି ବଡପୁଅ ଘରୁ ତଡି ଦେଇଥିଲା ସେହିଁ ଆଜି ସବୁଠାରୁ ଯୋଗ୍ୟ ବୋଲି ପ୍ରମାଣିତ ହେଲା । ବଡ ପୁଅମାନେ ମଧ୍ୟ ନିଜ ନିଜର ଭୁଲ୍ ବୁଝିପାରିଲେ । କୈପାଙ୍ଗକୁ ଓ ତା’ ସ୍ତ୍ରୀକୁ ଖୁବ୍ ସ୍ନେହ ଶ୍ରଦ୍ଧା ଓ ଭଲ ବ୍ୟବହାର ଦେଖାଇଲେ । ଦୂରଦୂରାନ୍ତରର ଲୋକେ ମଧ୍ୟ ଏ ବିଷୟରେ ସବୁ ଶୁଣି ଆନନ୍ଦିତ ଓ ବିସ୍ମିତ ହେଲେ । ସମସ୍ତେ ଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ