ଗୋଟିଏ ବଣରେ ଜଣେ ବୁଢା ଶିକାରି ବାସ କରୁଥିଲା । ତା’ର ଗୋଟିଏ ପୁଅ ଥିଲା । ଶିକାରି ପୁଅଟି ବଣ ସାରା ବୁଲି ବୁଲି ଗୋଟିଏ ମଧ୍ୟ ଶିକାର ପାଇଲା ନାହିଁ । ତେଣୁ ମନରେ ବହୁତ କଷ୍ଟ ଅନୁଭବ କଲା । ଏଣେ ସଞ୍ଜବେଳ ହୋଇଯାଇଥାଏ । ଶିକାରି ପୁଅ ତ ଘରକୁ ଫେରିବାକୁ ମନସ୍ଥ କଲାବେଳକୁ ନିକଟରେ ଘଷର ଘଷର ଶବ୍ଦ ଶୁଣାଗଲା । ଗୋଟିଏ ବନ୍ୟଶୁକର ଆସି ଶିକାରି ପୁଅଟିକୁ ଭୁଷିଦେଲା । ସାଧାରଣ ବନ୍ୟ ଶୁକରଠାରୁ ପରାଜିତ ହେବାକୁ ତାକୁ ଭଲ ଲାଗିଲା ନାହିଁ । ସେ ଭୀଷଣ ରାଗିଯାଇ ବନ୍ୟ ଶୁକରକୁ ଆଖି ପିଛୁଳାକେ ଗୋଟିଏ ତୀର ମାଇଲା । ବନ୍ୟ ଶୁକରଟି ସେଇଠାରେ ଗଁ ଗଁ ହୋଇ ଛଟପଟ ହୋଇ ମରିଗଲା ।
ବନ୍ୟ ଶୁକର ଭୁଷି ଦେଇଥିବାରୁ ଶିକାରି ପୁଅଟି ଠିଆହୋଇ ପାରିଲା ନାହିଁ । ଦେହରୁ ପ୍ରବଳ ରକ୍ତ ବୋହିବାକୁ ଲାଗିଲା । ମୁଣ୍ଡ ବୁଲାଇ ଦେଲା । ଗୋଡ ହାତ ଝିମ୍ ଝିମ୍ ହୋଇଗଲା । ଅତ୍ୟଧିକ ରକ୍ତ ବାହାରି ଥିବାରୁ ଶିକାରି ପୁଅଟି ମୂର୍ଚ୍ଛା ହୋଇ ତଳେ ପଡିଗଲା ଓ ତା’ ଜୀବନ ଚାଲିଗଲା ।
ସୂର୍ଯ୍ୟ ଅସ୍ତ ହୋଇଗଲେ । ସଞ୍ଜ ହୋଇଗଲା । ଗୋଟିଏ ବିଲୁଆ କୁଆଡୁ ବୁଲି ବୁଲି ଆସି ସେଠାରେ ପହଁଚିଲା । ଶିକାରି ପୁଅର ମୃତ ଶରୀର ଓ ବନ୍ୟ ଶୁକରର ମୃତ ଶରୀର ଦେଖି ବିଲୁଆର ମନ ବହୁତ ଆନନ୍ଦ ହେଲା । ମନେ ମନେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲା । ବହୁତ ଦିନରୁ ଉପାସ ରହୁଥିବା ଜୀବ ଯଦି ଖାଦ୍ୟ ପାଏ, ତା’ହେଲେ ତା’ର ଆନନ୍ଦ ବହୁତ ବଢିଯାଏ ।