ଗୋବିନ୍ଦ ଘରୁ ବାହାରି ପିଣ୍ଡାରେ ପାଦ ଦେଇଛି, କିଏ ଜଣେ ଜୋର୍ରେ ଛିଙ୍କିଲା । ସେ ମନେ ମନେ ସେହି ଛିଙ୍କିଥିବା ଲୋକକୁ ଅନେକ ଗାଳି ଦେଇ ଘରକୁ ଫେରିବା ବେଳେ ଦେଖିଲା ପଡୋଶୀ ଈଶ୍ୱର ଶାସ୍ତ୍ରୀଜୀ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା; କାରଣ ଛୋଟ କାମଟିଏ ହେଲେ ମଧ୍ୟ ଶାସ୍ତ୍ରୀଜୀ ଶୁଭ ମୁହୂର୍ତ୍ତ ଦେଖି ବାହାରନ୍ତି । ତେଣୁ ସେ ଭାବିଲା, “ଶାସ୍ତ୍ରିଜୀ ଯଦି ଛିଙ୍କର ଅଶୁଭ ସୂଚନାକୁ ଖାତିର୍ ନ କରି ମୁହୂର୍ତ୍ତଟି ଶୁଭ ବୋଲି କାମରେ ବାହାରିଲେ, ତେବେ ମୁଁ ମଧ୍ୟ ବାହାରିଯିବି ।”
ଗୋବିନ୍ଦର କାମଟି ଭଲ ଭାବରେ ସମ୍ପନ୍ନ ହେଲା । ଫେରି ଆସି ସେ ଶାସ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଗଲା । ସେ ଶାସ୍ତ୍ରୀଙ୍କୁ କହିଲା, “ଆପଣଙ୍କ ଯୋଗୁହିଁ ମୋର କାମ ଭଲ ଭାବରେ ହେଲା । କାରଣ ଆପଣ ବାହାରକୁ ଯିବାର ଦେଖି ମୁଁ ଜାଣିଗଲି ଯେ ଏହାହିଁ ଶୁଭ ମୁହୂର୍ତ୍ତ ।”
ଗୋବିନ୍ଦର ଏଭଳି କଥା ଶୁଣି ଶାସ୍ତ୍ରିଜୀ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆଜିକାଲି ମୁଁ ସର୍ବଦା ପାଞ୍ଜି ଦେଖି ଯିବା ପାଇଁ ଆଉ ସମୟ ପାଏ ନାହିଁ । ମନ ଅନେକ ବିଷୟରେ ବ୍ୟସ୍ତ ଥାଏ । ହୁଏତ ମୁଁ ଛିଙ୍କ ଶୁଣି ନଥିବି । ପ୍ରକୃତରେ କହିବାକୁ ଗଲେ ଯେଉଁ କାମ ପାଇଁ ବାହାରିଲି, ତାହା ସେମିତି କିଛି ଜରୁରୀ କାମ ନଥିଲା । ପାଚିରୀ ନିକଟରେ କୁକୁର ଭୂକି ଲାଗିଥିଲା, ତାକୁ ସେଠାରୁ ତଡିବାକୁ ମୁଁ ଯାଇଥିଲି । ଅଶୁଭ ସମୟରେ ବାହାରକୁ ଯିବା ପରି ମୂର୍ଖ ମୁଁ ନୁହେଁ ।”
ଏକଥା ଶୁଣି ଗୋବିନ୍ଦ ଅବାକ୍ ହୋଇଗଲା । ତା’ପରଠାରୁ ସେ ଏହିସବୁ ଶୁଭ ଅଶୁଭ କଥାକୁ ଆଉ ମୂଲ୍ୟ ଦେଲା ନାହିଁ । କ୍ରମେ ସେସବଚ ଜିନିଷ ଉପରୁ ତା’ର ବିଶ୍ୱାସ ବି ତୁଟିଗଲା ।