ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ ।
ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ହେବାର ଥାଏ । ଗାଁ ବାହାରେ ତାଙ୍କର ଖଣ୍ଡିଏ ପଡିଆ ଜମି ଥିଲା । ସେ ଖଣ୍ଡି ବିକ୍ରିକରି ଦେଇ ସେଥିରେ ବାହାଘର ଖର୍ଚ୍ଚ ତୁଲାଇବେ ବୋଲି ସେ ସ୍ଥିର କରିଥିଲେ । ଜମି ଖଣ୍ଡିକ ଭଲ ଦାମ୍ରେ ଯେ କୌଣସି ଥିଲାବାଲା ଲୋକ କିଣିବ ବୋଲି ସେ ନିଶ୍ଚିତ ଥିବାରୁ ସେ ଦିଗରେ ବେଶି ତତ୍ପରତା ଦେଖାଇ ନ ଥିଲେ । ବାହାଘର ଆଉ ଦେଢମାସ ଅଛି, ସେ ଜମି ବିକିବାକୁ ବାହାରିଲେ । କିନ୍ତୁ କୌଣସି ଲୋକ ସେ ଦାବୀ କରୁଥିବା ମୂଲ୍ୟ ଦେବାକୁ ଆଦୌ ପ୍ରସ୍ତୁତ ନଥିଲେ ।
ଗୋବିନ୍ଦବାବୁ ଏଥର ବଡ ଅଡୁଆରେ ପଡିଲେ । ଜମିର ଯାହା ଉଚିତ୍ ମୂଲ୍ୟ, ଲୋକେ ତାହା ଦେବାକୁ କାହିଁକି ପ୍ରସ୍ତୁତ ନୁହଁନ୍ତି, ସେକଥା ସେ ବୁଝିପାରୁ ନଥିଲେ । ଦିନେ ସେ ଦୁଃଖିତ ଭାବରେ ତାଙ୍କ ବନ୍ଧୁ ଶିବନାଥଙ୍କ ଘରକୁ ଆସି ନିଜ ସମସ୍ୟା କଥା କହିଲେ । ଶିବନାଥ ବା କ’ଣ ସାହାଯ୍ୟ କରିବେ? ଖାଲି ସହାନୁଭୂତି ପ୍ରକାଶ କରିବା ଛଡା ତାଙ୍କର ଆଉ କିଛି ମଧ୍ୟ କରିବାର ନଥିଲା ।
ହଠାତ୍ ପାଖ କୋଠରୀରୁ ସୁଧୀରର କଣ୍ଠସ୍ୱର ଶୁଭିଲା । ସେ କହିଲା, “ଗୋବିନ୍ଦ କକା! ଆପଣ ଛଅମାସ ଆଗରୁ ଜମି ବିକିଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା । ବର୍ତ୍ତମାନ ସମସ୍ତେ ଜାଣନ୍ତି କି ଆପଣଙ୍କ ଝିଅ ବାହାଘର ନିକଟ ହୋଇ ଆସିଲାଣି ଏବଂ ଆପଣଙ୍କର ଟଙ୍କା ଜରୁରୀ ଲୋଡା । ଆପଣ ଜମି ବିକିବାକୁ ବାଧ୍ୟ । ତେଣୁ ସମସ୍ତେ କମ୍ ଦାମ୍ ଦେଇ ପରିସ୍ଥିତିର ସୁବିଧା ନେବାକୁ ଚାହୁଁଛନ୍ତି । ଗୋଟାଏ କାମ କରନ୍ତୁ । ଜମିଦାର ତୀର୍ଥଯାତ୍ରାରୁ ଗତକାଲି ଫେରିଛନ୍ତି । ସେ ଆପଣଙ୍କ ଝିଅ ବାହାଘର କଥା ଜାଣି ନାହାଁନ୍ତି । ତା’ଛଡା ଆପଣଙ୍କର ସେ ଜମି ଖଣ୍ଡିକ ତାଙ୍କ ତୋଟାକୁ ଲାଗିଛି । ଆପଣ ଯାଇ ତାଙ୍କୁ କହନ୍ତୁ । ସେ ଉଚିତ୍ ମୂଲ୍ୟ ଦେଇ ତାହା କିଣି ନେବେ ।”
ସୁଧୀରର ପରାମର୍ଶ ଗୋବିନ୍ଦବାବୁଙ୍କ ମନରେ ନୂତନ ଆଶାର ସଂଚାର କଲା । ସେ ଜମିଦାରଙ୍କ ପାଖକୁ ଗଲେ । ସତରେ ଜମିଦାର ତାଙ୍କ ତୋଟାକୁ ଲାଗିଥିବା ଜମି ପାଇ ଖୁବ୍ ଆନନ୍ଦିତ ହେଲେ ଏବଂ ସ୍ୱତଃସ୍ଫୁର୍ତ ଭାବରେ ଜମିର ସାଧାରଣ ମୂଲ୍ୟ ଅପେକ୍ଷା କିଛି ବେଶି ମଧ୍ୟ ଦେଲେ ।
ଗୋବିନ୍ଦବାବୁଙ୍କ ଝିଅ ବାହାଘର ଖୁବ୍ ଭଲରେ ହୋଇଗଲା । ତା’ପରେ ଦିନେ ସେ ବନ୍ଧୁ ଶିବନାଥଙ୍କ ଘରକୁ ଆସି ସିଧା ସୁଧୀର ପାଖକୁ ଯାଇ କହିଲେ, “ବାପା ସୁଧୀର! ତମ ସହ ମୁଁ କିଛି ଖୋଲାଖୋଲି କଥାବାର୍ତ୍ତା କରିବି । ତମେ କିଛି ମନେ କରିବ ନାହିଁ । ଲୋକେ ତମକୁ ଅଳସୁଆ ବୋଲି କହନ୍ତି । ତମର ବୁଦ୍ଧି ନାହିଁ ବୋଲି ତମେ କିଛି କାମଦାମ କରୁନାହଁ, କେତେକଙ୍କ ମନରେ ଏଭଳି ଧାରଣା ମଧ୍ୟ ହୋଇଛି । ମୁଁ ଜାଣେ ଏ ଧାରଣା କେଡେ ଭୁଲ୍ । ତମେ କିଛି କର ।”
ସୁଧୀର ଜବାବ୍ ଦେଲା “ଲୋକେ କ’ଣ କହିଲେ ବୋଲି ମୁଁ କିଛି କରିବି? କାହିଁକି? ଲୋକେ ତ ଯାହା ମନ ତାହା କହି ଦିଅନ୍ତି । ସେସବୁ ପ୍ରତି ମୁଁ କେବେବି ଖାତିର୍ କରେ ନାହିଁ ।”
ଗୋବିନ୍ଦବାବୁ ବୁଝାଇ କହିଲେ “ପୁଅ, ସେକଥା ନୁହେଁ । ମୁଁ ଜାଣେ ତମର ବୁଦ୍ଧି ଅତି ପ୍ରଖର । ତମେ ତା’ର ସଦୁପଯୋଗ କାହିଁକି ନ କରିବ? ତମେ ତ ବାରାନ୍ଦାରେ ବସି ବସି ଅନେକ ସମୟ କଟାଇ ଦିଅ । ସେମିତି ବସିବ । ଖଣ୍ଡିଏ ପଟା ଖାଲି କାନ୍ଥରେ ଝୁଲିବ । ସେଥିରେ ତମ ନାମ ଲେଖା ରହିବ ଏବଂ ତାହା ପୁଣି ତଳେ ରହିବ: ‘ସର୍ବସାଧାରଣ ଉପଦେଷ୍ଟା’ । ଲୋକେ ସେମାନଙ୍କ ସମସ୍ୟା ବିଷୟ ତମକୁ କହିବେ । ତମେ ସେମାନଙ୍କୁ ସମାଧାନ ବିଷୟରେ ପରାମର୍ଶ ଦେବ । ଏଥିରେ କିଛି ପରିଶ୍ରମ ନାହିଁ । ବସି ରହି କିଛି ଉପାର୍ଜନ ବି ହେବ, ତମ ବୁଦ୍ଧି ବି କାମ କରିବ ଓ ତମକୁ ଆନନ୍ଦ ଦେବ । କଥା କ’ଣ କି, ଅଳସୁଆ ହୋଇ ବସି ରହିଲେ ତା’ର ଶେଷ ପରିଣତି ବିଷାଦ ଓ ହତାଶା ହୁଏ ।”
ସୁଧୀର ନୀରବ ରହିବାର ଦେଖି ଗୋବିନ୍ଦବାବୁ ଉତ୍ସାହ ଅନୁଭବ କଲେ ଓ ପୁଣି ସେ କହିଲେ, “ମାତ୍ର ମାସଟିଏ ପରୀକ୍ଷା କରାଯାଉ । ଯଦି ଭଲ ନ ଲାଗିବ, ତେବେ କାମ ବନ୍ଦ କରିଦେବା । ପଟା ଖଣ୍ଡିକ ଖାଲି ଆଣିଲେ ଗଲା!”
ସୁଧୀର କୁଣ୍ଠିତ ଭାବରେ କହିଲା “ହେଉ!”
ସେହିଦିନ ଉପରଓଳି ଗୋବିନ୍ଦବାବୁ ପଟାରେ ଯାହା ଲେଖା ହେବା କଥା ଲେଖି ଆଣିଲେ ଓ ତାହା ଟଙ୍ଗାଇ ଦେଲେ । ସୁଧୀର ପାଖରେ ସିଏ ବି ବସିଲେ । ଦୁଇ ତିନିଦିନ ଗଲା । କେହି କୌଣସି ଉପଦେଶ ପାଇଁ ଆସିଲେ ନାହିଁ । ତା’ପରେ ଦିନେ ସକାଳେ ଜଣେ ମେଷପାଳକ ସେବାଟେ ଯାଉଥିବା ବେଳେ ପଟାଟି ପଢି ରହିଗଲା ଓ କହିଲା, “ହଇହୋ ବାବୁ, ମୋତେ ଗୋଟାଏ ଉପଦେଶ ଦେଇ ପାରିବ?”
ଗୋବିନ୍ଦବାବୁ ପଚାରିଲେ “କ’ଣ ତମ ସମସ୍ୟା?”
ଆମେ ଆମ ମେଣ୍ଢା ପଲ ଓ ଛେଳି ପଲ ଚରାଇବା ପାଇଁ ପାହାଡ ସେପଟେ ଚାଳିମାନ କରି ରହିଥାଉ । ଆମେ ଆଠଜଣ ଅଛୁ । ସମସ୍ତେ ସାରା ରାତି ପହରା ଦେବା ସତ୍ତ୍ୱେ ହେଟା ବାଘ ଆସି ଆମର ଗୋଟାଏ ଦୁଇଟା ଛେଳିଛୁଆ ବା ମେଣ୍ଢାଛୁଆ ଚୋରାଇ ନେଇ ଯାଉଛନ୍ତି । ଆମେ ବି ଭୋର ଆଡକୁ କ୍ଳାନ୍ତ ହୋଇ ଶୋଇ ପଡିବାରୁ ସେମାନେ ଏ ସାହସ କରୁଛନ୍ତି । କ’ଣ କରାଯିବ କହିଲ?”
ସୁଧୀର ଧୀର ଭାବରେ କହିଲା, “ଦେଖ ଭାଇ, ତମେ ଆଠଜଣଯାକ ରାତି ଅନିଦ୍ରା ରହି ଭୋର ଆଡକୁ ଶୋଇ ପଡୁଛ । ଏହାର କୌଣସି ଯୁକ୍ତି ନାହିଁ । ପ୍ରତି ରାତିରେ ପାଳି କରି ଦୁଇଜଣ ଲେଖାଏଁ ଚେଇଁଲେ ଚଳିବ । ତମେ ଭାବୁଥିବ, ଦୁଇଜଣ କିପରି ଏଡେ ବ୍ୟାପକ ଅଂଚଳକୁ ଓଗାଳିବ । ଓଗାଳିବା ଲୋଡା ନାହିଁ । ରାତିଯାକ ମଧ୍ୟେ ମଧ୍ୟେ ଢୋଲ ପିଟୁଥିବ! ଆଉ ଯେଉଁ ପାଖରୁ ସାଧାରଣତଃ ହେଟାମାନେ ଆସନ୍ତି, ସେଠି ନିଆଁ ଜଳାଇ ରଖିବ ।”
ଲୋକଟି ଚାଲିଗଲା । ଦୁଇଦିନ ପରେ ଆସି ଅତି ଆନନ୍ଦରେ କିଛି ପଇସା ଦେଇଗଲା ଓ କହିଗଲା କି ସୁଧୀର ଦେଇଥିବା ପରାମର୍ଶ ଖୁବ୍ କାମ ଦେଇଛି ।
ଏକଥା ଗ୍ରାମଯାକ ରାଷ୍ଟ୍ର ହୋଇଗଲା । ଲୋକେ ସେମାନଙ୍କ ସମସ୍ୟା ବିଷୟରେ ଏଣିକି ପରାମର୍ଶ କରିବାକୁ ଆସିଲେ । ସୁଧୀରର ବୁଦ୍ଧିର ତାରିଫ୍ କରିବା ସଙ୍ଗେ ସଙ୍ଗେ ସେମାନେ ପଇସା ବି ଦେଲେ ।
ଜମିଦାର ଏକଥା ଶୁଣିଲେ । ସେ ସୁଧୀରକୁ ଡକାଇ ତାଙ୍କ ସମସ୍ୟା ଥୋଇଲେ । ତାଙ୍କ ଜୁଆଇଁ ମଦ୍ୟପ ହୋଇଯାଇଥାଏ । ଶତ ପରାମର୍ଶରେ ସେ ନିଶା ଛାଡିବାକୁ ରାଜି ହେଉ ନଥାଏ । ସୁଧୀରର ପରାମର୍ଶ ଅନୁସାରେ ଜମିଦାର ଗାଁ କବିରାଜଙ୍କୁ ଡକାଇ ଗୋଟିଏ ଗୁଣ୍ଡ ପ୍ରସ୍ତୁତ କଲେ । ଝିଅ ଦ୍ୱାରା ମଦ ସହ ସେ ଗୁଣ୍ଡ ମିଶାଇ ଦିଆଗଲା । ତା’ପରେ ମଦ ପିଇବା ପରେ ଜୁଆଇଁ ଅଚେତ୍ ହୋଇଯାନ୍ତି । କବିରାଜ ଆସି କହିଲେ, “ଏଣିକି ବାବୁସାଆନ୍ତଙ୍କ ଅବସ୍ଥା ଏମିତି ହେଲାଣି ଯେ ଆଉ ମଦ ପିଇଲେ ଚେତା ମୋଟେ ଫେରିବ ନାହିଁ, ଅର୍ଥାତ୍ ସେ ଆମକୁ ଛାଡି ଚାଲିଯିବେ!”
ଜୁଆଇଁଙ୍କ ହୋସ୍ ଫେରିଲା । ସେ ମଦ ପିଆ ଛାଡିଦେଲେ ।
ଏତିକି ବେଳେ ରାଜ୍ୟରେ ଗୋଟାଏ ଗୁରୁତର ସଙ୍କଟ ଦେଖାଦେଲା । ରାଜା ଅନେକ ଦିନ ହେବ ଅସୁସ୍ଥ ରହିଥିଲେ । ଏହି ଦୁର୍ଭାଗ୍ୟଜନକ ଅବସ୍ଥାର ସୁଯୋଗ ନେଇ ପଡୋଶୀ ରାଜ୍ୟର ରାଜା ଗୋଟିଏ ଦକ୍ଷ ସୈନ୍ୟଦଳ ଧରି ହଠାତ୍ ଆସି ଏ ରାଜ୍ୟର ରାଜଧାନୀରେ ପହଁଚିଗଲେ ଏବଂ ଅସୁସ୍ଥ ରାଜାଙ୍କୁ କହିଲେ, “ତମେ ତ ଆଉ ଭଲ ହୋଇ ପାରିବ ନାହିଁ । ଅତଏବ ରାଜ୍ୟ ମୋତେ ଦେଇ ଦିଅ । ନହେଲେ ଯୁଦ୍ଧ ହେବ ।”
ସମସ୍ତେ ତଟସ୍ଥ!
ରାଜା ସୁଧୀରକୁ ଡକାଇ ତା’ର ପରାମର୍ଶ ଲୋଡିଲେ । ସୁଧୀର ଯାହା କହିଲା, ତାହା ରାଜାଙ୍କ ମନକୁ ବେଶ୍ ପାଇଲା ।
ପରଦିନ ଅତି କୌଶଳରେ ରାଜ୍ୟଯାକ ଗୁପ୍ତଚରମାନେ ଏହା ପ୍ରଚାର କରିଦେଲେ ଯେ ରାଜା ମିଛରେ ଅସୁସ୍ଥ ବୋଲି କୁହାଯାଇ ଶତ୍ରୁ ରାଜାକୁ ପ୍ରଲୁବ୍ଧ କରି ଏଠାକୁ ଅଣାଯାଇଛି । ବିଚରା ଶତ୍ରୁରାଜା ବର୍ତ୍ତମାନ ଏଠି ଜାଲରେ ପଡିଛି । ଏଠାକାର ସୈନ୍ୟମାନେ ଯାଇ ତା ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଏକଥା ଶତ୍ରୁ ପକ୍ଷର ଗୁପ୍ତଚରମାନେ ଶୁଣିଲେ ଓ ଛାଉଣି ପକାଇ ରହିଥିବା ଶତ୍ରୁ ରାଜାଙ୍କୁ କହିଲେ । ରାତାରାତି ସେ ଓ ତାଙ୍କ ସୈନ୍ୟଦଳ ସେଠାରୁ ପଳାଇଗଲେ ।
ଏ ଘଟଣା ଏ ରାଜାଙ୍କୁ ଏଡେ ଖୁସି ଦେଲା ଯେ ସେ ତାଙ୍କ ଅସୁସ୍ଥତା କଥା ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ଓ କ୍ରମେ ସୁସ୍ଥ ହେଲେ । ସୁଧୀରକୁ ସେ ନିଜର ଜଣେ ମନ୍ତ୍ରୀ ଭାବରେ ନିଯୁକ୍ତ କଲେ । ସୁଧୀର କ୍ରମେ ବହୁ ଭଲ କାମରେ ରାଜାଙ୍କ ସହାୟତା କଲା ।