ପୂର୍ବକାଳରେ ଶିବି ନାମରେ ଜଣେ ରାଜା ଥିଲେ । ତାଙ୍କ ରାଜ୍ୟର ନାମ ବି ଥିଲା ଶିବି । ସେହି ରାଜ୍ୟର ରାଜଧାନୀ ଥିଲା ଅରିଷ୍ଟପୁର । ଗୋଟିଏ ଜନ୍ମରେ ବୋଧିସତ୍ୱ ଏଇ ରାଜା ଶିବିଙ୍କର ପୁଅ ହୋଇଥିଲେ । ତାଙ୍କର ପିଲାଦିନ କଟିଗଲା । ପାଠପଢିବା ବୟସ ହେଲା । ରାଜା ଶିବି ପଢିବା ପାଇଁ ପୁଅକୁ ତକ୍ଷଶୀଳାକୁ ପଠାଇଦେଲେ । ବୋଧିସତ୍ୱ ସେଠାରେ ଜଣେ ଗୁରୁଙ୍କ ଘରେ ରହି ପାଠ ପଢିଲେ । ଅଳ୍ପ ଦିନ ଭିତରେ ସେ ଜଣେ ବଡ ପଣ୍ଡିତ ହୋଇଗଲେ । ତା’ପରେ ବୋଧିସତ୍ୱ ରାଜ୍ୟକୁ ଫେରିଆସିଲେ । ରାଜା ଦେଖିଲେ ଯେ ତାଙ୍କ ପୁଅ ସବୁ ପାଠରେ ପଣ୍ଡିତ ହୋଇପାରିଛି । ସେ ତାଙ୍କୁ ଯୁବରାଜ କରିଦେଲେ । କିଛିଦିନ ବିତିଗଲା । ଶିବିରାଜ ମରିଗଲେ । ବୋଧିସତ୍ୱ ରାଜଗାଦିରେ ବସିଲେ ।
ବୋଧିସତ୍ୱ ରାଜା ହୋଇ ରାଜ୍ୟକୁ ଅତି ଭଲଭାବରେ ଶାସନକଲେ । ସେ ଆଠଗୋଟି ନିୟମ କରିଥିଲେ । ସେଗୁଡିକ ହେଲା – ପ୍ରତିଦିନ ଗରିବ ଲୋକଙ୍କୁ ଦାନ ଦେବା, ଭଲ ବ୍ୟବହାର କରିବା, ସରଳ ଜୀବନ କଟାଇବା, କୋମଳ ବ୍ୟବହାର କରିବା, କାହା ଉପରେ ରାଗ ନକରିବା, କାହାରି ପ୍ରତି ଶତ୍ରୁତା ନକରିବା, ହିଂସା ନକରିବା, କ୍ଷମାଦେବା ଓ ଶାନ୍ତିରେ ରହିବା ।
ବୋଧିସତ୍ୱ ଏ ନୀତିଗୁଡିକ ମାନି ଚଳୁଥିଲେ । ତାଙ୍କ ପ୍ରଜାମାନେ ବି ରାଜାଙ୍କ ବାଟ ଧରିଥିଲେ । ରାଜା ଦାନ ଦେବା ପାଇଁ ଛଅଟି ଘର ତୋଳାଇଥିଲେ । ନଅରର ଫାଟକ ଆଗରେ, ଉଆସର ସାମନାରେ ଓ ଉଆସର ଚାରିଦିଗରେ ଏଇ ଦାନଘରଗୁଡିକ ତୋଳାଯାଇଥିଲା । ଏଇ ଘରମାନଙ୍କରେ ଦାନ ପାଇଁ ବହୁତ ଜିନିଷ ରଖାଯାଇଥିଲା । ରାଜା ସେଇ ଘରମାନଙ୍କରେ ବସି ନିତି ଦାନକରୁଥିଲେ ।