ପ୍ରାଚୀନ କାଳରେ ବାରଣାଶୀରେ ‘ବ୍ରାହ୍ମଦତ୍ତ’ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ବଳବାନ୍ ଏବଂ ଶକ୍ତିଶାଳୀ ଥିଲେ । କେବଳ ସେତିକି ନୁହେଁ ଦୟା, ପରୋପକାର ପ୍ରଭୃତି ମହନୀୟ ଗୁଣର ମଧ୍ୟ ଅଧିକାରୀ ଥିଲେ । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ କାଳାତିପାତ କରୁଥିଲେ । ପ୍ରଜାମାନେ ସୁଖରେ କାଳାତିପାତ କରୁଥିବାରୁ ରାଜା ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେଣୁ ଚାରିଆଡେ ରାଜାଙ୍କର ପ୍ରଶଂସା ବ୍ୟାପିବାରେ ଲାଗିଥାଏ । ପଡୋଶୀରାଜ୍ୟର ରାଜାମାନେ ମଧ୍ୟ ବ୍ରାହ୍ମଦତ୍ତ ରାଜାଙ୍କୁ ଭୟ କରୁଥାଆନ୍ତି । ତାଙ୍କର ପରାକ୍ରମ ସମସ୍ତଙ୍କୁ ଜଣାଥାଏ । ତେଣୁ କେହି ସାହସ କରି ତାଙ୍କ ରାଜ୍ୟକୁ ଆକ୍ରମଣ କରୁନଥାନ୍ତି ।
ଦିନେ ରାଜାଙ୍କ ମନକୁ ଏକ ଅଜବ ଚିନ୍ତା ଆସିଲା । ସେ ମନେ ମନେ ଭାବିଲେ, “ମୁଁ କ’ଣ ଏପରି ଏକ ରାଜା ଯେ ମୋର ଶାସନରେ କୌଣସି ତୃଟି ରହୁନାହିଁ । ବୋଧହୁଏ ରାଜ୍ୟରେ ସମସ୍ତେ ଭୟଭୀତ ହୋଇ ମୋର ଦୋଷ ତ୍ରୁଟି ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କରୁନାହାଁନ୍ତି ।” ଏହା ଭାବି ରାଜା ପରଦିନ ତାଙ୍କର ମହାମନ୍ତ୍ରୀ, ରାଜପୁରୋହିତ ଏବଂ ସେନାପତିମାନଙ୍କୁ ବିଶେଷ ନିମନ୍ତ୍ରଣ ଜରିଆରେ ଡକାଇଲେ । ସମସ୍ତେ ମଧ୍ୟ ଅସମୟରେ ରାଜାଙ୍କର ଏ ପ୍ରକାର ନିମନ୍ତ୍ରଣ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥାଆନ୍ତି । ରାଜା ଯେତେବେଳେ ନିମନ୍ତ୍ରଣ ପଠାଇଛନ୍ତି, ତେଣୁ ସମସ୍ତେ ଯାଇ ଦରବାରରେ ଠିକ୍ ସମୟରେ ପହଁଚିଗଲେ । ରାଜା ପ୍ରଥମେ ରାଜପୁରୋହିତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ, “ପଣ୍ଡିତ ମହାଶୟ, ମୁଁ ଆପଣଙ୍କୁ ଆଜି ଗୋଟିଏ ବିଶେଷ କାରଣ ପାଇଁ ଏଠାକୁ ଡକାଇଛି । କାରଣଟି ହେଉଛି ଏଇଆ ଯେ, ଆପଣ କ’ଣ ମୋ ରାଜ୍ୟ ଶାସନ ନୀତିରେ କୌଣସି ତ୍ରୁଟି ବିଚ୍ୟୁତ୍ତି ଦେଖୁନାହାଁନ୍ତି । ଦୟାକରି ମୋର ଯାହା ତ୍ରୁଟି ଆପଣ ଦେଖୁଛନ୍ତି ମୋତେ କୁହନ୍ତୁ?” ରାଜାଙ୍କ କଥା ଶୁଣି ପଣ୍ଡିତ ମହାଶୟ କହିଲେ, “ମହାରାଜ ! ଆଜି ଆପଣଙ୍କର କ’ଣ ହୋଇଛି ଯେ ଆପଣ ମୋତେ ଏପରି ପ୍ରଶ୍ନ ପଚାରୁଛନ୍ତି? ଆପଣ ତ’ ବିଦ୍ୱାନ ପଣ୍ଡିତମାନଙ୍କୁ ଯଥାରୀତି ସମ୍ମାନ ପ୍ରଦର୍ଶନ କରନ୍ତି । ମହାପୁରୁଷମାନେ କହିଛନ୍ତି ପରା ଯେଉଁ ରାଜ୍ୟରେ ପଣ୍ଡିତ ମାନଙ୍କର ଆଦର ଥିବ, ଧର୍ମ ପାଳନ କରାଯାଉଥିବ ସେହି ରାଜ୍ୟର ରାଜା ମହାନ୍ ଅଟନ୍ତି । ତେଣୁ ମୁଁ ତ’ ଆପଣଙ୍କ ରାଜ୍ୟ ଶାସନ ନୀତିରେ କୌଣସି ତ୍ରୁଟି ବିଚ୍ୟୁତ୍ତି ଦେଖୁନାହିଁ ।”