ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା । ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା । ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା । ସେ ବଣିଆଟି ସାଧାରଣ ମଣିଷ ନଥିଲା । ଅମାପ ଧନର ଧନ ପତି ସେ । ଟଙ୍କା ଲଗାଣ ପୋତାଣରେ ସେ ଆଖ ପାଖ ପଚାଶ ଖଣ୍ଡି ଗ୍ରାମରେ ବଡ ଧନୀ ଲୋକ । ଆଜି କାଲି ଯା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେହି ହିଁ ବେଦଜ୍ଞାନୀ । ମହା ଜ୍ଞାନୀ, ତେଣୁ ବଣିଆର ଆଧିପତ୍ୟ ଥିଲା ସହରଠାରୁ ଗ୍ରାମ ଯାଏଁ ।
ସେହି ବଣିଆର ନାମ ରତ୍ନାକର, ଧନ ରତ୍ନରେ ଅଭାବ ନଥିଲା ତା’ର ଗୋଟିଏ ପୁଅ ଥିଲା, ସେ ପୁଅଟି ବି ଦେଖିବାକୁ ଖୁବ୍ ସୁନ୍ଦର । ବଣିଆର ପୁଅ ହେଲେ କ’ଣ ହେବ । ସାକ୍ଷାତ ରାଜ କୁମାର ପରି ତା’ର ଚେହେରା । ତା’ର ପୁଣି ରାଜା ପୁଅ ଆଉ ଜଗୁଆଳି ପୁଅ ସାଙ୍ଗରେ ବେଶୀ ସାଙ୍ଗ ।
ସବୁ ଦିନ ତିନି ସାଙ୍ଗ ମିଳା ମିଶା ହୋଇ ଚଳନ୍ତି । ତିନି ଜଣଙ୍କର ଗୋଟିଏ କଥା, ଗୋଟିଏ ମନ, କେହି କାହାକୁ ଛାଡି ଗୋଟିଏ ମୁହୂର୍ତ ବି ଏକା କେହି ରହି ପାରନ୍ତି ନାହିଁ ।
ବଣିଆ ପୁଅ,ଜଗୁଆଳି ପୁଅ ଆଉ ରାଜା ପୁଅ । ଜଗୁଆଳି ପୁଅ ଆଉ ରାଜା ପୁଅଙ୍କର ବିଭାଘର ହୋଇନଥାଏ । କେବଳ ବଣିଆ ପୁଅ ବିଭା ହୋଇଥିଲା । ସେ ପୁଣି ଖୁବ୍, ସୁନ୍ଦରୀ ସ୍ତ୍ରୀଟିଏ ପାଇଥିଲା ।